ବିଶ୍ବର ସବୁଠାରୁ ପୁରୁଣା ହୋଟେଲ, ନିଆରା ଇତିହାସ ପାଇଁ ପାଇଛି ପ୍ରସିଦ୍ଧି, ଗିନିଜ ବୁକରେ କରିଛି ରେକର୍ଡ

Published By : Prameya-News7 Bureau | June 05, 2025 IST

ଜାପାନ ୦୫/୦୬ ; ଆଜିର ସମୟରେ ପ୍ରତିଟି ଜାଗାରେ ହୋଟେଲ ଦେଖିବାକୁ ମିଳିବ । ସୁନ୍ଦର ସୁନ୍ଦର ବିଲ୍ଡିଂ,ଲାଟେଷ୍ଟ ଟେକ୍ନୋଲଜି ଓ ସବୁପ୍ରକାର ସୁବିଧା ଭରପୂର ଥିବା ହୋଟେଲ ତ ଅନେକ ଅଛି । ହେଲେ ଦୁନିଆର ସବୁଠାରୁ ପୁରୁଣା ହୋଟେଲ ବିଷୟରେ ଜାଣିଛନ୍ତି କି । ଆଜି ଆମେ ଆପଣଙ୍କୁ କହିବୁ ଦୁନିଆର ସବୁଠାରୁ ପୁରୁଣା ହୋଟେଲ ସଂପର୍କରେ । ଯାହା ଶୁଣିବା ପରେ ଆପଣଙ୍କୁ ବି ନିଶ୍ଚୟ ହୋଟେଲ ବୁଲି ଆସିବାକୁ ଇଚ୍ଛା ହେବ । ଜାପାନର ମାଉଣ୍ଟ ଫୁଜି ଠାରୁ କିଛି ଦୂରରେ ଅଛି  ନିଶିୟାମା ଓନସେନ୍‌ କେୟୁଙ୍କାନ ହୋଟେଲ । ଏହି ହୋଟେଲ ନିଜର ନିଆରା ଇତିହାସ ପାଇଁ ପାଇଛି ପ୍ରସିଦ୍ଧି । ଏଠି ଏସି ପବନ ନୁହେଁ ଖୋଲା ଆକାଶର ଦେଶୀ ପବନର ମଜା ନିଅନ୍ତି ପର୍ଯ୍ୟଟକ । ଭିଡ, ଜନଗହଳି ଓ ପ୍ରଦୂଷଣ ଠାରୁ ଢେର୍‌ ଦୂରରେ ଏ ପୁରୁଣା ହୋଟେଲ । 

ଶହେ କି ୨ଶହ ବର୍ଷ ନୁହେଁ  ପ୍ରାୟ ୧୪ଶହ ବର୍ଷ ପୁରୁଣା ।  କୁହାଯାଏ ଆଜି ବି ଏହି ହୋଟେଲ ନିଜର ଇତିହାସକୁ ସତେଜ କରି ରଖିଛି । ଦୁନିଆର ସବୁଠାରୁ ପୁରୁଣା ହୋଟେଲ ଭାବରେ ୨୦୧୧ରେ ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି । ହୋଟେଲର ନିର୍ମାଣ ୭୦୫ ADରେ ଫୌଜିୱାରା ମୋହିତ ନାମକ ବ୍ୟକ୍ତି ନିର୍ମାଣ କରିଥିଲେ । ଜାଣି ଆଶ୍ଚର୍ଯ୍ୟ ହେବେ ଆଜି ଏହି ହୋଟେଲକୁ ଏବେ ତାଙ୍କ ପରିବାରର ୫୨ ତମ ପିଢି ଚଲାଉଛନ୍ତି । 

ହୋଟେଲ ନିଶିୟାମା ନିଜର ଆଲିଶାନ ବିଲ୍ଡିଂ ଓ ଗରମ ଝରଣା ପାଣି ପାଇଁ ବେଶ ଜଣାଶୁଣା । ଯାହା ଏହି ହୋଟେଲକୁ ଅନ୍ୟ ହୋଟେଲ ଠାରୁ ଅଲଗା ଓ ଖାସ୍‌ ବନାଇଥାଏ । ହୋଟେଲ ନିଶିୟାମା ପ୍ରକୃତିର ସୁନ୍ଦର ପରିବେଶରେ ରହିଛି ।  ହୋଟେଲର ଗୋଟିଏ ପାର୍ଶ୍ବରେ ବହିଯାଉଛି ଏକ ସୁନ୍ଦର ନଦୀ । ଆପଣ ରୁମରେ ବସି ନଦୀର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ଓ କଳ କଳ ନାଦ ଶୁଣିପାରିବେ ।ଅନ୍ୟପଟେ ଘଞ୍ଚ ଜଙ୍ଗଲର ସୁନ୍ଦର ଦୃଶ୍ୟ  ଲୋକଙ୍କ ମନ ମୋହିଥାଏ । ଏଠାକାର ଶାନ୍ତ ପରିବେଶ ମନ ଓ ଆତ୍ମାକୁ ଶାନ୍ତି ଦେଇଥାଏ । ଯିଏ ଏଠାକୁ ଥରେ ଆସେ କେବେ ଫେରିଯିବାକୁ ଇଚ୍ଛା କରେନି । 

ସବୁଠାରୁ ପୁରୁଣା ଏହି ହୋଟେଲରେ ପ୍ରାୟ ୩୭ଟି ରୁମ୍‌ ରହିଛି । ଗୋଟିଏ ରୁମର ଗୋଟିଏ ରାତି ପାଇଁ ପ୍ରାୟ ୩୫ ହଜାର ଟଙ୍କା ଦେବାକୁ ପଡେ । ତେବେ ହୋଟେଲରେ ଓପନ ଏୟାର ବାଥ ନେବାର ମଜା ହିଁ କିଛି ଅଲଗା । ଏୟା ନୁହେଁ କି ହୋଟେଲ ଦେଖିବାକୁ ପୁରୁଣା କାଳିଆ । ସମୟ ସମୟରେ ହୋଟେଲର ନବୀ କରଣ ବି କରାଯାଏ । ୧୯୯୭ ମସିହାରେ ଶେଷ ସମୟ ପାଇଁ ନବୀକରଣ କରାଯାଇଥିଲା । ପୂର୍ବରୁ ଏହି ହୋଟେଲରେ ୱାଇଫାଇ କନେକ୍ସନ ନଥିଲା କିନ୍ତୁ ୨୦୦୯ ଭିତରେ ହୋଟେଲର ସବୁ ରୁମ୍‌ରେ ପାସୱାଡ ଫ୍ରି ୱାଇଫାଇ ଲଗାସରିଛି । ବିଶ୍ବର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଆସନ୍ତି ।ତେବେ ଆଉ ଡେରି କାହିଁକି ଆପଣ ବି ହୋଟେଲର ୱେବସାଇଟକୁ ଆସି ବୁକ୍‌ କରନ୍ତୁ ଆଉ ବିଶ୍ବର ସବୁଠାରୁ ପୁରୁଣା ଓ ସୁନ୍ଦର ହୋଟେଲରେ ରହିବାର ମଜା ଉଠାନ୍ତୁ । 


 

 

 

 

  • japan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.