କାଳବୈଶାଖୀ ବର୍ଷା; ସକାଳେ ପ୍ରବଳ ହିଟ୍‌ଓ୍ଵେଭ, ସନ୍ଧ୍ୟାରେ ଛେଚିଲା

Published By : Prameya-News7 Bureau | May 01, 2024 IST

ଭୁବନେଶ୍ଵର:  ରାଜ୍ୟରେ ଆଜି ମଧ୍ୟ ସକାଳୁ ପ୍ରବଳ ହିଟ୍ଓ୍ଵେଭ ଅନୁଭୂତ ହୋଇଥିବା ବେଳେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ କାଳବୈଶାଖୀ ପରିଲକ୍ଷିତ ହୋଇଛି। କିଛି ସ୍ଥାନରେ ବଡ଼ ବଡ଼ ଗଛଡାଳ ଭାଙ୍ଗିଯାଇଥିବା ଆଉ କେଉଁଠି ଟେଣ୍ଟ ଉଡ଼ାଇନେଇଛି। ପ୍ରବଳ କୂଆପଥର ବର୍ଷା ମଧ୍ୟ ହୋଇଥିଲା। ସେପଟେ କୁଆପଥର ବର୍ଷା ପାଇଁ ଏକ ନୂଆଦିଲ୍ଲୀ ଯାଉଥିବା ଭିସ୍ତାରା ବିମାନ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି। 

କାଳବୈଶାଖୀ ବର୍ଷା କଲା କଲବଲ। କେଉଁଠି ଉଡ଼ାଇଲା କେଉଁଠି ଭାଙ୍ଗିଲା ତ ଆଉ କେଉଁଠି କୁଆପଥର ଛେଚିଲା। ସକାଳେ ପ୍ରବଳ ହିଟ୍‌ଓ୍ଵେଭ ଗମ୍ ଗମ୍ ଝାଳ ବୁହାଉଥିଲା ଆଉ ଅପରାହ୍ନରେ ଏମିତି ଛେଚିଲା ଯେ ଯିଏ ଯୋଉଁଠି ଥିଲା ଓଦା ହେଲା। କଳା ଘୁମର କରି ମେଘ ଢାଙ୍କି ଦେଇଥିଲା। ଏହା ପରେ ଟିପ୍ ଟିପ୍ କରି ବର୍ଷିଥିଲା।  ୩ ଟି ସ୍ଥାନ ବାଙ୍କି, ଆଠଗଡ଼, ଚୌଦ୍ବାର  ଏଠାରେ କାଳବୈଶାଖୀ ପାଇଁ କୁଆପଥର ଛେଚି ପକାଇଥିଲା। ସତେ ଯେମିତି ଗରମ ତେଲରେ ଫୁଟଣ ଫୁଟୁଥିଲା। ଖାଲି କୁଆଫଥର ଟକ ଟକ ହୋଇ ମାଡ଼ କରୁନଥିଲା ତା ସାଙ୍ଗକୁ ପବନ ମଧ୍ୟ ଚଉକସ ବହୁଥିଲା। ପାଖାପାଖି ଶହେ କିଲୋମିଟର ବେଗରେ ପବନ ବହିଥିଲା।  

Also read: ତାତିରେ ଜଳୁଛି ସାରା ରାଜ୍ୟ, ୪୫.୦ ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ ସହର

କିଛି ସ୍ଥାନରେ ବଡ଼ ବଡ଼ ଗଛ ମୋଡ଼ି ଦେଇଛି। ଏମିତି ଦୃଶ୍ୟ ବାଙ୍କି ଅଞ୍ଚଳର ଓସ୍ତିଆ ପଂଚାୟତ ଗଳବାଙ୍କରେ ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ଜୋରରେ ପବନ ବାହିବା ସହ ଘଡଘଡି କୁଆ ପଥର ବର୍ଷା ଯୋଗୁଁ ବଡ଼ବଡ଼ ଗଛ ଭାଙ୍ଗିପଡ଼ିଛି।  ବାରଙ୍ଗ ନିକଟ ଗୋଡ଼ିସାହିର ଏକ କାର ଉପରେ ପଡ଼ିଛି ବିରାଟ ଛାକୁଣ୍ଡା ଗଛ ଡାଳ। ଆଠଗଡ଼ ଅଞ୍ଚଳରେ  ଶ୍ରମିକ ଦିବସରେ ଶ୍ରମିକ ମାନଙ୍କ ସଭା ଚାଲିଥିବା ବେଳେ ମାଡି ଆସିଲା କାଳବୈଶାଖୀ ପବନ ସହ କୁଆପଥର ବର୍ଷା । ହିନ୍ଦମଜଦୁର ସଭା ପକ୍ଷରୁ  ଆନ୍ତର୍ଜାତୀୟ ଶ୍ରମିକ ଦିବସ  ପାଳନ ବେଳେ ସେଠାରେ ଥିଲେ କାର୍ଯ୍ୟକାରୀ ସଭାପତି ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ମାଡି ଆସିଥିଲା ବର୍ଷା ପବନ   ଯିଏ ଜୁଆଡ଼େ ପାରିଲେ ଦୌଡ଼ିଲେ। ବର୍ଷା ପବନରେ ଟେଣ୍ଟଟି ଭୁଶୁଡ଼ି ପଡ଼ିଥିଲା। 

