ଏହି ଦେଶରେ ଡିସେମ୍ବର ୨୫ରେ ପାଳନ ହୁଏନି ଖ୍ରୀଷ୍ଟମାସ ! ନୂଆବର୍ଷ ପରେ ବଡଦିନ ପାର୍ଟି, କୁଆଁତାରା ଦେଖିଲା ପରେ ଡିନର୍

NEWS7
youth-absconded-left-pregnant-lover-in-anandapur

ମସ୍କୋ, ୨୫/୧୨: ଡିସେମ୍ବର ୨୫ ଅର୍ଥାତ ଖ୍ରୀଷ୍ଟମାସ । ସାରା ବିଶ୍ୱରେ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ଏହା ସବୁଠୁ ବଡ ଦିନ । କୁହାଯାଏ ଡିସେମ୍ବର ୨୫ରେ ଧରାବତରଣ କରିଥିଲେ ଯୀଶୁ । ତେଣୁ ସମସ୍ତ ଚର୍ଚ୍ଚରେ ଆଜି ପ୍ରବଳ ଗହଳି । କେକ୍ ଖାଇବା ସହ ଯୀଶୁଙ୍କୁ ପୂଜା କରନ୍ତି ଶ୍ରଦ୍ଧାଳୁ । ହେଲେ ଋଷିଆରେ ପରିସ୍ଥିତି ପୁରା ଭିନ୍ନ । ବଡଦିନରେ ସେଠାରେ କେକ୍ କଟାଯାଏନି । ଯୀଶୁଙ୍କୁ ମଧ୍ୟ ପୂଜା କରନ୍ତିନି ଋଷବାସୀ । ଯାହା ପଛରେ ରହିଛି ଖାସ୍ କାରଣ ।

ଋଷିଆରେ ଡିସେମ୍ବର ୨୫ ନୁହେଁ ବରଂ ଦୁଇ ସପ୍ତାହ ପରେ ବଡଦିନ ପାଳନ କରାଯାଏ । ଜାନୁଆରୀ ୭ରେ ସେଠାକାର ଲୋକେ ଖ୍ରୀଷ୍ଟମାସ ପାଳନ କରନ୍ତି । ତେବେ ଏହି ଦିନ ସନ୍ଧ୍ୟାରେ ସବୁ ଷ୍ଟ୍ରିଟ୍ ଲାଇଟର ଆଲୁଅ କମିଯାଏ । ସବୁ ଜାଗା ଶୂନଶାନ୍ ହୋଇଯାଏ । ଛୁଟି ଦିନ କୌଣସି ପାର୍ଟି ନୁହେଁ ବରଂ ନିସ୍ତବ୍ଧ ଲାଗିଥାଏ ।

ଇତିହାସକୁ ଦେଖିଲେ ଋଷିଆ ବହୁ ପ୍ରାଚୀନ କ୍ୟାଲେଣ୍ଡରକୁ ଅନୁସରଣ କରିଥାଏ । ସେତେବେଳେ ସମସ୍ତ ଖ୍ରୀଷ୍ଟିଆନ ଦେଶ ଜୁଲିଆନ କ୍ୟାଲେଣ୍ଡରକୁ ଫଲୋ କରୁଥିଲେ । ୧୫୮୨ରେ ୟୁରୋପ ଗ୍ରିଗୋରିଆନ କ୍ୟାଲେଣ୍ଡରକୁ ଗ୍ରହଣ କରିଥିଲା । ଯାହା ପୂର୍ବ ପ୍ରଚଳିତ କ୍ୟାଲେଣ୍ଡରରେ ଅନେକ ଛୋଟବଡ ପରିବର୍ତ୍ତନ କରିଥିଲା । କିନ୍ତୁ ଋଷିଆର ଅର୍ଥୋଡକ୍ସ ବା ପୁରୁଣା ପରମ୍ପରାରେ ବିଶ୍ୱାସ କରୁଥିବା ଚର୍ଚ୍ଚ ପୁରୁଣା କ୍ୟାଲେଣ୍ଡରରେ ହିଁ ବିଶ୍ୱାସ କରିବା ପାଇଁ ନାଗରିକଙ୍କୁ କହିଥିଲା । ସେତେବେଳେର ଏହି ନିଷ୍ପତ୍ତିର ପ୍ରଭାବ ଆଜି ବି ଋଷିଆରେ ପଡୁଛି ।

