ପୋଷ୍ୟପୁତ୍ରଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିବ, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

NEWS7
youth-mruta-after-beaten-by-forest-officer-allegation-in-khurda

କଟକ, ୦୯/୦୧: ପୋଷ୍ୟପୁତ୍ରଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିପାରିବ । ଏହି ମର୍ମରେ କ୍ୟାଟ୍ ଦେଇଥିବା ଆଦେଶକୁ ହାଇକୋର୍ଟ କାଏମ୍ ରଖିବା ସହ ଦକ୍ଷିଣ-ପୂର୍ବ ରେଳବାଇ କର୍ତ୍ତୃପକ୍ଷଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି । ପ୍ରତିପକ୍ଷ ତଥା ନିଯୁକ୍ତି ଆବେଦନକାରୀ କେ. ମନୋଜ ପାତ୍ରଙ୍କୁ ଦୁଇମାସ ମଧ୍ୟରେ ନିଯୁକ୍ତି ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଯଦି ଧାର୍ଯ୍ୟ ସମୟ ମଧ୍ୟରେ ନିଯୁକ୍ତି ଦିଆନଯାଏ ତାହେଲେ ଏହାକୁ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରାଯିବ ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । କେନ୍ଦ୍ର ସରକାର ତଥା ଦକ୍ଷିଣ- ପୂର୍ବ ରେଳବାଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଡି.କେ. ଶ୍ରୀପଦ ଏବଂ ଜଷ୍ଟିସ୍ ଶିବ ଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ମାମଲାରୁ ଜଣାଯାଇଛି ଯେ, ରେଳବାଇ ବିଭାଗରେ କେ.ସାଧୁପାତ୍ର ଜଣେ ଟେକ୍ନିସିଆନ୍ ଭାବେ କାର୍ଯ୍ୟ କରୁଥିଲେ ।

୨୦୦୮ ଏପ୍ରିଲ ୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିବା କେ. ମନୋଜ ପାତ୍ର ଅନୁକମ୍ପାମଳକ ନିଯୁକ୍ତି ପାଇଁ ଆବେଦନ କରିଥିଲେ । କିନ୍ତୁ ପୋଷ୍ୟପୁତ୍ରଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିପାରିବ ନାହିଁ ବୋଲି ଦର୍ଶାଇ ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ । ଏହାକୁ ଚାଲେଞ୍ଜ କରି କେ. ସାଧୁ ପାତ୍ରଙ୍କ ପତ୍ନୀ ଏବଂ ପୋଷ୍ୟପୁତ୍ର କେ. ମନୋଜ ପାତ୍ର କ୍ୟାଟ୍(କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ)ରେ ମାମଲା ରୁଜୁ କରିଥିଲେ ।

କ୍ୟାଟ୍ ୨୦୨୫ରେ ରେଳବାଇ କର୍ତ୍ତୃପକ୍ଷଙ୍କ ଆଦେଶକୁ ଖାରଜ କରି ଦେଇଥିଲେ । ଏହି ଆଦେଶ ବିରୋଧରେ ରେଳବାଇ କର୍ତ୍ତୃପକ୍ଷ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ରେଳବାଇ କର୍ତ୍ତୃପକ୍ଷଙ୍କ ଏହି ଆବେଦନକୁ ଖାରଜ କରି ପୋଷ୍ୟପୁତ୍ର ମନୋଜଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କେ. ମନୋଜ ପାତ୍ରଙ୍କ ପକ୍ଷରୁ ଆଇନଜୀବୀ ଦିଲ୍ଲୀପ କୁମାର ମହାନ୍ତି ମାମଲା ପରିଚାଳନା କରୁଥିଲେ ।