LIVE TV

LICର ନିବେଶ ସମ୍ପର୍କିତ ୱାସିଂଟନ ପୋଷ୍ଟ ରିପୋର୍ଟକୁ ନେଇ ଚାଞ୍ଚଲ୍ୟ, କଂଗ୍ରେସ କହିଲା ‘ମହାଘୋଟାଲା’, ତଦନ୍ତ ଦାବି

NEWS7
youth-arrested-for-giving-false-witness-in-boudha

ନୂଆଦିଲ୍ଲୀ ୨୫।୧୦:  ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ୱାସିଂଟନ ପୋଷ୍ଟର ଏକ ରିପୋର୍ଟକୁ ତ୍ରୁଟିପୂର୍ଣ୍ଣ, ଭିତ୍ତିହୀନ ଓ ସତ୍ୟଠାରୁ ଅନେକ ଦୂରରେ ବୋଲି କହିଛି। ଏଥିରେ ୱାସିଂଟନ ପୋଷ୍ଟ ଦାବି କରିଛି ଯେ ‘ବୀମା କମ୍ପାନୀର ନିବେଶ ନିଷ୍ପତ୍ତି ବାହାର କାରକଙ୍କ ଦ୍ୱାରା ପ୍ରଭାବିତ’। ସମ୍ବାଦପତ୍ର ଦାବି କରିଛି ଯେ ଅଧିକାରୀମାନେ ଏଲଆଇସିର ପାଖାପାଖି ୩୨,୦୦୦ କୋଟି ଟଙ୍କା  ଆଦାନୀ ସମୂହ ମାଲିକାନାଧୀନ କମ୍ପାନୀରେ ନିବେଶ ନିମନ୍ତେ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି।

ତେବେ କମ୍ପାନୀ ବୟାନରେ କହିଛି ଯେ ରିପୋର୍ଟରେ କୁହାଯାଇଥିବା ପ୍ରକାରେ ଏପରି କୌଣସି ଡକ୍ୟୁମେଣ୍ଟ ଅଥବା ପ୍ଲାନ ଏଲଆଇସି କେବେ ପ୍ରସ୍ତୁତ କରି ନାହିଁ, ଯାହା ଏଲଆଇସି ଦ୍ୱାରା ଆଦାନୀ ଗ୍ରୁପ କମ୍ପାନୀରେ ଫଣ୍ଡ ନିବେଶର ରୋଡ ମ୍ୟାପ୍ ପ୍ରସ୍ତୁତ କରୁଛି। ତେବେ ସମ୍ବାଦପତ୍ର ରିପୋର୍ଟରେ କହିଛି ଚଳିତବର୍ଷ ପ୍ରାରମ୍ଭରେ ଯେତେବେଳେ ଆଦାନୀ ଋଣରେ ବୁଡି ଯାଇଥିଲେ, ଆମେରିକାରେ ଲାଞ୍ଚ କାରବାରର ସମ୍ମୁଖୀନ ହୋଇଥିଲେ ଓ ବଡ଼ ୟୁରୋପୀୟ ଏବଂ ଆମେରିକାନ ବ୍ୟାଙ୍କ ଋଣ ଦେବାକୁ ଥତମତ ହେଉଥିଲେ ସେତେବେଳେ ମୋଦି ସରକାର ଓ ଏଲଆଇସି ତାଙ୍କୁ ଉଦ୍ଧାର କରିବାକୁ ସାମ୍ନାକୁ ଆସିଥିଲେ।

‘ଦି ୱାସିଂଟନ ପୋଷ୍ଟ’ ଏକ ସନ୍ଧାନୀ ରିପୋର୍ଟରେ କହିଛି ଯେ ସେତେବେଳେ ଏଲଆଇସି ଆଦାନୀଙ୍କ ବ୍ୟବସାୟରେ ୩.୯ ବିଲିୟନ ଡଲାର ଅର୍ଥାତ ୩୨ହଜାର କୋଟି ଟଙ୍କା ନିବେଶ କରିଥିଲା। ଏଲଆଇସିରେ ସାଧାରଣତଃ ଦେଶର ଗରିବ ଓ ସାଧାରଣ ବର୍ଗର ଲୋକଙ୍କ ବୀମା ପଇସା ଥାଏ। ଆମେରିକାର ଏହି ପ୍ରତିଷ୍ଠିତ ସମ୍ବାଦପତ୍ର  ରିପୋର୍ଟରେ କହିଛି ଯେ ଚଳିତବର୍ଷ ପ୍ରାରମ୍ଭରେ ୯୦ ବିଲିୟନ ଡଲାର ସମ୍ପତ୍ତିର ମାଲିକ ଆଦାନୀ ଋଣ ବୋଝରେ ଚାପି ହୋଇଯାଇଥିଲେ।ତାଙ୍କ କୋଇଲା ଖଣି, ଏୟାରପୋର୍ଟ, ବନ୍ଦର ଓ ଗ୍ରିନ ଏନାର୍ଜୀ କାରବାର ଉପରେ ଋଣ ବଢିବଢି ଚାଲିଥିଲା। ଏହା ଛଡା ଗତବର୍ଷ ଆମେରିକୀୟ ଅଧିକାରୀମାନେ ଆଦାନୀଙ୍କ ବିରୋଧରେ ଲାଞ୍ଚକାରବାର ଓ ଠକେଇ ଅଭିଯୋଗ କରିଥିଲେ। ଏହି କାଣରୁ ବଡ଼ ଆମେରିକୀୟ ଓ ୟୁରୋପୀୟ ବ୍ୟାଙ୍କ ତାଙ୍କୁ ଋଣ ଦେଉ ନଥିଲେ। ରିପୋର୍ଟ ଅନୁସାରେ ଏହି ସଂକଟ ମଧ୍ୟରେ ଭାରତ ସରକାର ଆଦାନୀଙ୍କ ସହାୟତା ନିମନ୍ତେ ଏକ ବଡ଼ ଯୋଜନା ପ୍ରସ୍ତୁତ କରିଥିଲେ।

