ଭ୍ରମିତ ବିଜ୍ଞାପନ ଦେଖାଇବା ମାମଲା: ପତଞ୍ଜଳୀର ୧୪ଟି ସାମଗ୍ରୀର ଲାଇସେନ୍ସ ରଦ୍ଦ କଲେ ସରକାର

Published By : Prameya-News7 Bureau | April 29, 2024 IST

ନୂଆଦିଲ୍ଲୀ: ସ୍ୱଦେଶୀ କମ୍ପାନୀ ନାଁରେ ନିଜ ଉତ୍ପାଦନ ବିଷୟରେ ଭ୍ରମାତ୍ମକ ବିଜ୍ଞାପନ ଦେଇ ସୁପ୍ରିମକୋର୍ଟ ରୋଷର ଶିକାର ହୋଇଥିବା ରାମ ଦେବ ବାବାଙ୍କ ପତଞ୍ଜଳୀ କମ୍ପାନୀକୁ ଶକ୍ତ ଝଟ୍‌କା ଲାଗିଛି। ସୋମବାର ଉତ୍ତରାଖଣ୍ଡ ସରକାର ୧୪ ପତଞ୍ଜଳୀ ପ୍ରଡକ୍ଟର ଲାଇସେନ୍ସ ରଦ୍ଦ କରିଛନ୍ତି। ତ୍‌ତକାଳ ପ୍ରଭାବରେ ଏହି ନିର୍ଦ୍ଦେଶ ଲାଗୁ କରାଯାଇଛି। 

ଏନେଇ ଲାଇସେନ୍ସ କମିଟି ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଭ୍ରମାତ୍ମକ ବିଜ୍ଞାପନ ମାମଲାରେ ପତଞ୍ଜଳୀର ଦିବ୍ୟା ଫାର୍ମାସୀ କମ୍ପାନୀର ୧୪ଟି ସାମଗ୍ରୀର ଲାଇସେନ୍ସ ରଦ୍ଦ କରାଯାଇଛି ବୋଲି ସତ୍ୟପାଠରେ କୁହାଯାଇଛି। ଦିବ୍ୟ ଫାର୍ମାସୀର ବ୍ୟାନ୍ କରାଯାଇଥିବା ପ୍ରଡକ୍ଟଗୁଡ଼ିକ ହେଲା-ଦୃଷ୍ଟି ଆଇ ଡ୍ରପ୍, ସ୍ୱାସରି ଗୋଲ୍ଡ, ସ୍ୱାସରି ଭଟି, ବ୍ରୋଙ୍କୋମ ସ୍ୱାସରି ପ୍ରବାହୀ, ସ୍ୱାସରୀ ଅବଲେହ,ମୁକ୍ତା ଭଟି ଏକ୍ସଟ୍ରା ପାୱର, ଲିପିଡୋମ, ବିପି ଗ୍ରିଟ୍, ମଧୁଗ୍ରିଟ, ମଧୁନାଶିନି ଭଟି ଏକ୍ସଟ୍ରା ପାୱାର, ଲିଭଅମ୍ରିତ ଆଡ୍‌ଭାନ୍ସ, ଲିଭୋଗ୍ରିଟ ଏବଂ ଆଇଗ୍ରିଟ୍ ଗୋଲ୍ଡ

ଭ୍ରମିତ ବିଜ୍ଞାପନ ପାଇଁ ରାମଦେବ ଓ ତାଙ୍କ ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ପକ୍ଷରୁ ଛପାଯାଇଥିବା କ୍ଷମା ପ୍ରାର୍ଥନା ଉପରେ ସୁପ୍ରିମକୋର୍ଟ ଏପ୍ରିଲ ୩୦ରେ ଶୁଣାଣି କରିବେ। ମଙ୍ଗଳବାର ଉଭୟ ବାଳକୃଷ୍ଣ ଓ ରାମଦେବ କୋର୍ଟରେ ଉପସ୍ଥିତ ରହିବେ।

