LIVE TV

ମଦ୍ରାସାରେ ପ୍ରବେଶ ପାଇଁ ୧୩ ବର୍ଷିୟା ଛାତ୍ରୀଙ୍କୁ ମାଗିଲେ ‘କୁମାରୀତ୍ୱ ପ୍ରମାଣପତ୍ର’ ; ପରିବାରର ଅଭିଯୋଗ ପରେ ଜଣେ ଗିରଫ

NEWS7
you-need-to-know-about-ranveer-allahabadia

ମୁରାଦାବାଦ : ମୁରାଦାବାଦର ଏକ ମଦ୍ରାସା ପରିଚାଳିତ ବାଳିକା ବିଦ୍ୟାଳୟର ଜଣେ କର୍ମକର୍ତ୍ତାଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ଜଣେ ୧୩ ବର୍ଷୀୟା ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅର ପ୍ରବେଶ ପାଇଁ ଅନୁଷ୍ଠାନ "କୁମାରୀତ୍ୱ ପ୍ରମାଣପତ୍ର" ଦାବି କରିବା ସହ ପରିବାର ସହିତ ଖରାପ ବ୍ୟବହାର କରିଥିଲା। ମୁରାଦାବାଦ ଏସପି (ସହର) କୁମାର ରଣବିଜୟ ଟାଇମ୍ସ ଅଫ୍‌ ଇଣ୍ଡିଆକୁ କହିଛନ୍ତି, ଅଭିଯୋଗ ପରେ BNS ସେକ୍ସନ ୭୯ ( କୌଣସି ମହିଳାଙ୍କ ଗାରିମାକୁ ଅପମାନିତ କରିବା ପାଇଁ ଉଦ୍ଦିଷ୍ଟ ଶବ୍ଦ, ଇଙ୍ଗିତ କିମ୍ବା କାର୍ଯ୍ୟ) ଏବଂ ପୋକ୍ସୋ ଆକ୍ଟ ଅନୁସାରେ ଏକ ଏଫଆଇଆର ରୁଜୁ କରାଯାଇଛି।

ସ୍କୁଲ ଆଡମିସନ୍ ଇନଚାର୍ଜ ଶାହଜାହାନ (ପାଖାପାଖି ୪୦ ବର୍ଷ ବୟସ)ଙ୍କୁ ଗିରଫ କରାଯାଇଛି। ଏହି ସ୍କୁଲ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏକ ମଦ୍ରାସା ଭାବରେ କାର୍ଯ୍ୟ କରେ ଏବଂ ତା’ପରେ ୟୁପି ବୋର୍ଡ ପାଠ୍ୟକ୍ରମ ଲାଗୁ ହୋଇଥାଏ।

ଏହି ମାମଲାଟି ସେତେବେଳେ ସାମ୍ନାକୁ ଆସିଥିଲା , ଯେବେ ଝିଅଟିର ବାପା ମୁରାଦାବାଦ ଏସଏସପିଙ୍କ ନିକଟରେ ଅଭିଯୋଗ ରୁଜୁ କରିଥିଲେ, ଯେଉଁଥିରେ ସେ ସ୍କୁଲ ପ୍ରଶାସନ ଉପରେ ଉତ୍ପୀଡ଼ନ, ସ୍କୁଲ୍ ଫି ଆତ୍ମସାତ କରିବା ଏବଂ ଚରିତ୍ର ସଂହାରର ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗରେ, ଛାତ୍ରୀଙ୍କ ବାପା କହିଥିଲେ -ମୋ ଝିଅକୁ ୨୦୨୪ ମସିହାରେ ଏହି ମଦ୍ରାସାରେ ପ୍ରବେଶ କରାଯାଇ ଥିଲା। ତା'ପରେ ୨୦୨୫ ମସିହାରେ ମୋଟ ୩୫ ହଜାର ଟଙ୍କା ଦେୟ ଦେଇ ତାକୁ ୮ମ ଶ୍ରେଣୀକୁ ପଦୋନ୍ନତି ଦିଆଯାଇ ଥିଲା। ଜୁଲାଇ ମାସରେ ଏକ ଛୋଟ ପାରିବାରିକ ଯାତ୍ରା ପରେ ମୋ ସ୍ତ୍ରୀ ଯେତେବେଳେ ତାକୁ ମଦ୍ରାସାକୁ ଫେରାଇ ଆଣିଥିଲେ, ସେତେବେଳେ ସ୍କୁଲର ଆଡମିଶନ ଇନଚାର୍ଜ ଓ ପ୍ରିନ୍ସିପାଲ୍ ମୋ ପିଲାର କୁମାରୀତ୍ୱ ସ୍ପଷ୍ଟ କରିବା ପାଇଁ ଡାକ୍ତରୀ ପରୀକ୍ଷା ବିନା ତାଙ୍କୁ ପ୍ରବେଶ କରିବାକୁ ମନା କରି ଦେଇ ଥିଲେ। ଏଥିପାଇଁ ଆମେ ପୋଲିସ ସହିତ ଯୋଗାଯୋଗ କରିଥିଲୁ।

