'ବିଶ୍ୱର ସବୁଠାରୁ ବଡ଼ ଡ୍ୟାମ ତିଆରି କରୁଛି ଚୀନ, ଭାରତ ପାଇଁ ୱାଟର ବୋମ: ସାମରିକ ଆକ୍ରମଣ ଠାରୁ ବି ବଡ଼ ସାଂଘାତିକ'

Published By : Prameya-News7 Bureau | July 09, 2025 IST

INTERNET

ନୂଆଦିଲ୍ଲୀଭାରତ ବିରୁଦ୍ଧରେ ୱାଟର ବୋମା ତିଆରି କରିବାରେ ଲାଗିପଡ଼ିଛ ଚୀନ। ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚୀନର ନିର୍ମିତ ମେଗା ଡ୍ୟାମ ଭାରତ ପାଇଁ ଏକ ୱାଟର ବୋମ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ। ଏହା ଭାରତର ଅସ୍ତିତ୍ୱ ପାଇଁ ବିପଦ ସୃଷ୍ଟି କରିବା ସାମରିକ ଯୁଦ୍ଧ ଠାରୁ ଏହା ଭୟଙ୍କର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। 

ମଙ୍ଗଳବାର ପିଟିଆଇକୁ ସାକ୍ଷାତକାର ଦେଇ ଶ୍ରୀ ଖାଣ୍ଡୁ କହିଛନ୍ତି ଯେ ବ୍ରହ୍ମପୁତ୍ରର ତିବ୍ଦତୀୟ ନାମ ୟାରଲୁଙ୍ଗ ସାଙ୍ଗପୋ ନଦୀ ଉପରେ ଚୀନ ତିଆରି କରୁଥିବା ବିଶ୍ୱର ସର୍ବବୃହତ ନଦୀବନ୍ଧ ପ୍ରକଳ୍ପ ଭାରତ ପାଇଁ ଗମ୍ଭୀର ଚିନ୍ତାର ବିଷୟ। କାରଣ ଚୀନ୍ ଆନ୍ତର୍ଜାତୀୟ ଜଳ ଚୁକ୍ତିନାମାରେ ସ୍ୱାକ୍ଷର କରି ନାହିଁ। ତେଣୁ ଆନ୍ତର୍ଜାତୀୟ ମାନଦଣ୍ଡ ପାଳନ କରିବାକୁ ତାକୁ କେହି ବାଧ୍ୟ କରିପାରିବେ ନାହିଁ। ଆଉ ବ୍ରହ୍ମପୁତ୍ର ନଦୀ ଉପରେ ଚୀନ ଡ୍ୟାମ ତିଆରି କରିବା ଭାରତ ପାଇଁ ବଡ଼ ଜଳ ସଂକଟ ସୃଷ୍ଟି କରିପାରେ। ସବୁଠାରୁ ବଡ଼ କଥା ହେଲା ଚୀନ କୁ କେବି ବି ବିଶ୍ୱାସ କରାଯାଇ ପାରିବ ନାହିଁ। ସିଏ କେତେବଳେ କଣ କରିବ କାହାକୁ ଜଣା ନାହିଁ ବୋଲି ଖାଣ୍ଡୁ କହିଛନ୍ତି। 

ଅରୁଣାଚଳ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି “ଚୀନ୍ ଠାରୁ ସାମରିକ ବିପଦକୁ ଏକପାଖିଆ କରିଦେଲେ ମୋତେ ଲାଗୁଛି ଯେ ଏହି ଜଳ ସମସ୍ୟା ଅନ୍ୟ ଯେକୌଣସି ସମସ୍ୟା ଅପେକ୍ଷା ବହୁତ ବଡ଼। ଏହା ଆମର ଜନଜାତି ଏବଂ ଆମର ଜୀବିକା ପାଇଁ ଏକ ଅସ୍ତିତ୍ୱଗତ ବିପଦ ସୃଷ୍ଟି କରିବାକୁ ଯାଉଛି। ଏହା ବହୁତ ଗମ୍ଭୀର କାରଣ ଚୀନ୍ ଏହାକୁ ଏକ ପ୍ରକାର 'ଜଳ ବୋମା' ଭାବରେ ମଧ୍ୟ ବ୍ୟବହାର କରିପାରେ।”