ବର୍ଷା ପବନ ଟ୍ବିନ ସିଟିକୁ ଆଶ୍ବସ୍ତ କରିଛି। ଗତ କିଛି ଦିନ ଧରି ୪୦ରୁ ୪୫ ଡିଗ୍ରି ତାପମାତ୍ରାରେ ଡହଳ ବିକଳ ହେଉଥିଲେ ଲୋକେ। ଆଉ ସଂଧ୍ୟାରେ କଟକ, ଭୁବନେଶ୍ବର, ଚୌଦ୍ବାର ଅଞ୍ଚଳରେ ପ୍ରବଳ ବର୍ଷା ପବନ ହୋଇଥିବା ବେଳେ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ। ଲେକେ ତାତିରୁ ତ୍ରାହି ପାହିଥିବାରୁ ଆଶ୍ବସ୍ତି ଲାଭ କରିଛନ୍ତି। ଜୀବଜଗତ ବି ଆଶ୍ବସ୍ତ ହୋଇଛନ୍ତି। 

କୁଆପଥର ମାଡ଼ ବିମାନର ଜରୁରୀ ଅବତରଣ । ଭୁବନେଶ୍ୱର ଏୟାରପୋର୍ଟରେ ଭିସ୍ତାରା ବିମାନ ଜରୁରୀ ଅବତରଣ କରିଛି । ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା ବିମାନ । ଟେକଅଫ କରିବାର ୧୦ ମିନିଟ ପରେ ପ୍ରବଳ ବର୍ଷା ଓ କୁଆପଥର ମାଡ଼ ହୋଇଥିଲା। ବିମାନରେ ଥିଲେ ୧୬୧ ଜଣ ଯାତ୍ରୀ । କୁଆପଥର ମାଡ଼ ଯୋଗୁଁ ୱିଣ୍ଡସିଲ୍ ଭାଙ୍ଗିବାରୁ ବିମାନଟି ଭୁବନେଶ୍ବର ବିମାନ ବନ୍ଦରକୁ ଫେରି ଆସିଥିଲା। ଦେଖନ୍ତୁ ବିମାନର ନାକ କେମିତି ଚେପା ହୋଇଯାଇଥିବା ବେଳେ କୁଆପଥର ମାଡ଼ର ଦାଗ ରହିଛି।

କାଳବୈଶାଖୀ ସାମାନ୍ୟ ଆଶ୍ବସ୍ତି ଦେଇଛି ସତ। କିନ୍ତୁ ଆସନ୍ତା ୪୮ ଘଣ୍ଟା ପାଇଁ ଟ୍ବିନ ସିଟିରେ ହିଟୱେଭ୍ ଜାରି ରହିବ। ଏଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। କିନ୍ତୁ ଆସନ୍ତା ୬ ତାରିଖରୁ ସମଗ୍ର ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ କମିବ। ୭ ରୁ ୧୧ ତାରିଖ ପର୍ଯ୍ୟନ୍ତ ୪ ରୁ ୫ ଡିଗ୍ରୀ ତାପମାତ୍ରା କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ । ଉପକୂଳ ଓଡ଼ିଶାର କିଛି ଭାଗର କିଛି ଭାଗରେ କାଳବୈଶାଖୀ ପାଇଁ ଆଶ୍ବସ୍ତି ଆଣିଥିବା ବେଳେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ହିଟ୍ୱେଭ ଜନଜୀବନକୁ କଲବଲ କରିଛି। 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.