ଅଭିନେତାଙ୍କୁ ୫ ରାଜ୍ୟରେ ଗୋଡ଼ାଇ ଧରିଲା ପୋଲିସ, ୧୮୦୦ କିମି ପିଛା କରିବା ପରେ ଗିରଫ

Published By : Prameya-News7 Bureau | April 29, 2024 IST

ନୂଆଦିଲ୍ଲୀ: ମହାଦେବ ବେଟିଂ ଆପ୍‌ ମାମଲା ସାମ୍‌ନାକୁ ଆସିବା ପରେ ଏହା ଏକ ଚର୍ଚ୍ଚିତ ଘଟଣା ପାଲଟିଥିଲା। ଚର୍ଚ୍ଚିତ ଏଥିପାଇଁ ମଧ୍ୟ ଥିଲା କାରଣ ଏହା ସହ ଅନେକ ନାମୀଦାମୀ କଳାକାରଙ୍କ ନାଁ ମଧ୍ୟ ଜଡ଼ିତ ଥିଲା। ଆଉ ଏବେ ଏହି କେସ୍‌ରେ ମୁମ୍ବାଇ ପୋଲିସ ଅଭିନେତା ତଥା ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କୁ ଗିରଫ କରିଛି। ଏହି ଅଭିନେତା ହେଉଛନ୍ତି ସାହିଲ ଖାନ। ମୁମ୍ବାଇ କ୍ରାଇମ ବ୍ରାଞ୍ଚ ତାଙ୍କୁ ମହାଦେବ ଅନଲାଇନ ବେଟିଂ ଆପ୍ ନେଟଓ୍ବର୍କ ଏବଂ ଏହା ସହ ଜଡ଼ିତ ଅବୈଧ ଜୁଆ ଆପ୍ସ ସହ ଜଡ଼ିତ ଯାଞ୍ଚରେ ଗିରଫ କରିଛନ୍ତି।

ମାମଲାରେ କେମିତି ରହିଛି ସାହିଲଙ୍କ ସଂପୃକ୍ତି ? 

ପ୍ରକୃତରେ ସାହିଲ ଖାନ ସୋସିଆଲ ମିଡିଆରେ ଦ ଲାୟନ ବୁକ୍ ଆପ୍ ନାମକ ଏକ ଆପ୍ ପ୍ରମୋଟ କରିଥିଲେ। ଯାହା ମହାଦେବ ଆପ୍ ନେଟଓ୍ବର୍କ ସହ ଜଡ଼ିତ। ସେ ୟୁଏଇରେ ମହାଦେବ ଆପ୍‌ର ଲଞ୍ଚ ଇଭେଣ୍ଟରେ ମଧ୍ୟ ଯୋଗ ଦେଇଥିଲେ।ଆଉ ଉତ୍ସବରେ ମଧ୍ୟ ସାମିଲ ହୋଇଥିଲେ।

ତେବେ ୟୁଏଇରୁ ଅବୈଧ ଉପାୟରେ ଚାଲୁଥିବା ଏହି ଆପ୍‌ରେ ବଡ଼ ଲାଭ ଦେଖି, ସାହିଲ ମଧ୍ୟ ଏକ ଆପ୍‌ରେ ପାର୍ଟନର ହୋଇଯାଇଥିଲେ। ଯାହାର ନାଁ ଥିଲା ଲୋଟସ ୨୪/୭। ଏହି ଆପ୍‌ ମଧ୍ୟ ଅବୈଧ ଅନଲାଇନ ଜୁଆ ପ୍ଲାଟଫର୍ମ। ଅନୁମାନ କରାଯାଉଛି ଯେ, ସାହିଲଙ୍କୁ ଏଥିରୁ ବଡ଼ ଲାଭ ହୋଇଛି।

 ଏପ୍ରିଲ ୨୫ରେ ହୋଇଥିଲା ଜାମିନ୍ ଖାରଜ

ଏହି ମାମଲାରେ ସାହିଲଙ୍କୁ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଅଧିକାରୀ ପୂର୍ବରୁ ହିଁ ପଚରା ଉଚରା କରିଥିଲେ। ହେଲେ ଗିରଫ ହେବା ଭୟରେ ସାହିଲ ଆଗୁଆ ଜାମିନ ଆବେଦନ କରିଥିଲେ। କିନ୍ତୁ ଏପ୍ରିଲ ୨୫ରେ ତାଙ୍କର ଜାମିନ ଖାରଜ ହୋଇଯାଇଥିଲା।ଆଉ ଏହାର ସଙ୍ଗେ ସଙ୍ଗେ ସେ, ଡ୍ରାଇଭର ସହ ମୁମ୍ବାଇରୁ ଖସି ପଳାଇଥିଲେ ।ଆଉ ପୋଲିସ ତାଙ୍କୁ ଗିରଫ କରିବାକୁ ପିଛା କରିଥିଲା। 

