LIVE TV
LIVE TV

ପୁଟିନଙ୍କ ଭାରତ ଗସ୍ତ ପୂର୍ବରୁ ରୁଷର ବଡ଼ ଘୋଷଣା, କେବଳ ତେଲ ବିକିବନି...

NEWS7
alligation-against-that-teacher-that-see-showing-titok-video-to-student-in-pattamundai

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ଭାରତ ଗସ୍ତକୁ ଆଉ ମାତ୍ର ଦୁଇ ଦିନ ବାକି ରହିଛି । ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ଡିଲ୍ ହେବା ନେଇ ଆଶା କରାଯାଉଛି। ଆଉ ଏହାରି ମଧ୍ୟରେ ମସ୍କୋ ଏକ ବଡ଼ ଘୋଷଣା କରିଛି। ବାଣିଜ୍ୟିକ ସମ୍ପର୍କ ଏକପାଖିଆ ନକରି ଭାରତରୁ ମଧ୍ୟ ବଡ଼ ଆକାରର ଆମଦାନୀ କରିବାକୁ ନିଷ୍ପତ୍ତି ନେଇଛି ରୁଷ। ଏହାର ସିଧାସଳଖ ଅର୍ଥ ହେଲା ରୁଷ, ଭାରତୀୟ ସାମଗ୍ରୀ ଏବଂ ସେବା ପାଇଁ ଏହାର ବଜାର ଖୋଲିବାକୁ ଯାଉଛି।

କ୍ରେମଲିନ ପ୍ରବକ୍ତା ଦିମିତ୍ରୀ ପେସକୋଭ ମଙ୍ଗଳବାର ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି, ଏବେ ବାଣିଜ୍ୟିକ ଲାଭ ରୁଷକୁ ବେଶ ଭଲ ମିଳୁଛି। କାରଣ ରୁଷ ଭାରତକୁ ବଡ଼ ଆକାରରେ ତେଲ ଏବଂ ଅନ୍ୟାନ୍ୟ ଶକ୍ତି ସଂଶାଧନ ବିକ୍ରି କରୁଛି। କିନ୍ତୁ ଭାରତରୁ ସାମଗ୍ରୀ କମ୍ କ୍ରୟ କରୁଛି। ପେସକୋଭ କହିଛନ୍ତି ‘ଆମେ ଜାଣିଛୁ ଯେ, ଆମେ ଭାରତରୁ ଯେତେ କିଣୁଛୁ, ତାହା ଠାରୁ ବହୁତ ଅଧିକ ବିକ୍ରି କରୁଛୁ। ଆଉ ଆମ ଭାରତୀୟ ବନ୍ଧୁ ଏହାକୁ ନେଇ ଚିନ୍ତିତ।’’

‘‘ଏହି ଚିନ୍ତାକୁ ଦୂର କରିବା ପାଇଁ ରୁଷ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତ ସମୟରେ ଏକ ସ୍ବତନ୍ତ୍ର ‘ଇମ୍ପୋର୍ଟର୍ସ ଫୋରମ’ର ଆୟୋଜନ କରାଯିବ। ଏହାର ମୁଖ୍ୟ ଉଦ୍ଦେଶ୍ୟ ସେହି ସବୁ ବାଣିଜ୍ୟିକ ଉପାୟ ଖୋଜିବା ଯାହାଦ୍ବାରା ରୁଷ ଭାରତଠାରୁ ଅଧିକରୁ ଅଧିକ ସାମଗ୍ରୀ ଏବଂ ସେବା କିଣିପାରିବ।’’ ଅବଶ୍ୟ ପେସକୋଭ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ତେଲ ବ୍ୟବସାୟର ମାତ୍ରାରେ ସାମୟିକ ଭାବରେ କିଛି ହ୍ରାସ ହୋଇପାରେ। କିନ୍ତୁ ଶକ୍ତି କ୍ଷେତ୍ରରେ ରୁଷ ଭାରତର ପ୍ରମୁଖ ସାଥୀ ହୋଇ ରହିବ।’’