୨୦୨୧ ମସିହାରେ ଚୀନ୍ ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗ୍ ସୀମାନ୍ତ ଅଞ୍ଚଳ ଗସ୍ତ କରିବା ପରେ ୟାରଲୁଙ୍ଗ ସାଙ୍ଗପୋ ଡ୍ୟାମ୍ ପ୍ରକଳ୍ପ ଘୋଷଣା କରାଯାଇଥିଲା। ରିପୋର୍ଟ ଅନୁସାରେ, ଏହି ପ୍ରକଳ୍ପ ପାଇଁ ଚୀନ ୨୦୨୪ରେ ୧୩୭ ବିଲିୟନ ଆମେରିକୀୟ ଡଲାରର ଆର୍ଥ ଆବଣ୍ଟନ କରିବା ସହ ପାଞ୍ଚ ବର୍ଷ ଧରି ନିର୍ମାଣ କରିବାକୁ ଅନୁମୋଦନ ଦେଇଥିଲା। ଏହି ଡ୍ୟାମ୍‌ରୁ ୬୦ ହଜାର ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ କରିବାକୁ ଚୀନ ଲକ୍ଷ୍ୟ ରଖିଛି। ଏହାକୁ ବିଶ୍ୱର ସର୍ବବୃହତ ଜଳବିଦ୍ୟୁତ ବନ୍ଧ(ହାଇଡ୍ରୋପାୱାର ଡ୍ୟାମ୍) ପ୍ରକଳ୍ପପ ବୋଲି କୁହାଯାଉଛି। 

ଖାଣ୍ଡୁ କହିଛନ୍ତି ଯେ ଯଦି ଚୀନ୍ ଆନ୍ତର୍ଜାତୀୟ ଜଳ ଚୁକ୍ତିନାମାରେ ସ୍ୱାକ୍ଷର କରିଥାନ୍ତା, ତେବେ କୌଣସି ସମସ୍ୟା ନଥାନ୍ତା। କାରଣ ଜଳଚର ଏବଂ ସାମୁଦ୍ରିକ ଜୀବଜନ୍ତୁଙ୍କ ପାଇଁ ନିମ୍ନଗାମୀ ଅବବାହିକାକୁ ପାଣି ଛାଡ଼ିବା ବାଧ୍ୟତାମୂଳକ ହୋଇଥାନ୍ତା। ପ୍ରକୃତରେ, ଯଦି ଚୀନ୍ ଅନ୍ତର୍ଜାତୀୟ ଜଳ ବଣ୍ଟନ ଚୁକ୍ତିନାମାରେ ସ୍ୱାକ୍ଷରକାରୀ ହୋଇଥାନ୍ତା, ତେବେ ଏହି ପ୍ରକଳ୍ପ ଭାରତ ପାଇଁ ଏକ ଆଶୀର୍ବାଦ ହୋଇପାରିଥାନ୍ତା। କାରଣ ଏହା ବ୍ରହ୍ମପୁତ୍ର ନଦୀ ପ୍ରବାହିତ ହେଉଥିବା ଅରୁଣାଚଳ ପ୍ରଦେଶ, ଆସାମ ଏବଂ ବାଂଲାଦେଶର ଗ୍ରୀଷ୍ମ ବନ୍ୟାକୁ ରୋକିପାରିଥାନ୍ତା ବୋଲି ସେ ଖାଣ୍ଡୁ କହିଛନ୍ତି।

ତେବେ ଚୀନ ଡ୍ୟାମ୍‌ରେ ପାଣି ଛାଡ଼ି ଭାରତରେ ଧ୍ୱଂଶକାଣ୍ଡ ଘଟାଇ ପାରିବ। ବନ୍ଧ ନିର୍ମାଣ ହେଲେ ଯଦି ଚୀ ହଠାତ୍ ପାଣି ଛାଡି ଦିଏ ତେବେ ଆମର ସମଗ୍ର ସିଆଙ୍ଗ୍ ବେଲ୍ଟ ଧ୍ୱଂସ ହୋଇଯିବ। ବିଶେଷକରି, ଏହି ଅଞ୍ଚଳରେ ବସବାସ କରୁଥିବା ଆଦି ଜନଜାତି ଏବଂ ତାଙ୍କ ପରି ଅନ୍ୟାନ୍ୟ ସମ୍ପ୍ରଦାୟ ସେମାନଙ୍କର ସମସ୍ତ ସମ୍ପତ୍ତି, ଜମି କ୍ଷତିଗ୍ରସ୍ତ ହେବ। ମାନବ ଜୀବନକୁ ବିନାଶକାରୀ ପ୍ରଭାବ ଭୋଗିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

