୨.୨୭ ଲକ୍ଷରେ ବିକ୍ରି ହେଲା ଅଣ୍ଡା, ମସଜିଦ୍ ନିର୍ମାଣ ପାଇଁ ମହିଳା କରିଥିଲେ ଦାନ

Published By : Prameya-News7 Bureau | April 16, 2024 IST

ମୁମ୍ଵାଇ ୧୬।୦୪: ଜମ୍ମୁ-କାଶ୍ମୀରର ସୋପୋର ଜିଲ୍ଲା ସ୍ଥିତ ମାଲାପୋରା ଗାଁରେ  ଦାନ କରାଯାଇଥିବା ଏକ ଅଣ୍ଡାରୁ ୨ ଲକ୍ଷରୁ ଅଧିକ ଟଙ୍କାର  ଚାନ୍ଦା ସଂଗ୍ରହ କରାଯାଇଛି । ଗାଁରେ ମସ୍‌ଜିଦ ନିର୍ମାଣ ଲାଗି ଚାନ୍ଦା  ସଂଗ୍ରହ କରାଯାଉଥିଲା । ଏହି ସମୟରେ ଗାଁର ଜଣେ ଯୁବକ  ଏକ ଅଣ୍ଡା ଦାନ କଲେ । ଅଣ୍ଡା ସମେତ ଦାନରେ ମିଳିଥିବା  କିଛି ମୂଲ୍ୟବାନ ବସ୍ତୁର ନିଲାମ ହେଲା । ଲୋକେ ବୋଲୀ  ଲଗାଇ ଅଣ୍ଡାକୁ କିଣିଲେ ଏବଂ ପୁଣି ନିଲାମ କରିବା ଲାଗି ତାକୁ  ମସ୍‌ଜିଦ ସମିତିକୁ ଫେରାଇଦେଲେ । ଏହିଭଳି ଭାବେ ୩ ଦିନ  ପର୍ଯ୍ୟନ୍ତ ଅଣ୍ଡାର ନିଲାମୀ ଚାଲିଲା । ଏଥିରୁ ୨.୨୭ ଲକ୍ଷ ଟଙ୍କା  ଜମା ହେଲା ।

ମସ୍‌ଜିଦ ସମିତି କହିଛି, ରମଜାନ ସମୟରେ  ସମିତିର ଲୋକେ ଚାନ୍ଦା ସଂଗ୍ରହ କରୁଥିଲେ । ଗାଁ ଲୋକେ ଟଙ୍କା  ସମେତ ଅନ୍ୟ ସାମଗ୍ରୀ ମଧ୍ୟ ଦାନ କରୁଥିଲେ । କିଛି ଲୋକ  ଇଟା, ସିମେଣ୍ଟ୍‌, କାଠ ଆଦି ଦାନ କଲେ । ପାଣ୍ଠି ସଂଗ୍ରହ ଲାଗି  ସମିତି ଜଣେ ଯୁବକଙ୍କ ଘରେ ପହଞ୍ଚିଲା । ବିଧବା ମା’ ସହ  ରହୁଥିବା ଗରିବ ଯୁବକ ଜଣକ ଏକ ଅଣ୍ଡା ଦାନ କଲେ । ଏହା  ବ୍ୟତୀତ ତାଙ୍କ ପାଖରେ କିଛି ନ ଥିଲା । ଇଦ୍‌ ଅବସରରେ ଦାନ ସାମଗ୍ରୀଗୁଡ଼ିକର ନିଲାମ ହେଲା ।  ଅଣ୍ଡା ଦେଇଥିବା ବ୍ୟକ୍ତିଙ୍କ ବିଷୟରେ ଜାଣିବା ପରେ  ଅନେକ ଲୋକ ଅଣ୍ଡା ଲାଗି ବୋଲୀ ଲଗାଇଲେ । 

ଲଗାତାର  ୨ ଦିନ ଧରି ଚାଲିଥିବା ନିଲାମରେ ଅଣ୍ଡାରୁ ପ୍ରାୟ ୧.୫୭  ଲକ୍ଷ ଟଙ୍କା ସଂଗ୍ରହ ହେଲା । ୩ୟ ଦିନ ମାଲପୋରାର  ପଡ଼ୋଶୀ ଗାଁ ବାରପୋରା ବାସିନ୍ଦା ଦାନିଶ ଅହମଦ ଅଣ୍ଡାର  ବୋଲୀ ଲଗାଇଲେ । ସେ ୭୦ ହଜାର ଟଙ୍କାରେ ଅଣ୍ଡା  କିଣିଲେ । ଏହିଭଳି ଭାବେ ଅଣ୍ଡାରୁ ୨.୨୭ ଲକ୍ଷ ଟଙ୍କା  ସଂଗ୍ରହ କରାଗଲା । ଦାନିଶ ଅଣ୍ଡା କିଣିଥିବା ୬୦ତମ ବ୍ୟକ୍ତି   ଥିଲେ ।ଦାନିଶ କହିଛନ୍ତି, ଗାଁରେ ବହୁତ ବଡ଼ ମସ୍‌ଜିଦ  ନିର୍ମାଣ ହେବ । ଏଥିପାଇଁ ଅଧିକ ଟଙ୍କା ଦରକାର । ମୁଁ  ଧନୀ ନୁହେଁ, କିନ୍ତୁ ମସ୍‌ଜିଦ ନିର୍ମାଣ ଲାଗି କିଛି କରିବାକୁ  ଚାହୁଁଥିଲି । ସେଥିପାଇଁ ୭୦ ହଜାର ଟଙ୍କାରେ ଅଣ୍ଡା କିଣିଲି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.