୨୪ ଘଣ୍ଟାରେ ଆମେଥି ଓ ରାୟବରେଲୀକୁ ନେଇ ହେବ ନିଷ୍ପତ୍ତି: କଂଗ୍ରେସ୍

Published By : Prameya-News7 Bureau | May 01, 2024 IST

ନୂଆଦିଲ୍ଲୀ ୧।୫: ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ନିମନ୍ତେ ଏବେ ସାରା ଦେଶରେ ପ୍ରଚାର ଚାଲିଛି। ଏ ସବୁ ମଧ୍ୟରେ ଦେଶର ଜନତା ଖାସ କରି ଆମେଥି ଓ ରାୟବରେଲୀ ଜନତାଙ୍କ ନଜର ଏବେ କଂଗ୍ରେସ ହାଇକମାଣ୍ଡଙ୍କ ଉପରେ। କଂଗ୍ରେସ ଏବେ ଆମେଥି ଓ ରାୟବରେଲୀ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିବ। ଏହି ଦୁଇ ଆସନକୁ ଗତ କେତେ ଦଶନ୍ଧୀ ହେଲା କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ଆସନ ହୋଇ ରହିଛି। ଏଥିରେ ପାର୍ଟିର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ ଆମେଥି ଓ ରାୟବରେଲୀରେ କଂଗ୍ରେସର ପ୍ରାର୍ଥୀ କିଏ ହେବ ତାହା ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସ୍ଥିର କରିବେ ଓ ଏହାର ଘୋଷଣା ଆଗାମୀ ୨୪ ଘଣ୍ଟାରେ ହୋଇଯିବ। 

ଉଲ୍ଲେଖଯୋଗ୍ୟ ଯେ ଆମେଥି ଓ ରାୟବରେଲୀରେ କଂଗ୍ରେସ କାହାକୁ ନିଜର ପ୍ରାର୍ଥୀ କରିବ ଏହାକୁ ନେଇ ଗତ କିଛି ଦିନ ହେଲା ଚର୍ଚ୍ଚା ଜୋର ଧରିଛି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ପାର୍ଟି ଏଥର ରାୟବରେଲୀରେ ରାହୁଲ ଗାନ୍ଧିଙ୍କୁ ପ୍ରାର୍ଥୀ କରିବାକୁ ବିଚାର କରୁଛି। ତେବେ ପ୍ରିୟଙ୍କା ଗାନ୍ଧି ଆଉ କିଛି ସମୟ ସକ୍ରିୟ ରାଜନୀତିରୁ  ନିଜକୁ ଦୂରରେ ରଖି ପାରନ୍ତି। ତେବେ କଂଗ୍ରେସ ହାଇକମାଣ୍ଡଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଏପରି କୌଣସି ଔପଚାରିକ ଘୋଷଣା କରାଯାଇ ନାହିଁ। 

ଉଲ୍ଲେଖଯୋଗ୍ୟ ଯେ ରାହୁଲ ଗାନ୍ଧି ଏବେ କେରଳର ୱାଇନାଡରୁ କଂଗ୍ରେସ ସାଂସଦ ଅଛନ୍ତି। ଜୟରାମ ରମେତ କଂଗ୍ରେସ ନିର୍ବାଚନ ଇସ୍ତାହାର ‘ନ୍ୟାୟ ପତ୍ର’ ଉପରେ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ ଆଜି ଶ୍ରମିକ ଦିବସ। ଆମେ ଆମର ନ୍ୟାୟ ପତ୍ରରେ ମନରେଗା ପାରିଶ୍ରମିକ ଅନୁନ୍ୟ ୪୦୦ ଟଙ୍କା କରିବାକୁ ଘୋଷଣା କରିଛୁ। କେବଳ ଏତିକି ନୁହେଁ ଶ୍ରମିକମାନଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଜନା ମଧ୍ୟ ଯୋଗାଇ ଦିଆଯିବ। 

ସେ କହିଛନ୍ତି ଯେ ଯେପରି ୨୦୦୬ ମସିହାରେ ମନରେଗା ଗୃହୀତ କରାଯାଇଥିଲା ଠିକ୍ ସେହିପରି କଂଗ୍ରେସ ଦେଶରେ ସହରୀ ରୋଜଗାର ଆଇନ ପ୍ରଣୟନ କରିବ। ଅଣସଂଗଠିତ କ୍ଷେତ୍ର ନିମନ୍ତେ ସାମାଜିକ ସୁରକ୍ଷା ଆଇନ ଅଣାଯିବ। ଦେଶରେ ରୋଜଗାର ସୁରକ୍ଷିତ ଓ ସୁନିଶ୍ଚିତ ହେବାକୁ ଥିବା ବେଳେ କଣ୍ଟ୍ରାକ୍ଟ ସିଷ୍ଟମକୁ ନିଷିଦ୍ଧ କରାଯିବ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.