ଏହି କାରଣରୁ, ଭାରତ ସରକାରଙ୍କ ସହିତ ଆଲୋଚନା ପରେ, ଅରୁଣାଚଳ ପ୍ରଦେଶ ସରକାର ସିଆଙ୍ଗ ଉପର ବହୁମୁଖୀ ପ୍ରକଳ୍ପ (ସିଆଙ୍ଗ ଅପର ମଲ୍ଟିପରପୋଜ୍ ପ୍ରୋଜେକ୍ଟ) ନାମକ ଏକ ପ୍ରକଳ୍ପର ପରିକଳ୍ପନା କରିଛନ୍ତି। ଯାହା ଏକ ପ୍ରତିରକ୍ଷା ବ୍ୟବସ୍ଥା ଭାବରେ କାର୍ଯ୍ୟ କରିବ ଏବଂ ଜଳ ସୁରକ୍ଷା ସୁନିଶ୍ଚିତ କରିବ। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋତେ ଲାଗୁଛି ଯେ ଚୀନ୍ ଡ୍ୟାମ୍ ନିର୍ମାଣ ଆରମ୍ଭ କରିବାକୁ ଯାଉଛି କିମ୍ବା ଚୁପଚାପ କାମ ଆରମ୍ଭ କରି ଦେଇଛନ୍ତି, ହେଲେ କିଛି ଜଣାଉ ନାହାନ୍ତି। ଯଦି ଏଠାରେ ନଦୀବନ୍ଧ ହେଲା ତେବେ ଆମର ସିଆଙ୍ଗ ଏବଂ ବ୍ରହ୍ମପୁତ୍ର ନଦୀଗୁଡ଼ିକ ଶୁଖିଯାଇପାରେ।

ତେବେ ଭାରତର ଜଳ ସୁରକ୍ଷା ନେଇ ଶ୍ରୀ ଖାଣ୍ଡୁ କହିଛନ୍ତି ଯେ ଯଦି ସରକାର ନିଜ ଯୋଜନା ମୁତାବକ ନିଜ ପ୍ରୋଜେକ୍ଟ କାମ ସାରିଦେଲେ ତେବେ ନିଜ ଡ୍ୟାମ୍‌ରୁ ଜଳ ଆବଶ୍ୟକତା ପୂରା କରି ହେବ। ଯଦି ଭବିଷ୍ୟତରେ ଚୀନ ଡ୍ୟାମ୍‌ରୁ ପାଣି ଛାଡ଼ିଦିଏ ବନ୍ୟା ତ ହେବ, ହେଲେ ଏହାକୁ ରୋକାଯାଇପାରିବ। ତେବେ ତଳିଆ ଅଞ୍ଚଳର ସ୍ଥିତି ନେଇ ରାଜ୍ୟ ସରକାର ଆଦି ଜନଜାତୀ ଓ ଅନ୍ୟ ସମ୍ପ୍ରଦାୟ ସହ ଆଲୋଚନା ଜାରି ରଖିଛନ୍ତି। ଖୁବ୍‌ଶୀଘ୍ର ଏ ବିଷୟରେ ସଚେତନତା ସୃଷ୍ଟି କରିବାକୁ ମୁଁ ଏକ ବୈଠକ କରିବାକୁ ଯାଉଛି ବୋଲି ଖାଣ୍ଡୁ ପିଟାଇକୁ କହିଛନ୍ତି। 

ତେବେ ଚୀନର ଏଭଳି କାର୍ଯ୍ୟ ବିରୋଧରେ ଭାରତ ସରକାର କଣ କରିପାରିବେ ବୋଲି ପଚାରିବାରୁ ସେ କହିଛନ୍ତି ଭାରତ କେବଳ ଆନ୍ଦୋଳନ କରି ଚୁପ ବସିପାରିବ ନାହିଁ। ଚୀନକୁ କିଏ ବୁଝାଇବ? ଯେହେତୁ ଆମେ ଚୀନକୁ ବୁଝାଇ ପାରିବୁ ନାହିଁ, ତେଣୁ ଆମେ ଆମର ନିଜସ୍ୱ ପ୍ରତିରକ୍ଷା ତନ୍ତ୍ର ଏବଂ ପ୍ରସ୍ତୁତି ଉପରେ ଧ୍ୟାନ ଦେବା ଭଲ। ବର୍ତ୍ତମାନ ଆମେ ଏଥିରେ ସମ୍ପୂର୍ଣ୍ଣ ନିୟୋଜିତ ଅଛୁ।"

ହିମାଳୟ ପର୍ବତମାଳାର ଏକ ବିଶାଳ ଘାଟିରେ ଚୀନ୍ ଏହି ଡ୍ୟାମ୍‌ ନିର୍ମାଣ କରିବାକୁ  ଯାଉଛି। ଏଠାରେ ବ୍ରହ୍ମପୁତ୍ର ନଦୀ ଅରୁଣାଚଳ ପ୍ରଦେଶକୁ ପ୍ରବାହିତ ହେବା ପାଇଁ ଏକ ବଡ଼ ୟୁ-ଟର୍ଣ୍ଣ ନେଇଥାଏ। ଚୀନ ସେଠାରେ ଡ୍ୟାମ୍ ତିଆରି କରି ଭାରତକୁ ଅଡ଼ୁଆରେ ପକାଇପାରେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.