ଡଲାର ଉପରେ ନିର୍ଭରତା କମିବ, ନିଜ କରେନ୍ସୀରେ ବଢ଼ିବ ଭାଗୀଦାରୀ

ବୈଶ୍ବିକ ଅନିଶ୍ଚିତତା ମଧ୍ୟରେ ଭାରତ ଏବଂ ରୁଷ ନିଜ ବ୍ୟବସାୟକୁ ସୁରକ୍ଷିତ ରଖିବାର ଏକ ମଜଭୁତ ଉପାୟ ବାହର କରିଛନ୍ତି। ପେସକୋଭ କହିଛନ୍ତି ଦୁଇ ଦେଶ ମଧ୍ୟରେ ଏବେ ପ୍ରାୟ ସବୁ ବ୍ୟବସାୟ ଜାତୀୟ ମୁଦ୍ରାରେ ହେଉଛି। ଏହି ପଦକ୍ଷେପ ଏଥିପାଇଁ ଖୁବ ମହତ୍ବପୂର୍ଣ୍ଣ କାରଣ ଏହାଦ୍ବାରା ‘ତୃତୀୟ ଦେଶ’ର ଭାରତ ଏବଂ ରୁଷର ଆର୍ଥିକ ସମ୍ପର୍କରେ କୌଣସି ସମ୍ପର୍କ ରହିବନି।

କ୍ରେମଲିନର କହିବା ଅନୁସାରେ ପେମେଣ୍ଟର ଏହି ଉପାୟ କେବଳ ବ୍ୟବସାୟକୁ ସୁରକ୍ଷିତ କରୁଛି ତାହା ନୁହେଁ, ବରଂ ଉଭୟ ଦେଶର ସାର୍ବଭୌମତ୍ବକୁ ମଧ୍ୟ ମଜଭୁତ କରୁଛି। କୌଣସି ତୃତୀୟ ଦେଶର ପ୍ରତିବନ୍ଧକ କିମ୍ବା ଚାପର ପ୍ରଭାବ ଏହା ଉପରେ ପଡ଼ିବନି। ଏହାଦ୍ବାରା ଭାରତ ରପ୍ତାନିକାରୀଙ୍କୁ ପେମେଣ୍ଟରେ ସୁରକ୍ଷା ଏବଂ ସ୍ଥାୟୀତ୍ବ ମିଳିବ।

ସୂଚନାଥାଉକି, ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣରେ ଡିସେମ୍ବର ୪ ଏବଂ ୫ ଭାରତ ଗସ୍ତରେ ଆସୁଛନ୍ତି। ସେ ୩ ତମ ଭାରତ- ରୁଷ ବାର୍ଷିକ ଶିଖର ସମ୍ମେଳନରେ ଭାଗ ନେବେ। ଏହି ସାକ୍ଷାତକାର କେବଳ ଔପଚାରିକ ନୁହେଁ ବରଂ ଦୁଇ ଦେଶ ମଧ୍ୟରେ ‘ବିଶେଷ ଏବଂ ବିଶେଷାଧିକାର ପ୍ରାପ୍ତ ରଣନୈତିକ ସହଭାଗିତା’କୁ ନୂଆ ଦିଗ ଦେବା ଉପରେ ଆଲୋଚନା ହେବ।

ରୁଷ ଭାରତକୁ ଐତିହାସିକ ଆର୍ଥିକ ବୃଦ୍ଧିର ପ୍ରଶଂସା କରି କହିଛି ଯେ, ଭାରତ ସହ କାନ୍ଧରେ କାନ୍ଧ ମିଶାଇ ଚାଲିବାରେ ଗର୍ବ ଅନୁଭବ ହେଉଛି। ଏହି ଗସ୍ତରୁ ଦ୍ବିପାକ୍ଷିକ ବାଣିଜ୍ୟ ଉପରେ ଗୁରୁତ୍ବପୂର୍ଣ୍ଣ ସହମତି ହେବ।