ଗିରଫରୁ ବର୍ତ୍ତିବା ପାଇଁ ୪୦ ଘଣ୍ଟା ଧରି ପୋଲିସ ସହ ଲୁଚକାଳି 

ପ୍ରଥମେ ସେ ଗୋଆରେ କିଛି ସମୟ, ଏହା ପରେ କର୍ଣ୍ଣାଟକ, ପୁଣି ତେଲଙ୍ଗାନା, ହାଇଦ୍ରାବାଦ ବାହାରି ଯାଇଥିଲେ ।ଆଉ ଏହି ସମୟରେ ସେ କେବଳ ଆବଶ୍ୟକ ସମୟରେ ନିଜର ଫୋନ୍ ଅନ୍‌ କରୁଥିଲେ।ଏହି ଭଳି ଭାବରେ ସେ ଗିରଫଦାରୀରୁ ବର୍ତ୍ତିବା ପାଇଁ ପୋଲିସ ସହ ପ୍ରାୟ ୪୦ ଘଣ୍ଟା ଧରି ଲୁଚକାଳି ଖେଳିଥିଲେ। ଖାଲି ଲୁଚକାଳିତ’ ନୁହେଁ ପୋଲିସକୁ ଏହି ୫ ରାଜ୍ୟରେ ପ୍ରାୟ ୧୮୦୦ କିମି ଦୌଡ଼ାଇଥିଲେ।

ତେବେ ଯେତେବେଳେ ସାହିଲ ଭାବିଥିଲେ ଯେ, ପୋଲିସ କେବେବି ତାଙ୍କ ପାଖରେ ପହଞ୍ଚି ପାରିବ ନାହିଁ ସେତେବେଳେ ସେ, ଛତିଶଗଡ଼ ଏବଂ ମହାରାଷ୍ଟ୍ର ସୀମା ଆଡ଼କୁ ଚାଲିଯାଇଥିଲେ। ଏହାରି ମଧ୍ୟରେ ସେ ଗଢ଼ଚିରୌଲି ଜିଳ୍ଲାର ବର୍ଡର ଏବଂ ଅନେକ ନକ୍ସଲ ପ୍ରଭାବିତ ଜିଲ୍ଲାରୁ ମଧ୍ୟ ଅତିକ୍ରମ କରିଥିଲେ।

ମେ ୧ ଯାଏଁ ରହିବେ ବିଚାର ବିଭାଗୀୟ ହାଜତରେ 

ରାତି ଘନ ଅନ୍ଧକାର ଯୋଗୁଁ ନକ୍ସଲବାଦୀଭ୍କ ବିପଦକୁ ଦେଖି ଡ୍ରାଇଭର ମଧ୍ୟ ଆଗକୁ ଯିବାକୁ ମନା କରିଥିଲା। ଶେଷରେ ସେ ଜଗଦଲପୁରରେ ରହି ଏଠାରେ ଆରାଧ୍ୟା ହୋଟେଲରେ ଏକ ରୁମ୍ ବୁକ୍‌ କରିଥିଲେ।ହେଲେ ପୋଲିସ ଏହାର ଗୁପ୍ତଚର ଏବଂ ଗୁଇନ୍ଦା ଆଧାରରେ ହୋଟେଲର ପହଞ୍ଚି ତାଙ୍କୁ ଧରିଥିଲା। ଗିରଫ ପରେ ସାହିଲଙ୍କୁ ରବିବାର କୋର୍ଟରେ ହାଜର କରାଯାଇଥିଲା। ଯେଉଁଠାରେ ତାଙ୍କୁ ମେ ୧ରେ ପୋଲିସ ହେପାଜତରେ ପଠାଯାଇଛି।

ନିଜ ଫିଟନେସ ପାଇଁ ଲୋକପ୍ରିୟ ସାହିଲ ଖାନ୍‌ ‘ଏକ୍ସକ୍ୟୁଜ ମି’ ଏବଂ ଷ୍ଟାଇଲ ଭଳି ଫିଲ୍ମରେ କାମ କରିଛନ୍ତି। ଅବଶ୍ୟ ତାଙ୍କର ଫିଲ୍ମ କ୍ୟାରିୟର ବହୁତ ଭଲ ରହିନଥିଲା ଏବଂ ଏହା ପରେ ସେ ଫିଲ୍ମ ଇଣ୍ଡ‌ଷ୍ଟ୍ରୀ ଛାଡ଼ିବ ଫିଟନେସ୍ ଇନ୍‌ଫ୍ଲୁଏନ୍ସର ଭାବରେ ନିଜର ଚେଷ୍ଟା ଜାରି ରଖିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.