ଦୈନନ୍ଦିନ ଜୀବନରେ ମସ୍କୋ ଗ୍ରିଗୋରିଆନ କ୍ୟାଲେଣ୍ଡର ବ୍ୟବହାର କରିଥାଏ । କିନ୍ତୁ ଚର୍ଚ୍ଚ ଜୁଲିଆନ୍ କ୍ୟାଲେଣ୍ଡରରେ ସମସ୍ତ ପର୍ବ ପାଳନ କରେ । ଉଭୟ କ୍ୟାଲେଣ୍ଡର ମଧ୍ୟରେ ବ୍ୟବଧାନ ହେଉଛି ୧୩ ଦିନ । ତେଣୁ ବଡଦିନ ମଧ୍ୟ ୧୩ ଦିନ ଘୁଞ୍ଚିଯାଏ । ଅର୍ଥାତ ଯେବେ ଋଷିଆ ଡିସେମ୍ବର ୨୫ ପାଳନ କରିବ ସେତେବେଳେ ସାରା ବିଶ୍ୱ ଜାନୁଆରୀ ୭ରେ ପହଁଟି ସାରିଥିବ ।

ଜାନୁଆରୀ ୭କୁ ଋଷବାସୀ ନିରବ ଭାବେ ପର୍ବ ପାଳନ କରନ୍ତି । ହେଲେ ଗ୍ରିଗୋରିୟନ କ୍ୟାଲେଣ୍ଡରର ନୂଆବର୍ଷକୁ ସେମାନେ ଧୁମଧାମରେ ପାଳନ କରିଥାନ୍ତି । ବାଣଫୁଟାଇ, ଉପହାର ଆଦାନାପ୍ରଦାନ ସହ ପାର୍ଟି କରିଥାନ୍ତି । ଏଠାରେ ନୂଆବର୍ଷ ପରେ ଖ୍ରୀଷ୍ଟମାସ ସେଲିବ୍ରେସନ ହୁଏ ।

କେମିତି ରହେ ଋଷିଆର ଖ୍ରୀଷ୍ଟମାସ

ଜାନୁଆରୀ ୭ର ପୂର୍ବ ସନ୍ଧ୍ୟାରେ ସମସ୍ତ ଲୋକେ କେକ୍ ପ୍ରସ୍ତୁତ କରିଥାନ୍ତି । ଏହାସହ ସୁସ୍ୱାଦୁ ଖାଦ୍ୟ ରାନ୍ଧନ୍ତି । ଏଥିରେ କୌଣସି ଆମିଷ ବ୍ୟବହାର ହୋଇନଥାଏ । ଭଗବାନଙ୍କ ଉଦ୍ଦେଶ୍ୟରେ ସମସ୍ତ ଖାଦ୍ୟ ଅର୍ପଣ ହୁଏ । ଆକାଶରେ ସନ୍ଧ୍ୟାର ପ୍ରଥମ ତାରା ଦୃଶ୍ୟମାନ ନହେଲା ଯାଏଁ କେହିହେଲେ ଖାଆନ୍ତି ନାହିଁ । ମଧ୍ୟରାତ୍ରରେ ସମସ୍ତ ଲୋକ ରାସ୍ତାରେ ମହମବତୀ ଜାଳିଥାନ୍ତି । ପ୍ରାଚୀନ ମନ୍ତ୍ର ଉଚ୍ଚାରଣ କରି ଭଗବାନଙ୍କୁ ପୂଜା କରନ୍ତି । ପ୍ରବଳ ଶୀତ ଏବଂ ବରଫ ପାଲଟିଥିବା ସହରରେ ସେମାନେ ଶୋଭାଯାତ୍ରା କରନ୍ତି ।

ଖ୍ରୀଷ୍ଟମାସ ପର ସନ୍ଧ୍ୟାରେ ଉତ୍ସବ

ଜାନୁଆରୀ ୭ର ପରଦିନ ଅର୍ଥାତ ଜାନୁଆରୀ ୮ ସନ୍ଧ୍ୟାରେ ସମସ୍ତେ ଏକାଠି ହୋଇ ପାର୍ଟି କରନ୍ତି । ଏହି ଦିନକୁ ସେଠାରେ ଭିଆଟକି କୁହାଯାଏ । ପରିବାରର ସମସ୍ତ ସଦସ୍ୟ ଚା ଏବଂ କଫି ପିଇ କାହାଣୀ ଶୁଣନ୍ତି । ଶିଶୁମାନେ ସହରରେ ଗୀତ ଗାଇ ବୁଲିଥାନ୍ତି । ମିଠା ଏବଂ କେକ୍ ବଣ୍ଟନ ହୁଏ । ପରେ ପରିବାରର ସବୁ ସଦସ୍ୟ ଏକାଠି ରାତ୍ର ଭୋଜନ କରିଥାନ୍ତି ।