ଝିଅଟିର ବାପା ଏହା ମଧ୍ୟ ଦାବି କରିଛନ୍ତି ଯେ ,ଯେତେବେଳେ ପରିବାର ସ୍କୁଲର "ଦାବି"କୁ ବିରୋଧ କରିଥିଲା, ତ ସେତେବେଳେ ସ୍କୁଲ୍ କର୍ମଚାରୀମାନେ ଛାତ୍ରୀଙ୍କ ମାଆଙ୍କୁ ଦୁର୍ବ୍ୟବହାର କରିଥିଲେ, ତାଙ୍କୁ ମାଡ ମାରିଥିଲେ ଏବଂ ସ୍କୁଲରୁ ପିଲାର ନାମ ପ୍ରତ୍ୟାହାର କରିବାକୁ ବାଧ୍ୟ କରିଥିଲେ। ସେ କହିଥିଲେ ଯେ ଟ୍ରାନ୍ସଫର ସାର୍ଟିଫିକେଟ୍‌ ଦେବା ପାଇଁ ୫୦୦ ଟଙ୍କା ମଧ୍ୟ ନେଇଥିଲେ, କିନ୍ତୁ ଡକ୍ୟୁମେଣ୍ଟ ଦେଇ ନଥିଲେ କିମ୍ବା ଫେରେଇ ନଥିଲେ।

ସ୍କୁଲ କର୍ତ୍ତୃପକ୍ଷ ଏହି ବିଷୟରେ ମତାମତ ଦେବାକୁ ମଧ୍ୟ ଉପଲବ୍ଧ ନଥିଲେ। ଏହି ମଧ୍ୟରେ ରାଜ୍ୟ ସାରା ଅନେକ ମଦ୍ରାସା ପରିଚାଳନା କରୁଥିବା ସଂଗଠନ ଜମାତ ରଜା-ଏ-ମୁସ୍ତଫାର ଜାତୀୟ ସାଧାରଣ ସମ୍ପାଦକ ହାସନ ଖାନ ,ସ୍କୁଲର ମେଡିକାଲ ଯାଞ୍ଚର ଦାବିକୁ ନନ୍ଦା କରି କହିଥିଲେ,  ମଦ୍ରାସା ଭିତରେ ଏହିପରି ପ୍ରମାଣପତ୍ର ମାଗିବା ଅନୁଚିତ କାର୍ଯ୍ୟ, ଏବଂ ଏପରି କୌଣସି ନିୟମ ନାହିଁ। ଏପରି ମଦ୍ରାସାଗୁଡ଼ିକ କେବଳ ଧାର୍ମିକ ଶିକ୍ଷାର କେନ୍ଦ୍ର ନୁହେଁ, ବରଂ ସାମାଜିକ ଏବଂ ନୈତିକ ମୂଲ୍ୟବୋଧକୁ ପୋଷଣ କରିବାର ଅନୁଷ୍ଠାନ ମଧ୍ୟ ।