ଆସିକା: ଆସିକାରେ ଅନୁଷ୍ଠିତ ହୋଇଛି ଯୁବ ଶକ୍ତି ସମାବେଶ। ଏହି ସମାବେଶରେ ଯୋଗ ଦେଇ ଯୁବ ସମାଜକୁ ଦିଗଦର୍ଶନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ସମ୍ବାଧୋନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯୁବ ଶକ୍ତିରେ ଗଞ୍ଜାମ ଜିଲ୍ଲା ଆଗରେ ଅଛି। ସ୍ୱତନ୍ତ୍ର ଓଡ଼ିଶା ଗଠନରେ ଗଞ୍ଜାମର ଭୂମିକା ରହିଛି। ଖଲିକୋଟ ରାଜା, ପାରଳାଖେମୁଣ୍ଡି ମହାରାଜଙ୍କ ଅବଦାନ ଅତୁଳନୀୟ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ବଳଦେବ ରଥ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଓଡ଼ିଆ ଭାଷା, ସଂସ୍କୃତିର ଅବଦାନ ଅତୁଳନୀୟ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ସରକାରର ବିଭିନ୍ନ ଉପଲବ୍ଧି ବିଷୟରେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ମହିଳା ସଶକ୍ତି କରଣକୁ ଗୁରୁତ୍ୱ ଦେଉଛୁ। ଲକ୍ଷପତି ଦିଦିରେ ଓଡ଼ିଶା ଦେଶରେ ପ୍ରଥମ। ସବୁଠାରୁ ଅଧିକ ଯୁବକ ଓଡ଼ିଶାରେ ଅଛନ୍ତି। ଉଚ୍ଚ ଶିକ୍ଷାରେ ୧୧.୨ ସଂରକ୍ଷଣ ବ୍ୟବସ୍ଥା କରିଛୁ। ଶିଳ୍ପ ଅନୁଷ୍ଠାନ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଇଛୁ। ଚାହିଦା ମୁତାବକ ଶିଳ୍ପ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଇଛୁ। ସେମି କଣ୍ଡକ୍ଟର, ଏ.ଆଇ ବିକାଶ ଭଳି ପଦକ୍ଷେପ ନେଇଛୁ। ଦକ୍ଷତା କ୍ଷେତ୍ରରେ ମଧ୍ୟ ଯୁବକ ମାନଙ୍କୁ ତାଲିମ ଦିଆ ଯାଉଛି। କ୍ରୀଡ଼ା ବିକାଶ ପାଇଁ ମଧ୍ୟ ବିହିତ ପଦକ୍ଷେପ ନେଇଛୁ। ସବୁ କ୍ରୀଡ଼ାରେ ଅଧିକ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ଭିତ୍ତିଭୂମିର ବିକାଶ ଦିଗରେ ପଦକ୍ଷେପ ନେଇଛୁ।୩୧୪ଟି ଷ୍ଟାଡିୟମ ପାଇଁ ୪୧୨୪ କୋଟି ଟଙ୍କା ବ୍ୟୟ ଅଟକଳ କ୍ୟାବିନେଟରେ ପାସ୍ ହୋଇଛି।
ରାଜ୍ୟରେ ୧ ଲକ୍ଷ ୮୦ ହଜାର କୋଟି ଟଙ୍କା ବ୍ୟୟରେ ୧ ଲକ୍ଷ ୧୦ ହଜାର ଯୁବକ ଯୁବତୀ ନିଯୁକ୍ତି ପାଇଁ ପଦକ୍ଷେପ ନେଇଛୁ। ୧୦ଟି ନିଯୁକ୍ତି ମେଳାରେ ୨୮, ୩୪୬ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଆଗାମୀ ଦିନରେ ୪୦ ହଜାର ଯୁବକ ଯୁବତୀଙ୍କୁ ସରକାରୀ ଚାକିରୀ ଦିଆଯିବ। ସମୃଦ୍ଧ ଓଡ଼ିଶା, ବିକଶିତ ଭାରତ ପାଇଁ ୨୦୩୬ ଓ ୨୦୪୭ ପାଇଁ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।
ସେପଟେ ଆସିକା ବିଧାୟକ ସରୋଜ ପାଢ଼ୀ କହିଛନ୍ତି ଗଞ୍ଜାମକୁ ମୁଖ୍ୟମନ୍ତ୍ରୀ ବେଶ ଭଲ ପାଉଛନ୍ତି। ବର୍ଷକ ଭିତରେ ଗଞ୍ଜାମ ଜିଲ୍ଲାକୁ ୭ ଥର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଜିଲ୍ଲାର ଉନ୍ନତି, ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାଥମିକତା ଦେଉଛନ୍ତି। ବିଜେପି ସବୁବେଳେ ଲୋକଙ୍କ ସହ ଅଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ଗଞ୍ଜାମ ଜିଲ୍ଲାର ବିଧାୟକଗଣ, ମନ୍ତ୍ରୀ ବିଭୁତି ଭୂଷଣ ଜେନା, ଗୋକୁଳାନନ୍ଦ ମଲ୍ଲିକ, ସୂର୍ଯ୍ୟ ବଂଶୀ ପ୍ରମୁଖ ଉପସ୍ଥିତ ଥିଲେ।