ଦିଲ୍ଲୀ ଅବକାରୀ ନୀତି ମାମଲା; ଏପ୍ରିଲ୍ ୧୮ ଯାଏଁ ରିମାଣ୍ଡରେ ଗଲେ ଚରଣପ୍ରୀତ୍ ସିଂହ

Published By : Prameya-News7 Bureau | April 16, 2024 IST

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଘୋଟାଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚରଣପ୍ରୀତ୍ ସିଂହଙ୍କୁ ଗିରଫ କରିଛି । ଏହି ମାମଲାରେ ଇଡି ଏପର୍ଯ୍ୟନ୍ତ ୧୭ଜଣଙ୍କୁ ବାନ୍ଧିଛି । ୨୦୨୨ରେ ଗୋଆ ବିଧାନସଭା ନିର୍ବାଚନ ବେଳେ ପ୍ରଚାର ପାଇଁ ଚରଣପ୍ରୀତ୍ ସିଂହ ଆମ୍ ଆଦମୀ ପାର୍ଟିକୁ ଟଙ୍କା ଦେଇଥିବା ନେଇ ଇଡି ଅଭିଯୋଗ କରିଛି । ସେପଟେ ଆପ୍ କହିଛି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଯାଞ୍ଚ ରାଜନୀତିକୁ ନେଇ ପ୍ରେରିତ ଏବଂ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିକୁ ଏହି ମାମଲାରେ ଏଯାଏଁ ଟଙ୍କାଟିଏ ବି ମିଳିନାହିଁ । 

ସୂଚନା ଅନୁଯାୟୀ, ଯାଞ୍ଚ ଏଜେନ୍ସି ଚରଣପ୍ରୀତ୍ ସିଂହଙ୍କୁ ଅପ୍ରେଲ୍ ୧୨ ତାରିଖରେ ପିଏମଏଲଏ ଧାରା ଆଧାରରେ ହେପାଜତକୁ ନେଇଥିଲା ଏବଂ ପର ଦିନ ବିଶେଷ କୋର୍ଟରେ ହାଜର କରିଥିଲା । ଚରଣପ୍ରୀତ୍ ସିଂହଙ୍କୁ କୋର୍ଟ ଏପ୍ରିଲ୍ ୧୮ ତାରିଖ ଯାଏଁ ଇଡି ରିମାଣ୍ଡକୁ ପଠାଇଠଛନ୍ତି ।   

ଦିଲ୍ଲୀ ଅବକାରୀ ନୀତି ଘୋଟାଲାରେ ଏହା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିଛି । ତାଙ୍କ ପୂର୍ବରୁ ଇଡି ଦିଲ୍ଲୀ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିଷୋଦିଆ, ବିଆରଏସ ନେତ୍ରୀ କେ. କବିତା ଏବଂ ଏଥିରେ କିଛି ଅନ୍ୟ ଲୋକଙ୍କ ମଧ୍ୟ ଗିରଫ ହୋଇଛନ୍ତି ।  

ଚରଣପ୍ରୀତ୍ ସିଂହଙ୍କୁ ଏହି ମାମଲାରେ ପୂର୍ବରୁ ସିବିଆଇ ମଧ୍ୟ ଗିରଫ କରିଥିଲା । ମନିଲଣ୍ଡ୍ରିଂ ମାମଲା ସିବିଆଇ ଏଫଆଇଆରରେ ମଧ୍ୟ ରହିଛି । କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଇଡି କୋର୍ଟରେ କହିଛି, ଚରଣପ୍ରୀତ୍ ସିଂହ ଗୋଆ ବିଧାନସଭା ନିର୍ବାଚନ ବେଳେ ଆମ୍ ଆଦମୀ ପାର୍ଟିକୁ ନଗଦ ଟଙ୍କାର ବ୍ୟବସ୍ଥା କରିବା ସହିତ ପ୍ରଦାନ କରିଥିଲେ ।

 

  • delhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.