ବିଜେଡି ଛାଡିବେ ପୂର୍ବତନ ସାଂସଦ, ଖୁବ୍‌ଶୀଘ୍ର ମିଶିବେ ବିଜେପିରେ

Published By : Prameya-News7 Bureau | April 19, 2024 IST

ଭୁବନେଶ୍ୱର ୧୯/୦୪: ବିଜୁ ଜନତା ଦଳ ଛାଡ଼ିପାରନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ଟିକଟ ନେଇ ବିଜେଡିରୁ କୌଣସି ସ୍ପଷ୍ଟ ସିଗନାଲ  ନ ମିଳିବାରୁ ପାଟ୍ଟଶାଣୀ ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି । ସୂତ୍ରରୁ ଖବର ମିଳିଛି, ପାଟ୍ଟଶାଣୀ ନବୀନ ନିବାସ ଯାଇଥିଲେ । ସେଠାରୁ ଫେରିବା ପରେ  ସେ କିଛି ବଡ଼ ନିଷ୍ପତ୍ତି ନେବା ଯୋଜନାରେ ଅଛନ୍ତି । 

ଏପରିକି ଗୁରୁବାର ରାତିରେ ସେ ଦିଲ୍ଲୀ ଯିବା ନେଇ ଚର୍ଚ୍ଚା ହେଉଥିଲା । ଶୁକ୍ରବାର ପାଟ୍ଟଶାଣୀ କିଛି ବଡ଼ ଘୋଷଣା କରିପାରନ୍ତି । ଭୁବନେଶ୍ୱରରୁ ଲଗାତାର ୫ ଥର ସାଂସଦ ହୋଇଥିବା ପାଟ୍ଟଶାଣୀଙ୍କୁ ୨୦୧୯ରେ ଟିକଟ ଦେଇନଥିଲା ବିଜେଡି । ପରେ ସେ ରାଜ୍ୟସଭା ଯିବାକୁ ଆଶାୟୀ ଥିଲେ । ମାତ୍ର ତାଙ୍କ ଆଶା ପୂରଣ ହୋଇନଥିଲା । 

ଏଥର ପାଟ୍ଟଶାଣୀ ବିଧାନସଭା ନିର୍ବାଚନ ପାଇଁ  ଚିଲିକାରୁ ପ୍ରାର୍ଥୀ ହେବା ନେଇ ମଝିରେ  ଚର୍ଚ୍ଚା ଶୁଣିବାକୁ ମିଳିଥିଲା । ପାଟ୍ଟଶାଣୀ ମଧ୍ୟ ଏ ନେଇ ସଙ୍କେତ ଦେଇଥିଲେ । ମାତ୍ର କିଛି ଦିନ ପରେ ଏ ଚର୍ଚ୍ଚା ବି ଥମି ଯାଇଥିଲା । ଶ୍ରୀ ପାଟ୍ଟଶାଣୀଙ୍କ  ଜ୍ୱାଇଁ ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ନିକଟରେ ବିଜେଡି ଛାଡ଼ି  ବିଜେପିରେ ଯୋଗ ଦେଇଛନ୍ତି । 

ଏଥର ଉତ୍ତର ଭୁବନେଶ୍ୱରରୁ ପ୍ରିୟଦର୍ଶୀ  ବିଜେପି ପ୍ରାର୍ଥୀ ହୋଇଛନ୍ତି । ତେଣୁ ଶ୍ରୀ ପାଟ୍ଟଶାଣୀ ବିଜେପିକୁ ଯାଇପାରନ୍ତି  ବୋଲି ଚର୍ଚ୍ଚା ହେଉଛି । ମାତ୍ର ଏ ଚର୍ଚ୍ଚାରେ କେତେ ସତ୍ୟତା ଅଛି, ସେ ନେଇ  କିଛି ସ୍ପଷ୍ଟ ହୋଇନାହିଁ । ଏ ନେଇ ଶ୍ରୀ ପାଟ୍ଟଶାଣୀଙ୍କ ମତାମତ ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.