ଆଉ ମାତ୍ର ୧୫ ଦିନ ପରେ ଆସିବ ମୌସୁମୀ: ଏଥର ଗୋଟିଏ ଦିନ ପୂର୍ବରୁ କେରଳ ଛୁଇଁବ

Published By : Prameya-News7 Bureau | May 15, 2024 IST

indiatoday

ନୂଆଦିଲ୍ଲୀ: ଆଉ ମାତ୍ର ୧୫ ଦିନ ପରେ ଆସିବ ମୌସୁମୀ। ମେ ୩୧ ତାରିଖରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମମୌସୁମୀ ବାୟୁ। ଜଳବାୟୁ ପରିବର୍ତ୍ତନ ଅନୁସାରେ, ବୁଧବାର ଏହି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ମୌସୁମୀ ବାୟୁ ଛୁଇଁବାର ପ୍ରକ୍ରିୟା ମେ ୨୭ ତାରିଖରୁ  ଜୁନ ୪ ତାରିଖ ମଧ୍ୟରେ ଆରମ୍ଭ ହୋଇପାରେ। ସାଧାରଣତଃ ଜୁନ ୧ ତାରିଖରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥାଏ। ତେବେ ଏଥର ମେ ୩୧ ତାରିଖରେ ମୌସୁମୀ ଆସିବା ଶୀଘ୍ର ନୁହେଁ, ଏହା ସାଧାରଣ ତାରିଖ ଠାରୁ ଟିକେ ପୂର୍ବରୁ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। 

ସାଧାରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନରୁ ଆରମ୍ଭ ହୋଇ ସେପ୍ଟେମ୍ବରରେ ବିଦାୟ ନିଏ। ତେବେ ଏଥର ମୌସୁମୀ ସମୟରେ ସାଧାରଣ ଠାରୁ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ଗତବର୍ଷ ଜୁନ ୮ ତାରିଖରେ ମୌସୁମୀ ବାୟୁ କେରଳ ଛୁଇଁଥିଲା। ଅନୁମାନ ତାରିଖ ଠାରୁ ୪ ଦିନ ବିଳମ୍ବରେ ଆସିଥିଲା। 

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ମେ ୧୯ ତାରିଖରେ ମୌସୁମୀ ବାୟୁ ଆଣ୍ଡାମାନ ନିକୋବରରେ ପହଞ୍ଚିବାର ସମ୍ଭାବନା ରହିଛି। ଏହାପରେ ମୌସୁମୀ ଦେଶର ଅନ୍ୟାନ୍ୟ ସ୍ଥାନକୁ ଗତ କରିବ। ଦେଶରେ ଖରିଫ ଫସଲ ପାଇଁ ଜୁନ ଜୁଲାଇ ଗୁରୁତ୍ୱପୂର୍ଣ୍ଣ ମାସ ହୋଇଥାଏ। ତେଣୁ ଏହି ସମୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବର୍ଷା ଆଣିଥାଏ। 

ସୂଚନା ଥାଉକି, ଗତ ୧୯ ବର୍ଷ ଧରି ଭାରତୀୟ ପାଣିପାଗ ବିଭାଗ ମୌସୁମୀ ପୂର୍ବାନୁମାନ କରି ଆସୁଛି। ଆଇଏମ୍‌ଡି ଅନୁଯାୟୀ, ୨୦୧୫କୁ ଛାଡ଼ି ଦେଲେ ୨୦୦୫ ରୁ ୨୦୨୩ ପର୍ଯ୍ୟନ୍ତ ବିଭାଗର ପୂର୍ବାନୁମାନ ସଠିକ୍ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.