ଆମେ କେନ୍ଦ୍ରରେ ସରକାର ଗଢ଼ିବା ପାଇଁ INDIA ମେଣ୍ଟକୁ ବାହାରୁ ଦେବୁ ସମର୍ଥନ: ମମତା ବାନାର୍ଜୀ

Published By : Prameya-News7 Bureau | May 15, 2024 IST

କୋଲକାତା ୧୫।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ରରେ ‘ଇଣ୍ଡିଆ’ ମେଣ୍ଟର ସରକାର ନିମନ୍ତେ ତୃଣମୂଳ କଂଗ୍ରେସ ବାହାରୁ ସମର୍ଥନ ଦେବ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ବିଜେପି ୪୦୦ ସିଟ୍ ଜିତିବାର ଦାବି କରୁଛି, କିନ୍ତୁ ଲୋକେ କହୁଛନ୍ତି ଏଥର ଏମିତି ହେବ ନାହିଁ। ମମତା ବୁଧବାର ହୁଗଳି ଜିଲ୍ଲା ଚିନସୁରାହରେ ଅନୁଷ୍ଠିତ ନିର୍ବାଚନ ରାଲିକୁ ସମ୍ବୋଧିତ କରି ଏହା କହିଛନ୍ତି। ସେ ନିର୍ବାଚନ ଆୟୋଗ (ଇସି)ଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାମ କରୁଥିବା କାଠ କଣ୍ଢେଇ ବୋଲି କହିଛନ୍ତି। 

ନିର୍ବାଚନ ଅବଧି ଅଢେଇ ମାସ କରିବା ଯୋଗୁ ମମତା ଇସିଙ୍କୁ ସମାଲୋଚନା କରିଛନ୍ତି ଓ କହିଛନ୍ତି ଅତ୍ୟଧିକ ଗ୍ରୀଷ୍ମ ଯୋଗୁ ସାଧାରଣ ଲୋକଙ୍କୁ ହେଉଥିବା ସମସ୍ୟାକୁ ଅଣଦେଖା କରି ପ୍ରଧାନମନ୍ତ୍ରୀଙ୍କ ସୁବିଧା ଅନୁସାରେ ବିଜେପିକୁ ସୁହାଇବା ଭଳି ଇସି ନିର୍ବାଚନ କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି। ଦେଶରେ ଆଗରୁ କେବେ ବି ସାଧାରଣ ନିର୍ବାଚନ ଏତେ ସମୟ ଧରି ହୋଇନଥିବା କହିଛନ୍ତି। ମମତା ବାନାର୍ଜୀ ବେଙ୍ଗଲରେ ସଂଶୋଧିତ ନାଗରିକତା ଅଧିନିୟମ (ସିଏଏ), ଜାତୀୟ ନାଗରିକ ପଞ୍ଜିକରଣ (ଏନଆରସି) ଓ ସମାନ ନାଗରିକ ସଂହିତା (ୟୁସିସି) ରାଜ୍ୟରେ ଲାଗୁ କରିବେ ନାହିଁ ବୋଲି ପାର୍ଟିପକ୍ଷରୁ ସ୍ପଷ୍ଟ କରିଦେଇଛନ୍ତି। 

ହୁଗୁଳିରୁ ପାର୍ଟିର ପ୍ରାର୍ଥୀ ରଚନା ବାନାର୍ଜୀଙ୍କ ନିମନ୍ତେ ପ୍ରଚାର କରି ମମତା ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାର କାଳରେ ଆୟୁଷ୍ମାନ ଭାରତ ଯୋଜନାରେ ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ନିମନ୍ତେ ଯୋଜନା ସମ୍ପ୍ରସାରଣ ଘୋଷଣା କରିଛନ୍ତି। ଏହା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କି ନୁହେଁ ବୋଲି ମମତା ପ୍ରଶ୍ନ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.