ନୂଆଦିଲ୍ଲୀ ୧୨।୦୨; ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କର ୨୦୨୨ରେ ଏକ ଦୁର୍ଘଟଣା ଘଟିଥିଲା। ସେହି ସମୟରେ ରଜତ ନାମକ ଜଣେ ଯୁବକ ରିଷଭଙ୍କ ଜୀବନ ବଞ୍ଚାଇଥିଲେ। କିନ୍ତୁ ଏବେ ସେହି ରଜତ ତାଙ୍କ ପ୍ରେମିକା ସହ ମିଶି ବିଷ ପିଇ ଦେଇଛନ୍ତି। ବିଷ ପିଇବା ଯୋଗୁଁ ପ୍ରେମିକାର ମୃତ୍ୟୁ ହୋଇଛି। ସେପଟେ ରଜତ ଜୀବନ ସହ ସଂଘର୍ଷ କରୁଛନ୍ତି ।
ରଜତ ମୁଜାଫରନଗରର ଶକରପୁରରେ ଅବସ୍ଥିତ ମଜରା ବୁଚ୍ଚା ବସ୍ତିର ବାସିନ୍ଦା। ରଜତ ଗତ ପାଞ୍ଚ ବର୍ଷ ଧରି ମନୁ ନାମକ ଜଣେ ୨୧ ବର୍ଷର ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ। ପରିବାର ସଦସ୍ୟମାନେ ଏହି ସମ୍ପର୍କ ବିରୋଧରେ ଥିଲେ । ଉଭୟଙ୍କ ପରିବାର ବିବାହକୁ ମନା କରିଦେଇଥିଲେ। ଉଭୟଙ୍କ ପରିବାର ଆନୁଷ୍ଠାନିକ ଭାବରେ ଅନ୍ୟ ଏକ ସ୍ଥାନରେ ସେମାନଙ୍କ ବିବାହ ସ୍ଥିର କରିଥିଲେ। ଏଥିରେ ଦୁଖିତ ହୋଇ ପ୍ରେମୀଯୁଗଳ ୯ ଫେବୃଆରୀ ସନ୍ଧ୍ୟାରେ ବିଲକୁ ଯାଇ ବିଷ ପିଇ ଦେଇଥିଲେ। ଉଭୟେ ସେଠାରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ସୂଚନା ପାଇବା ମାତ୍ରେ ସେମାନଙ୍କ ପରିବାର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମଙ୍ଗଳବାର ଦିନ ଚିକିତ୍ସା ସମୟରେ ଝିଅଟିର ମୃତ୍ୟୁ ହୋଇଥିଲା। ଏବେ ରଜତଙ୍କର ଚିକିତ୍ସା ଚାଲିଛି ।
ସେପଟେ ଝିଅର ପରିବାର ସଦସ୍ୟଙ୍କ ଅଭିଯୋଗ କରିଛନ୍ତି ଦୁଇ ଦିନ ପୂର୍ବେ ରଜତ ସେମାନଙ୍କ ଝିଅକୁ ପ୍ରଲୋଭିତ କରି ନିଜ ସହିତ ନେଇଯାଇଥିଲା। ତା'ପରେ ସେ ତାଙ୍କୁ ବିଷାକ୍ତ ପଦାର୍ଥ ଖୁଆଇଥିଲେ। ବର୍ତ୍ତମାନ ରଜତଙ୍କ ଅବସ୍ଥା ଗମ୍ଭୀର ରହିଛି। ତାଙ୍କ ଚେତା ଫେରିବା ପରେ ପୋଲିସ ତାଙ୍କ ବୟାନ ରେକର୍ଡ କରିବ।
ରିଷଭ ଏକ ସ୍କୁଟି ଉପହାର ଦେଇଥିଲେ
୨୦୨୨ ଡିସେମ୍ବର ୩୦ ତାରିଖରେ ରଜତ କ୍ରିକେଟର ରିଷଭ ପନ୍ତଙ୍କ ପାଇଁ ଜଣେ ଦେବଦୂତ ଭାବରେ ଆସିଥିଲେ। ଯେତେବେଳେ ତାଙ୍କ ମର୍ସିଡିଜ୍ କାର ଏକ ଡିଭାଇଡରରେ ଧକ୍କା ଦେଇଥିଲା। ସେତେବେଳେ ରଜତ ରିଷଭଙ୍କୁ ଡାକ୍ତରଖାନା ନେଇଥିଲେ। ଦୁର୍ଘଟଣାରେ ଆହତ ରିଷଭ ପନ୍ତ କିଛି ମାସର ଚିକିତ୍ସା ପରେ ସୁସ୍ଥ ହୋଇ କ୍ରିକେଟ୍ ପଡ଼ିଆକୁ ଫେରିଥିଲେ। ସେହି ସମୟରେ, ରିଷଭ ରଜତ ଏବଂ ଅନ୍ୟ ଜଣେ ସହାୟକଙ୍କୁ ଧନ୍ୟବାଦ ଜଣାଇଥିଲ। ସେମାନଙ୍କୁ ଏକ ସ୍କୁଟର ଉପହାର ଦେଇଥିଲେ। ରିଷଭ ପନ୍ତଙ୍କ ଠାରୁ ଏହି ସ୍କୁଟି ଉପହାର ପାଇବା ପରେ ରଜତ ଚର୍ଚ୍ଚାକୁ ଆସିଥିଲେ। ରଜତ ଏତେ ବିପଦପୂର୍ଣ୍ଣ ପଦକ୍ଷେପ ନେବ ବୋଲି କେହି ଭାବି ନଥିଲେ। ଆଜି ରଜତ ଜୀବନ ଏବଂ ମୃତ୍ୟୁ ସହ ଲଢ଼େଇ କରୁଛି।