ଭୁବନେଶ୍ୱର: ଦୁର୍ଘଟଣା କେବଳ ପରିବାର କି ରାଜ୍ୟ ନୁହେଁ ସମଗ୍ର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇଥାଏ । ଏହା କୌଣସି ବ୍ୟକ୍ତିଗତ କ୍ଷତି ନୁହେଁ ବରଂ ସାମଗ୍ରୀକ କ୍ଷତି । ତେଣୁ ମୋର ସମସ୍ତଙ୍କୁ ଅନୁରୋଧ, ଘରୁ ବାହରିବାଠୁ ନେଇ ଫେରିବା ପର୍ଯ୍ୟନ୍ତ ସଡ଼କର ସମସ୍ତ ନିୟମ ସଠିକ୍ ଭାବେ ପାଳନ କରନ୍ତୁ ଓ ସୁରକ୍ଷିତ ଭାବେ ଘରକୁ ଫେରିବାକୁ ନିଶ୍ଚିତ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୂନ ଦୁର୍ଘଟଣା ଦିବସର ଶୁଭାରମ୍ଭ ଅବସରରେ ଉଦବୋଧନ ଦେଇ କହିଛନ୍ତି।
ସୂଚନାଯୋଗ୍ୟ ଯେ, ସଡ଼କରେ ଯାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସୁରକ୍ଷିତ ଜୀବନ ପାଇଁ ଏକ ସାମୂହିକ ପ୍ରତିବଦ୍ଧତାର ସଂକଳ୍ପ ସ୍ୱରୂପ IIT ମାଡ୍ରାସ୍ର ସହଯୋଗରେ ଆଜିଠୁ ଆରମ୍ଭ ହୋଇଛି ଜୁନ ୨୮ ତାରିଖ ପର୍ଯ୍ୟନ୍ତ ‘ଶୂନ ଦୁର୍ଘଟଣା ଦିବସ’।
ଲୋକସେବା ଭବନ କନଭେନ୍ସନ୍ ସେଣ୍ଟର ଠାରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆୟୋଜିତ ଶୂନ ଦୁର୍ଘଟଣା ଦିବସ ଏବଂ ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ସାରା ଭାରତରେ ଦୁର୍ଘଟଣା ଜନିତ ମୃତ୍ୟୁ ବହୁତ ବଡ଼ ସମସ୍ୟା ଭାବେ ଦେଖାଦେଇଛି। ଆମ ଦେଶରେ ଦୁର୍ଘଟଣା ବଶତଃ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ୭୫.୨ ପ୍ରତିଶତ କାରଣ ହେଉଛି ଦ୍ରୁତ ଗତିରେ ଗାଡ଼ି ଚାଳନା।
ଗାଡ଼ି ଚାଳନାର ଗୋଲଡେନ୍ ରୁଲ Speed thrills, but it also kills କୁ ଚାଳକମାନେ ଭୁଲି ଯାଉଛନ୍ତି । ଏଥି ସହିତ ଭୁଲ ପାର୍ଶ୍ୱରେ ଗାଡ଼ି ଚାଳନା, ମଦ୍ୟପାନ କରି ଗାଡ଼ି ଚାଳନା ଓ ଗାଡ଼ି ଚାଳନା ସମୟରେ ମୋବାଇଲ ବ୍ୟବହାର ଯୋଗୁଁ ଦୁର୍ଘଟଣା ଜନିତ ମୃତ୍ୟୁ ମଧ୍ୟ ଘଟୁଛି । ଏ ସବୁ ବିଷୟରେ ସତର୍କ ରହିବା ଏବଂ ଏସବୁ ଭୁଲରୁ ଦୂରେଇ ରହିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୪ କୋଟି ଟଙ୍କା ବିନିଯୋଗରେ ସୋନପୁର, ଚଣ୍ଡିଖୋଲ, ଭଞ୍ଜନଗର, ମୟୁରଭଞ୍ଜ, ରାଇରଙ୍ଗପୁର, ବଲାଙ୍ଗୀର, ତାଳଚେର, ମାଲକାନଗିରି, ନୟାଗଡ଼, ନବରଙ୍ଗପୁର ଓ ଦେବଗଡ଼ରେ ୧୧ ଟି ସ୍ୱୟଂଚାଳିତ ଯାନ ଚାଳନା ପରୀକ୍ଷଣ ବ୍ୟବସ୍ଥା (ADTS)ର ଶୁଭାରମ୍ଭ କରିଥିଲେ । ଏଥି ସହିତ ୨୧୫ କୋଟି ଟଙ୍କା ପ୍ରକଳ୍ପ ମୂଲ୍ୟରେ ଡ୍ରାଇଭିଂ ଇଲୋକ୍ଟ୍ରନିକ ଏନଫୋର୍ସମେଣ୍ଟ ଟୁ ସେଭ ହ୍ୟୁମାନ୍ ଲାଇଭ୍ସ ବା ଦିଶା ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଶୁଭାରମ୍ଭ କରିଥିଲେ ।
ଏହା ରାଜ୍ୟର ବିଭିନ୍ନ ଜାତୀୟ ଓ ରାଜ୍ୟ ରାଜପଥର ୪୮୫ କିଲୋମିଟର ଅଞ୍ଚଳରେ କାର୍ଯ୍ୟକ୍ଷମ ହେବ । ଏହା ସହିତ ୧୦୦୭ କିଲୋମିଟର ଅଞ୍ଚଳରେ ଏହି ପ୍ରକଳ୍ପର ତୃତୀୟ ପର୍ଯ୍ୟାୟ ପାଇଁ ଶିଳାନ୍ୟାସ ମଧ୍ୟ କରାଯାଇଛି । ଏହି ବ୍ୟବସ୍ଥା ଫଳରେ ସଡ଼କ ସୁରକ୍ଷା ନିୟମ ପାଳନ କରୁନଥିବା ଚାଳକଙ୍କ ବିରୁଦ୍ଧରେ ସ୍ୱୟଂକ୍ରିୟ ପ୍ରଣାଳୀରେ ଇ-ଚାଲାଣ କଟିବ। ଯାଜପୁର ଜିଲ୍ଲାରେ ଦ୍ୱିତୀୟ ପଞ୍ଜୀକୃତ ଯାନ ସ୍କ୍ରାପିଂ କେନ୍ଦ୍ର ମଧ୍ୟ ଉଦ୍ଘାଟିତ ହୋଇଛି ।