କିଭ ୯।୮: ଆଲାସ୍କାରେ ଡୋନାଲ୍ଡ ଟ୍ରମ୍ପ ଓ ଭ୍ଲାଦିମୀର ପୁଟିନଙ୍କ ଭେଟକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡେମୀର ଜେଲନସ୍କି ଏବେ ଖପ୍ପା। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ୟୁକ୍ରେନ ଇଞ୍ଚେ ବି ଜମି ଛାଡିବନି। ଜେଲନସ୍କିଙ୍କ ଏହି ବୟାନ ସେହି ସବୁ ରିପୋର୍ଟ ପରେ ଆସିଛି ଯେଉଁଥିରେ ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ହେବାକୁ ଥିବା ବୈଠକରେ ଋଷିଆ ଓ ୟୁକ୍ରେନ ମଧ୍ୟରେ ଅଞ୍ଚଳ ଅଦଳବଦଳ ଉପରେ ସହମତି ହୋଇପାରେ।
ଜେଲେନସ୍କି କହିଛନ୍ତି ଯେ ଦୁଇ ନେତାଙ୍କ ମଧ୍ୟରେ ୟୁକ୍ରେନ ବିନା ନିଷ୍ପତ୍ତି ହେବ କିପରି? ଯଦି ଏପରି କୌଣସି ନିଷ୍ପତ୍ତି ହୁଏ ଏହା ଶାନ୍ତି ବିରୋଧରେ ଅତ୍ୟନ୍ତ ଖରାପ ନିର୍ଣ୍ଣୟ ଓ ଏହା ସଫଳ ହେବା ପୂର୍ବରୁ ହିଁ ଫେଲ ହୋଇଯିବ। ଜେଲନସ୍କିଙ୍କ ସୂତ୍ରରୁ ‘ ଦି ସନ୍’ ଲେଖିଛି ଯେ ୟୁକ୍ରେନ ବିରୋଧରେ ଯେଉଁ ନିଷ୍ପତ୍ତି ହେବ ତାହା ଶାନ୍ତି ବିରୋଧରେ ଓ ଏଥିରେ କିଛି ମିଳିବ ନାହିଁ। ଆମ ସମସ୍ତଙ୍କୁ ବାସ୍ତବ ଶାନ୍ତି ଦରକାର ଯାହାକୁ ସମସ୍ତେ ସ୍ୱୀକାର କରିବେ।
ସୋସିଆଲ ମିଡିଆ ଏକ୍ସ ରେ ଭିଡିଓ ପୋଷ୍ଟ କରି ଜେଲନସ୍କି କହିଛନ୍ତି ଯେ ଟ୍ରମ୍ପ ଓ ପୁଟିନ ଏକତ୍ର ବୈଠକ ପାଇଁ ପ୍ରସ୍ତୁତି କରୁଛନ୍ତି। ଏହା ଆଲାସ୍କାରେ ହେବ ଯାହା ଯୁଦ୍ଧରୁ ବହୁତ ଦୂରରେ। ଯୁଦ୍ଧ ଆମ ମାଟିରେ ଆମ ଲୋକଙ୍କ ବିରୋଧରେ ଚାଲିଛି। ଏହା ୟୁକ୍ରେନ ବିନା ସମାପ୍ତ ହୋଇ ପାରିବ ନାହିଁ। ପୁଟିନଙ୍କୁ ଆମ ଲୋକଙ୍କ ଉପରେ ଭରସା ନଥିଲା। ଏଣୁ ୟୁକ୍ରେନକୁ ଅକ୍ତିଆର କରିବା ପାଇଁ ସେ ନିଷ୍ପତ୍ତି ନେଇଥିଲେ। ଏହା ତାଙ୍କ ଭୁଲ, ହେଲେ ୟୁକ୍ରେନୀୟ ଏବେବି ଦୃଢ ଓ ସେମାନେ ନିଜ ରକ୍ଷା ନିଜେ କରିପାରିବେ।
ଜଲେନସ୍କି କହିଛନ୍ତି ଯୁଦ୍ଧକାଳରେ ସେମାନେ ମଧ୍ୟ ଆମ ସାଥ ଦେଇଛନ୍ତି ଯେଉଁମାନେ ଋଷିଆ ସପକ୍ଷରେ ଥିଲେ। ସେ କହିଛନ୍ତି ଯେ ମସ୍କୋକୁ ତାର ଆକ୍ରମକତା ଓ ନୃଶଂସତା ପାଇଁ ପୁରସ୍କୃତ କରାଯାଇ ପାରିବ ନାହିଁ। ତେବେ ସମ୍ମାନଜନକ ଶାନ୍ତି କଣ ତାହା ସମସ୍ତଙ୍କୁ ବୁଝିବାକୁ ହେବ। ଏଣୁ ଋଷିଆ ଆରମ୍ଭ କରିଥିବା ଯୁଦ୍ଧକୁ ନିଜେ ସମାପ୍ତ କରୁ। ହେଲେ ଋଷିଆ ଏହା ଟାଣି ଓଟାରି ଦୀର୍ଘ କରିବାରେ ଲାଗିଛି।
ପୁଟିନଙ୍କ ସହ ସାକ୍ଷାତ ଆଲୋଚନା ପୂର୍ବରୁ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଯୁଦ୍ଧ ସମାପ୍ତିର ନିକଟତର ହେଉଛି। ଦୁଇ ଦେଶଙ୍କୁ ରକ୍ତପାତ ରୋକିବାକୁ ହେବ। ଏଥି ପାଇଁ କ୍ଷେତ୍ରିୟ ଅଦଳବଦଳ ଏକ ଭଲ ବିକଳ୍ପ। ଏହା ପୂର୍ବରୁ ସେହି ସ୍ଥାନର ଘୋଷଣା କରିଥିଲେ ଯେଉଁଠି ପୁଟିନଙ୍କ ସହ ତାଙ୍କର ଆଲୋଚନା ହେବ। ଟ୍ରମ୍ପ କହିଥିଲେ ଯେ ପୁଟିନଙ୍କ ସହିତ ମୋର ସାକ୍ଷାତ ଆଲୋଚନା ଅଗଷ୍ଟ ୧୫ ତାରିଖରେ ହେବ।