LIVE TV

ତ୍ରିପୁରାରେ ୩ ସନ୍ଦିଗ୍ଧ ପଶୁ ଚୋରଙ୍କ ହତ୍ୟାକୁ ନେଇ ବାଂଲାଦେଶର ବିରୋଧ,ପ୍ରତିକ୍ରିୟା ରଖିଲା ଭାରତ

NEWS7
kolkata-majorhat-flyover-collapsed-5-dies

ନୂଆଦିଲ୍ଲୀ ୧୭।୧୦:  ବାଂଲାଦେଶ ସୀମାବର୍ତ୍ତି ତ୍ରିପୁରା ବିଦ୍ୟାବିଲ ଗାଁରେ ୩ ବାଂଲାଦେଶୀ ନାଗରିକଙ୍କ ମୃତ୍ୟୁରେ ବାଂଲାଦେଶର ବିରୋଧକୁ ଭାରତ ଅଧିକାରୀକ ରୂପେ ସମ୍ବୋଧିତ କରିଛି। ଏହି ଘଟଣା ୧୫ ଅକ୍ଟୋବର ବୁଧବାରର, ଯେତେବେଳେ ୩ ଜଣ ବାଂଲାଦେଶୀ ଭାରତୀୟ ସୀମାକୁ ଅନୁପ୍ରବେଶ କରି ଗାଈ ଚୋରି କରିବାକୁ ଉଦ୍ୟମ କରୁଥିଲେ। ଏ ନେଇ ସ୍ଥାନୀୟ ଲୋକଙ୍କ ସନ୍ଦେହ ହେବାରୁ ଘେରି ଯାଇଥିଲେ। ବାଂଲାଦେଶୀ ନାଗରିକ ଏଥିରେ ଗ୍ରାମବାସୀଙ୍କୁ  ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏଣୁ ଲୋକେ ସେମାନଙ୍କୁ ପିଟିପିଟି ମାରି ଦେଇଛନ୍ତି।

ଏହି ଘଟଣାକୁ ନେଇ ବାଂଲାଦେଶ ସରକାର ଆପତ୍ତି କରିଛନ୍ତି। ଢାକା ଏହି ଘଟଣାକୁ ନିନ୍ଦା କରି ଏହାକୁ ‘କୃର’ ଓ ‘ଅମାନବୀୟ’  ବୋଲି କହିବା ସହିତ ମାମଲାର ତତ୍କାଳ ଯାଞ୍ଚ ଦାବି କରିଛି। ତେବେ ଭାରତ ପକ୍ଷରୁ ଘଟଣାର ଅଧିକାରୀକ ପୁଷ୍ଟି କରାଯିବା ପରେ ମଧ୍ୟ ବାଂଲାଦେଶ ଏପରି ଘଟଣା ଯେପରି ପରେ ନଘଟେ ତାହା ସୁନିଶ୍ଚିତ କରିବାକୁ କହିଛି। ଏଥିରେ ଭାରତର ବିଦେଶମନ୍ତ୍ରାଳୟ (ଏମଇଏ) କହିଛନ୍ତି ଯେ ଏହି ଘଟଣା ଭାରତୀୟ ସୀମାର ୩ କିଲୋମିଟର ଭିତରେ ହୋଇଛି ଓ ଏଥିରେ ପଶୁ ଚୋରାଇବାକୁ ଆସିଥିବା ଲୋକେ ସାମିଲ ଥିଲେ।

ଭାରତ ସ୍ପଷ୍ଟ କରିଛି ଯେ ସନ୍ଦିଗ୍ଧମାନେ ଲୁହା ଛଡ ଓ ଧାରୁଆ ଅସ୍ତ୍ରରେ ସ୍ଥାନୀୟ ଲୋକଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ଜଣେ ଗ୍ରାମୀଣ ପ୍ରାଣ ହରାଇବା ଯୋଗୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା ଓ ଲୋକେ ଚୋରଙ୍କୁ ପିଟିଥିଲେ। ଏଥିରେ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ପ୍ରାଣ ହରାଇଛି। ଏଥିରେ ଭାରତ ଜୋର ଦେଇ କହିଛି ଯେ ସୀମାରେ ପଶୁ ତସ୍କରୀ ଓ ଅବୈଧ ଅନୁପ୍ରବେଶ ଏହି ଅଞ୍ଚଳର ସମସ୍ୟା। ଏଣୁ ଭାରତ ସରକାର ବାଂଲାଦେଶକୁ ସୀମା ସୁରକ୍ଷାକୁ ମଜଭୁତ କରିବାକୁ ଓ ଭବିଷ୍ୟତରେ ଯେପରି ଏପରି ଘଟଣାର ପୁନରାବୃତ୍ତି ନ ହୁଏ ସେଥି ପାଇଁ ବାଡ଼ ଲଗାଇବା କାମରେ ସହଯୋଗ କରିବାକୁ ପରାମର୍ଶ ଦେଇଛି।

ତେବେ ମାମଲାରେ ତ୍ରିପୁରା ଅଧିକାରୀମାନେ ଯାଞ୍ଚ ଆରମ୍ଭ କରିଥିବା ବେଳେ ମୃତ ବାଂଲାଦେଶୀଙ୍କ ଶବ ସେମାନଙ୍କ ଦେଶକୁ ହସ୍ତାନ୍ତର କରିଦିଆଯାଇଛି। ଏପରି ଘଟଣା ଦୁଇ ଦେଶ ମଧ୍ୟରେ ୮୫୬ କିଲୋମିଟର ଦୀର୍ଘ ସୀମାରେ ଅନେକ ସମୟରୁ ଚାଲି ଆସୁଛି। ଏହି ବାଟ ଦେଇ ତସ୍କରୀ, ଅବୈଧ ସୀମା ପାର ଓ ଅନ୍ୟ ସୀମା ଉଲ୍ଲଂଘନ ସାଧାରଣ ଘଟଣାରେ ପରିଣତ ହୋଇଛି। ଏଣୁ ଉଭୟ ସରକାର ଏଭଳି ଘଟଣା ରୋକିବା ପାଇଁ ଅଧିକ ପ୍ରଭାବୀ କାର୍ଯ୍ୟାନୁଷ୍ଠାନ କରିବାକୁ ପଦକ୍ଷେପ ନେଇଛନ୍ତି।