ଆଗେଇଲା ‘ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା’, ୪ ବର୍ଷରେ ବୁଲିବେ ୧.୨ ଲକ୍ଷ ତୀର୍ଥଯାତ୍ରୀ

NEWS7
four-dead-body-found-from-closed-house-in-sundergarh

ଭୁବନେଶ୍ୱର ୧୬।୧୨: ବହୁ ପ୍ରତୀକ୍ଷିତ ଶ୍ରୀଜଗ୍ନନାଥ ଦର୍ଶନ ଯୋଜନା (ଏସ୍ଜେଡିୱାଇ) ଆଗେଇଛି । ଖୁବ୍ ଶୀଘ୍ର ଓଡିଶାର କୋଣ ଅନୁକୋଣରୁ ଗରିବ ଭକ୍ତମାନେ ଶ୍ରୀକ୍ଷେତ୍ର ଭ୍ରମଣରେ ବାହାରିବେ। ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆରଟିସି) ପକ୍ଷରୁ ଯୋଜନାକୁ ବାସ୍ତବ ରୂପରେଖ ଦେବା ପାଇଁ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ଖୋଜାଚାଲିଛି ।

ଏମିତି ଅନେକ ଗରିବ ଶ୍ରେଣୀୟ ଲୋକ ଅଛନ୍ତି, ଯେଉଁମାନେ କି ଜୀବନକାଳରେ ଥରଟିଏ ବି ଶ୍ରୀକ୍ଷେତ୍ର ବୁଲିନାହାନ୍ତି । ସେମାନଙ୍କ ଭାଗ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଜୁଟିନାହିଁ । ଗତ ବଜେଟ୍ ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନାର ଘୋଷଣା କରିଥିଲେ । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଏହାର ଦାୟିତ୍ୱ ମୁଣ୍ଡାଇଛି । ଓଟିଡିସି ଦ୍ୱାରା ଅନୁବନ୍ଧିତ ହୋଇଥିବା ୧୫ଟି ଏଜେନ୍ସି ହିଁ ଏହି ଯୋଜନାର ଇଭେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସି ପାଇଁ ଆବେଦନ କରିପାରିବେ । ଆସନ୍ତା ୨୦ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ।

ଚଳିତବର୍ଷଠାରୁ ୨୦୨୮-୨୯ ଯାଏଁ ଯୋଜନା ଚାଲିବ । ୪ ବର୍ଷରେ ୧.୨୦ ଲକ୍ଷ ରାଜ୍ୟବାସୀଙ୍କୁ ଜଗନ୍ନାଥଧାମ ଦର୍ଶନ କରାଇବାକୁ ଟାର୍ଗେଟ ରଖାଯାଇଛି । ଜିଲ୍ଲା ଓ ବ୍ଲକସ୍ତରରେ ଏକ ଡେସ୍କ ସ୍ଥାପନ ହେବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଗରିବଶ୍ରେଣୀୟ, ୫୦ ବର୍ଷରୁ ଅଧିକ ବୟସ୍କ ଓ ବିଧବାମାନଙ୍କୁ ହିଁ ତୀର୍ଥଯାତ୍ରୀ ଭାବେ ଚୟନ କରାଯିବ । ପୁରୀ ଅଭିମୁଖେ ବାହାରିବା ପୂର୍ବରୁ ତୀର୍ଥଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଯାତ୍ରା ପୂର୍ବରୁ ସେମାନଙ୍କୁ ଟାୱେଲ, କ୍ୟାପ୍, ହାପ୍ ଜ୍ୟାକେଟ୍, ଟଏଲେଟ୍ ପାଉଚ୍, ପାଣି ବୋତଲ, ଆଇଡି କାର୍ଡ ଓ ଉତ୍ତରୀୟ ଦିଆଯିବ । ଯାତ୍ରା ବେଳେ ଜଳଖିଆ, ମଧ୍ୟାହ୍ନ ଭୋଜନ, ସ୍ନାକ୍ସ, ରାତ୍ରଭୋଜନ ଦିଆଯିବ । ମଝିରେ ସେମାନଙ୍କୁ ଚାହା ମଧ୍ୟ ବଣ୍ଟାଯିବ । ଯାତ୍ରା ମଝିରେ ଆବଶ୍ୟକ ପଡି଼ଲେ ଅସ୍ଥାୟୀ ଟ୍ରାନଜିଟ୍ କ୍ୟାମ୍ପ କରାଯିବ । ସେଠାରେ ଚେୟାର ଟେବୁଲ, କାରପେଟ୍/ ମ୍ୟାଟ୍, ସାଉଣ୍ଡ ସିଷ୍ଟମ, ଲାଇଟ ସିଷ୍ଟମ, ପ୍ୟାନ, ଆଶ୍ରୟସ୍ଥଳୀ (ପୁରୁଷ ଓ ମହିଳା)ର ବ୍ୟବସ୍ଥା ରହିବ । ତୀର୍ଥଯାତ୍ରୀଙ୍କ ସମସ୍ତ ସୁବିଧାର ଧ୍ୟାନ ରଖିବା ପାଇଁ ପ୍ରତି ବସ୍ରେ ଜଣେ ଲେଖାଏଁ ସହଯୋଗୀ କର୍ମଚାରୀ ଓ ସ୍ୱେଚ୍ଛାସେବୀ ରହିବେ। ପୁରୀରେ ମଧ୍ୟ ଏକ ସହାୟତା ଡେସ୍କ ସ୍ଥାପନ ହେବ। ପାର୍କିଂସ୍ଥଳରେ ଓଏସ୍ଆର୍ଟିସି ବସ୍ ରହିବ। ସେଠାରୁ ଇ-ରିକ୍ସା, ଇ-ବସ୍ କିମ୍ବା ଅଟୋରିକ୍ସା ଯୋଗେ ତୀର୍ଥଯାତ୍ରୀଙ୍କୁ ମନ୍ଦିର ଯାଏ ନିଆଯିବ। ସେଠାରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହ ଅଭଢ଼ା ସେବନ କରିବେ। ଏହାବାଦ୍ ଗେଷ୍ଟ ହାଉସ୍/ଧର୍ମଶାଳା/ହୋଟେଲରେ ୬-୧୨ ଘଣ୍ଟା ରହଣି ପାଇଁ ମଧ୍ୟ ବ୍ୟବସ୍ଥା ରହିଛି।