ଏହି ମାମଲାରେ ଏପ୍ରିଲ ୨୩ ତାରିଖରେ ହୋଇଥିବା ଶୁଣାଣିରେ ସୁପ୍ରିମକୋର୍ଟ ପତଞ୍ଜଳୀକୁ କଡ଼ା ଭତ୍ସନା କରିଥିଲେ। ମିଛ ବିଜ୍ଞାପନ ଦେଖାଇ ଭ୍ରମିତ କରିଥିଲେ ବି କମ୍ପାନୀ କୌଣସି ଖବରକାଗଜରେ ନିଜର କ୍ଷମା ପ୍ରାର୍ଥନା ବଡ଼ କରି ଛାପି ନଥିବାରୁ ସର୍ବୋଚ୍ଚ ଅଦାଲତ କମ୍ପାନୀକୁ ସମାଲୋଚନା କରିଥିଲେ। ପତଞ୍ଜଳୀ ଯେମିତି ମିଛ ବିଜ୍ଞାପନ ଦେଖାଇବା ପାଇଁ ଫୁଲ୍ ପେଜ୍‌ରେ ବିଜ୍ଞାପନ ଦେଉଛି ସେହିଭଳି ଫୁଲ୍‌ ପେଜ୍‌ରେ କ୍ଷମା ପ୍ରାର୍ଥନା କରିଥିଲା କି ବୋଲି କୋର୍ଟ ପ୍ରଶ୍ନ କରିଥିଲେ।

ପତଞ୍ଜଳି ୬୭ଟି ଖବରକାଗଜରେ କ୍ଷମା ପ୍ରାର୍ଥନା କରିଥିବା କୋର୍ଟରେ ସ୍ୱୀକାର କରିଥିଲା। ଏବଂ କମ୍ପାନୀ ଅଦାଲତଙ୍କର ସମ୍ମାନ କରୁଛି। ଏଭଳି ଭୁଲ ଆଉ ହେବନାହିଁ ବୋଲି କମ୍ପାନୀ ଜୋର୍ ଦେଇ କହିଥିଲା। ତେବେ କୋର୍ଟଙ୍କ ନିର୍ଦ୍ଦେଶ ପରେ ପତଞ୍ଜଳି ପୁଣି ଖବରକାଗଜରେ କ୍ଷମାପ୍ରାର୍ଥନା ଛାପିଥିଲା। ତେବେ ପୂର୍ବ ଅପେକ୍ଷା ଏଥର ବଡ଼ କ୍ଷମାପ୍ରାର୍ଥନା ଛାପିଥିଲା।

ଏହା ପୂର୍ବରୁ ରାମଦେବ ଓ ବାଳକୃଷ୍ଣ ମହାମାରୀ ସମୟରେ ପତଞ୍ଜଳୀ କୋରୋନୀଲ ଭଳି ନିଜର ସାମଗ୍ରୀ କରିଥିବା ଦାବିକୁ ନେଇ କୋର୍ଟଙ୍କ ଆଗରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ। ଏହାପରେ କୋର୍ଟ ପତଞ୍ଜଳିକୁ ନିଜ ସାମଗ୍ରୀର ବିଜ୍ଞାପନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।  

ନଭେମ୍ବର ୨୦୨୩ ରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ଦ୍ୱାରା ଆବେଦନ କରାଯାଇଥିବା ଏକ ପିଟିସନର ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ ପତଞ୍ଜଳିଙ୍କୁ ଏହାର ସାମଗ୍ରୀର ବିଜ୍ଞାପନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯେଉଁଥିରେ ଡ୍ରଗ୍ ଏବଂ ମ୍ୟାଜିକ୍ ରିମେ଼ଡିଜ୍ (ଆପତ୍ତିଜନକ ବିଜ୍ଞାପନ) ଅଧିନିୟମ, ୧୯୫୪ ରେ ନିର୍ଦ୍ଦିଷ୍ଟ ରୋଗ ଏବଂ ବ୍ୟାଧିର ଚିକିତ୍ସା କରାଯାଇଥିବା ଦାବି କରାଯାଇଛି। ଆଧୁନିକ ଔଷଧକୁ ସମାଲୋଚନା କରିବାରୁ ରାମଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମଏ) ଦାବି କରିଛି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.