୧୦୨ ଲୋକସଭା ଆସନରେ ୬୮% ମତଦାନ, ଇଭିଏମରେ ସିଲ୍ ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ

Published By : Prameya-News7 Bureau | April 20, 2024 IST

ନୂଆଦିଲ୍ଲୀ, ୨୦/୪: ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ । ଇଭିଏମରେ ସିଲ୍‌ ହୋଇଛି ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ । ଜୁନ ୪ ତାରିଖରେ ଆସିବ ରେଜଲ୍ଟ । ପ୍ରଥମ ଚରଣରେ ୨୧ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ଭୋଟ ଗ୍ରହଣ କରାଯାଇଛି । ସନ୍ଧ୍ୟା ସାଢ଼େ ୬ଟାରେ ଭୋଟିଂ ଶେଷ ହୋଇଥିଲା । ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ ୧୦୨ ଆସନରେ ୬୮ % ମତଦାନ ହୋଇଛି । ତ୍ରିପୁରାରେ ସର୍ବାଧିକ ୭୯.୯% ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ସେହିପରି ବିହାରରେ ସର୍ବନିମ୍ନ ୪୮.୨୩% ଭୋଟିଂ ହୋଇଛି । 

ହିଂସା ପ୍ରଭାବିତ ମଣିପୁରରେ ୬୮.୬୨% ଏବଂ ପଶ୍ଚିମବଙ୍ଗରେ ୭୭.୫୭% ମତଦାନ ହୋଇଛି । ଭୋଟ୍ ଗ୍ରହଣବେଳେ ମଣିପୁରର ବିଷ୍ଣୁପୁରରେ ଗୁଳିକାଣ୍ଡ, ପଶ୍ଚିମବଙ୍ଗର କୁଚବିହାରରେ ହିଂସା ଏବଂ ଛତିଶଗଡ଼ର ବିଜାପୁରରେ ଗ୍ରେନେଡ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଜଣେ ଯବାନ୍‌ ସହିଦ୍‌ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି । ସେହିପରି ମଣିପୁରର ଦୁଇ ଲୋକସଭା ଆସନରେ ଭୋଟିଂ ହୋଇଥିଲେ ହେଁ ହିଂସା ପାଇଁ ଆସନ୍ତା ୨୬ ତାରିଖରେ କେତେକ ଅଞ୍ଚଳରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟରେ ଥିବା ମୋଟ୍ ୧,୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଯାଇଛି । 

ପ୍ରଥମ ପର୍ଯ୍ୟାୟରେ ତାମିଲନାଡ଼ୁର ସମସ୍ତ ୩୯, ଉତ୍ତରାଖଣ୍ଡର ୫, ଅରୁଣାଚଳ ପ୍ରଦେଶର ୨, ମେଘାଳୟର ୨, ଆଣ୍ଡାମାନ୍‌ ନିକୋବର, ମିଜେରାମ, ନାଗାଲାଣ୍ଡ, ପୁଡ଼ୁଚେରୀ, ସିକ୍କିମ ଏବଂ ଲାକ୍ଷାଦ୍ୱୀପର ଗୋଟିଏ ଲେଖାଏଁ ଆସନରେ ଭୋଟ ଗ୍ରହଣ ହୋଇଥିଲା । ଏଥିସହ ରାଜସ୍ଥାନର ୧୨, ଉତ୍ତରପ୍ରଦେଶର ୮, ମଧ୍ୟପ୍ରଦେଶର ୬, ଆସାମ ଓ ମହାରାଷ୍ଟ୍ରର ୫ ଲେଖାଏ, ବିହାରର ୪, ପଶ୍ଚିମବଙ୍ଗର ୩, ମଣିପୁରର ୨ ଏବଂ ତ୍ରିପୁରା, ଜମ୍ମୁ-କାଶ୍ମୀର ଓ ଛତିଶଗଡ଼ର ଗୋଟିଏ ଲେଖାଏ ଆସନରେ ମତଦାନ ହୋଇଛି । 

ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୮୯ ଲୋକସଭା ଆସନରେ ମତଦାନ ହେବ । ପରେ ମେ’ ୭, ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍‌ ୧ରେ ପରବର୍ତ୍ତୀ ପର୍ଯ୍ୟାୟ ନିର୍ବାଚନ ହେବ । ଜୁନ୍‌ ୪ ତାରିଖରେ ରେଜଲ୍ଟ ଆସିବ ।

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.