'ଶତପ୍ରତିଶତ ବାମପନ୍ଥୀ ମୂର୍ଖ': ନ୍ୟୁୟର୍କର ଭାରତୀୟ ବଂଶୋଦ୍ଭବ ମେୟର ପ୍ରାର୍ଥୀଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ଟ୍ରମ୍ପ

Published By : Prameya-News7 Bureau | June 26, 2025 IST

News7

ନୂଆଦିଲ୍ଲୀ: ନ୍ୟୁୟର୍କ ସହରର ମେୟର ପାଇଁ ପ୍ରାଥମିକ ନିର୍ବାଚନରେ ଜିତିଛନ୍ତି ଜୋହରାନ୍ ମାମଦାନି। ଏବେ ସେ ନଭେମ୍ବର ୪ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ହେବେ। ପ୍ରାଥମିକ ନିର୍ବାଚନରେ ୩୩ ବର୍ଷୀୟ ମମଦାନି ପୂର୍ବତନ ରାଜ୍ୟପାଳ ଆଣ୍ଡ୍ରୁ କୁମୋଙ୍କୁ ପରାସ୍ତ କରିଛନ୍ତି। ତାଙ୍କର ବିଜୟ ପରେ କ୍ଷୋଭ ପ୍ରକାଶ କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। 

ଜୋହରାନ୍ ମାମଦାନିଙ୍କ ବିଜୟ ପରେ କଡ଼ା ସମାଲୋଚନା କରିଛନ୍ତି ଟ୍ରମ୍ପ। ସେ କହିଛନ୍ତି ଯେ ଡେମୋକ୍ରାଟରେ ସୀମା ଅତିକ୍ରମ କରିଛନ୍ତି। ମମଦାନିଙ୍କୁ ଶତ ପ୍ରତିଶତ କମ୍ୟୁନିଷ୍ଟ ଏବଂ ପାଗଳ କହିଛନ୍ତି ଆମେରିକାର ରାଷ୍ଟ୍ରପତି। ଏତିକିରେ ଅଟକିନଥିଲେ ଟ୍ରମ୍ପ, ସେ ମାମଦାନିଙ୍କ ଉପରେ ଜାତିଭେଦ ମନ୍ତବ୍ୟ ମଧ୍ୟ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ସେ ଖରାପ ଦେଖାଯାଉଛନ୍ତି। ସେ ବହୁତ ସ୍ମାର୍ଟ ନୁହଁନ୍ତି। ଯେଉଁମାନେ ତାଙ୍କୁ ସମର୍ଥନ କରୁଛନ୍ତି ସେମାନେ ସମସ୍ତେ ମୂର୍ଖ। 

ଜୋହରନ୍ ମାମଦାନି କିଏ?

ଜୋହରନ୍ ମାମଦାନି ୧୮ ଅକ୍ଟୋବର ୧୯୯୧ରେ ଉଗାଣ୍ଡାର କାମ୍ପାଲାରେ ଜନ୍ମଗ୍ରହଣ କରିଥିଲେ। ସେ ନ୍ୟୁୟର୍କ ସହରରେ ବଢ଼ିଥିଲେ। ଯେତେବେଳେ ସେ ସାତ ବର୍ଷ ବୟସରେ ଥିଲେ, ସେ ତାଙ୍କ ପିତାମାତାଙ୍କ ସହିତ ନ୍ୟୁୟର୍କ ଆସିଥିଲେ। ତାଙ୍କ ପିତାଙ୍କ ନାମ ମହମ୍ମଦ ମାମଦାନି ଏବଂ ତାଙ୍କ ମାତାଙ୍କ ନାମ ମୀରା ନାୟାର। ମହମ୍ମଦ ମାମଦାନି କଲମ୍ବିଆ ବିଶ୍ୱବିଦ୍ୟାଳୟରେ ପ୍ରଫେସର। ଜୋହରନଙ୍କ ମାତା ମୀରା ନାୟାର ଭାରତର ଜଣେ ଜଣାଶୁଣା ଚଳଚ୍ଚିତ୍ର ପ୍ରଯୋଜକ ଏବଂ ନିର୍ଦ୍ଦେଶକ। ମୀରା ନାୟାର ସଲାମ୍ ବମ୍ବେ ଏବଂ ମନସୁନ୍ ୱେଡିଂ ଭଳି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ଜୋହରନ୍ ମାମଦାନି ସାଧାରଣ ଭାରତୀୟଙ୍କ ପାଇଁ ଆଗ୍ରହର କାରଣ ସେ ମୀରା ମାୟରଙ୍କ ପୁଅ। ଜୋହରନ୍ ସିରିଆନ୍ ବଂଶୋଦ୍ଭବ କଳାକାର ରାମା ଦୁୱାଜିଙ୍କୁ ବିବାହ କରିଛନ୍ତି।

ଜୋହରାନ୍ ମାମଦାନି ଡେମୋକ୍ରାଟିକ୍ ସୋସିଆଲିଷ୍ଟ ପାର୍ଟି ଟିକେଟରେ ନ୍ୟୁୟର୍କ ଷ୍ଟେଟ୍ ଆସେମ୍ବଲିର ଆଷ୍ଟୋରିଆ, କୁଇନ୍ସରୁ ୨୦୨୦ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଜିତିଥିଲେ। ଏହା ତାଙ୍କର ପ୍ରଥମ ନିର୍ବାଚନ ଥିଲା, ଯେଉଁଥିରେ ସେ ଚାରିଥର ବିଧାୟକ ଆରାଭେଲା ସିମୋଟାସଙ୍କୁ ପରାସ୍ତ କରିଥିଲେ। ଏହି ବିଜୟ ସହିତ ମାମଦାନି ନ୍ୟୁୟର୍କ ଷ୍ଟେଟ୍ ଆସେମ୍ବଲିରେ ପ୍ରଥମ ଦକ୍ଷିଣ ଏସୀୟ ଏବଂ ପ୍ରଥମ ସମାଜବାଦୀ ପ୍ରତିନିଧି ହୋଇଥିଲେ।

ରାଜନୀତିରେ ଯୋଗଦେବା ପୂର୍ବରୁ, ଜୋହରାନ୍ ଜଣେ ସାମାଜିକ କର୍ମୀ ଭାବରେ କାମ କରୁଥିଲେ। ଯଦି ସେ ନ୍ୟୁୟର୍କ ମେୟର ନିର୍ବାଚିତ ହୁଅନ୍ତି, ତେବେ ସେ ଏହି ପଦବୀରେ ପହଞ୍ଚିବା ପାଇଁ ପ୍ରଥମ ଭାରତୀୟ ଏବଂ ପ୍ରଥମ ମୁସଲମାନ ହେବେ। ତାଙ୍କର ନିର୍ବାଚନ ଅଭିଯାନ ଯୁବପିଢ଼ି ଏବଂ ଗରିବ ଲୋକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.