ବଦଳିଲା ସ୍ୱାସ୍ଥ୍ୟ ବୀମା ନିୟମ, ଏବେ ୨୪ ଘଣ୍ଟା ନୁହେଁ ୨ ଘଣ୍ଟା ଆଡମିଟ୍ ହେଲେ ବି ମିଳିବ କଭରେଜ

Published By : Prameya-News7 Bureau | July 11, 2025 IST

ନୂଆଦିଲ୍ଲୀ ୧୧।୭: ହେଲଥ୍ ଇନସ୍ୟୁରାନ୍ସ କ୍ଲେମକୁ ନେଇ ଏକ ଆଶ୍ୱସ୍ତିଭରା ଖବର ଆସୁଛି। ଏବେ ସ୍ୱାସ୍ଥ୍ୟ ବୀମା ପାଇବା ପାଇଁ ଆଉ ଆପଣଙ୍କୁ ହସ୍ପିଟାଲରେ ପୁରା ୨୪ ଘଣ୍ଟା ବିତାଇବାକୁ ପଡିବନି। ଏବେ ଅନେକ ସ୍ୱାସ୍ଥ୍ୟ ବୀମା କମ୍ପାନୀ ମାତ୍ର ୨ ଘଣ୍ଟା ଆଡମିସନରେ ବି ମେଡିକ୍ଲେମ ଦେଲେଣି। ଏହି ପରିବର୍ତ୍ତନ ଏଥି ପାଇଁ ହୋଇଛି ଯେ ଚିକିତ୍ସା ଦ୍ରୁତ ଓ ଆଧୁନିକ ହୋଇଯାଇଛି। ମୋତିଆବିନ୍ଦୁ, କେମୋଥେରାପି ଓ ଏନଜିଓଗ୍ରାଫି ପାଇଁ ପୂର୍ବରୁ ସାରା ରାତି ହସ୍ପିଟାଲରେ କଟାଇବାକୁ ପଡୁଥିଲା। ଏବେ ଏହି ସବୁ ଚିକିତ୍ସା ମାତ୍ର କିଛି ଘଣ୍ଟାରେ ହୋଇଯାଉଛି। 

ଏବେ ଏପରି ଚିକିତ୍ସାକୁ ଡେ-କେୟାର ପ୍ରୋସିଜିୟର କୁହାଯାଉଛି। ଯେପରି ମୋତିଆବିନ୍ଦୁ ଅପରେସନ, ଡାୟଲିସିସ୍, କେମୋଥେରାପି ଆଦି ଲାଗି ମଧ୍ୟ ମେଡିକ୍ଲେମ ମିଳି ପାରିବ। ପୂର୍ବରୁ ଏହି ସବୁ ମାମଲାରେ ଏଥି ପାଇଁ କ୍ଲେମ ମିଳୁନଥିଲା ଯେହେତୁ ରୋଗୀ ହସ୍ପିଟାଲରେ ୨୪ ଘଣ୍ଟା ବିତାଉ ନଥିଲେ। ଏବେ କମ ସମୟରେ ଚିକିତ୍ସା କରାଇବା ପାଇଁ ପକେଟରୁ ପଇସା ଟେ ବି ଖର୍ଚ୍ଚ କରିବାକୁ ପଡିବନି। ଏହା ଦ୍ୱାରା ଲୋକେ ସଠିକ ସମୟରେ ନିଜର ଚିକିତ୍ସା କରାଇ ପାରିବେ ଓ ଆର୍ଥିକ ବୋଝରୁ ମଧ୍ୟ ବର୍ତ୍ତି ପାରିବେ। 

ବୀମା କମ୍ପାନୀ ଏବେ ଚିକିତ୍ସାର ଅତ୍ୟାଧୁନିକ ଟେକନିକ୍ କୁ ବୁଝିଲେଣି ଓ ନିଜ ପଲିସିକୁ ସେହି ଅନୁସାରେ ଅପଡେଟ କରୁଛନ୍ତି। ଏହାର ଅର୍ଥ ଏବେ ବୀମା କଭର ଅଧିକ ସ୍ମାର୍ଟ, ଦ୍ରୁତ ଓ ଆବଶ୍ୟକତା ଅନୁସାରେ ହୋଇଯାଇଛି। ମୋଟ ଉପରେ କହିବାକୁ ଗଲେ ଏହି ପରିବର୍ତ୍ତନ ଗ୍ରାହକଙ୍କ ନିମନ୍ତେ ଆଶ୍ୱସ୍ତିଭରା ଓ ହେଲଥ୍ ଇନସ୍ୟୁରାନ୍ସ କୁ ପୂର୍ବାପେକ୍ଷା ଅଧିକ ସୁବିଧାଜନକ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.