ତେବେ ବୀମା କମ୍ପାନୀ କହିଛି ଯେ ନିବେଶ ସମ୍ପର୍କିତ ସମସ୍ତ ନିଷ୍ପତ୍ତି ନିଜେ ଏଲଆଇସି ନେଇଥାଏ। ଏହି ନିଷ୍ପତ୍ତି ବୋର୍ଡ ଦ୍ୱାରା ସ୍ୱୀକୃତ ନୀତି ଆଧାରରେ ଏବଂ ବିସ୍ତୃତ ଯାଞ୍ଚ ପରେ ନିଆଯାଏ। ଏଲଆଇସି ଏହା ବି ସ୍ପଷ୍ଟ କରିଛି ଯେ ଆର୍ଥିକ ସେବା ବିଭାଗ ଅଥବା ଅନ୍ୟ କୌଣସି ଅନୁଷ୍ଠାନର ଏପରି ନିଷ୍ପତ୍ତିରେ କୌଣସି ଭୂମିକା ନଥାଏ। ତେବେ କେବଳ ଏଲଆଇସି ନୁହେଁ ଆଦାନୀ ଗ୍ରୁପ ମଧ୍ୟ ୱାସିଂଟନ ପୋଷ୍ଟ ରିପୋର୍ଟକୁ ଅସ୍ୱୀକାର କରିଛି।  କମ୍ପାନୀ ଏକ ବୟାନରେ କହିଛି ଯେ ଏଭଳି କଥିତ କୌଣସି ସରକାରୀ ଯୋଜନାରେ କମ୍ପାନୀ ସାମିଲ ନାହିଁ।

ତେବେ ୱାସିଂଟନ ପୋଷ୍ଟ ରିପୋର୍ଟ ପରେ ବିରୋଧୀ କଂଗ୍ରେସ ଏ ନେଇ ମୁଖର ହୋଇ ଉଠିଛି। ମିଡିଆ ରିପୋର୍ଟର ଉଦାହରଣ ଦେଇ କଂଗ୍ରେସ ଶନିବାର କହିଛି ଯେ ଆଦାନୀ ସମୂହଙ୍କୁ ଲାଭ ଦେବା ପାଇଁ ଏଲଆଇସି ଏହାର ୩୦ କୋଟି ପଲିସି ଧାରୀଙ୍କ ସଞ୍ଚୟ ବ୍ୟବସ୍ଥିତ ରୂପେ ଦୂରପଯୋଗ କରିଛି। ପାର୍ଟିର ସାଧାରଣ ସମ୍ପାଦକ ଜୟରାମ ରମେଶ ଏହାକୁ ମହାଘୋଟାଲା କହି ସଂସଦର ପବ୍ଲିକ ଆକାଉଣ୍ଟ କମିଟି (ପିଏସି) ଯାଞ୍ଚ ଦାବି କରିଛନ୍ତି।  ସେ କହିଛନ୍ତି ଏହି ବିଷୟ ପିଏସିଙ୍କ ଅଧିକାର କ୍ଷେତ୍ରରେ ଆସୁଛି। ତେବେ ଆଦାନୀ ଗ୍ରୁପ ଓ ବିବାଦ ନୂଆ କଥା ନୁହେଁ। ଅତୀତରେ ହିଣ୍ଡନବର୍ଗ ରିପୋର୍ଟରରେ ଆଦାନୀ ସେୟାର ମୂଲ୍ୟ ହେରଫେର ଓ ଆର୍ଥିକ ଅନିୟମିତତାର ଅଭିଯୋଗ ହୋଇଥିଲା।