ଯୁଗ ସହ ବଦଳୁଛି ମହିଳାଙ୍କ ଋତୁସ୍ରାବକୁ ନେଇ ବିଭିନ୍ନ ଅଭ୍ୟାସ, ପରିବେଶ ଉପଯୋଗୀ ସାନିଟାରୀ ବିକଳ୍ପ

Published By : Prameya-News7 Bureau | May 28, 2025 IST

ଭୁବନେଶ୍ବର ୨୮/୦୫: ଯୁଗ ସହ ବଦଳୁଛି ମହିଳାଙ୍କ ଋତୁସ୍ରାବକୁ ନେଇ ବିଭିନ୍ନ ପ୍ରଥା ଓ ଅଭ୍ୟାସ । ସ୍ବଚ୍ଛତା ଦିଗରେ ନିରନ୍ତର ପ୍ରୟାସ ଓ ପଦକ୍ଷେପ ପରେ ମହିଳାମାନେ ସଚେତନ ହେଲେଣି । ଧୀରେ ଧୀରେ କପଡ଼ା ଛାଡ଼ି ସାନିଟାରୀ ପ୍ୟାଡ୍‌ ଆପଣାଇଥିବା ବେଳେ ଏବେ ପୁନଃବ୍ୟବହାର ଉପଯୋଗୀ ପିରିୟଡ୍‌ ଉପକରଣ ବ୍ୟବହାର ଦିଗରେ ପ୍ରଯତ୍ନ ହେଉଛନ୍ତି । ତେଣୁ ପିରିୟଡ୍‌ ପ୍ୟାଣ୍ଟି, ମେନ୍‌ଷ୍ଟ୍ରୁଆଲ୍‌ କପ୍‌ ଭଳି ପରିବେଶ ଅନୁକୂଳ ଉପକରଣର ଚାହିଦା ବଢ଼ୁଛି । ବିଶେଷକରି ସହରୀ ମହିଳା ଓ ଯୁବତୀମାନେ ସାଧାରଣ ସାନିଟାରୀ ପ୍ୟାଡ୍‌ ବଦଳରେ ଏସବୁ ଆଧୁନିକ ତଥା ପରିବେଶ ଉପଯୋଗୀ ଉପକରଣ ବ୍ୟବହାର କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଏ କ୍ଷେତ୍ରରେ ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି । ଚଳିତବର୍ଷ ମେ ୨୮ ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ ପାଳନ ଅବସରରେ ଏଥିପ୍ରତି ଗୁରୁତ୍ବ ଦିଆଯାଉଛି । ତଥ୍ୟ ଅନୁସାରେ, ଦେଶରେ ପ୍ରତିବର୍ଷ ପ୍ରାୟ ୧୨ ହଜାର ଟନ୍‌ ପ୍ଲାଷ୍ଟିକ୍‌ ସାନିଟାରୀ ବର୍ଜ୍ୟ ଉତ୍ପନ୍ନ ହେଉଛି । ଯାହା ପରିବେଶକୁ ପ୍ରଦୂଷିତ କରିଥାଏ । ଓଡ଼ିଶାର ଜନସଂଖ୍ୟା ଦୃଷ୍ଟିରୁ ମାସିକ ପ୍ରାୟ ୩୦୦ରୁ ୪୦୦ ଟନ୍‌ ବର୍ଜ୍ୟ ସୃଷ୍ଟି ହେଉଛି । ଜଣେ ସାନିଟାରୀ ପ୍ଲାଷ୍ଟିକ୍‌ ପ୍ୟାଡ୍‌ ବ୍ୟବହାରକାରୀ ମହିଳା ନିଜ ଜୀବନକାଳରେ ହାରାହାରି ୮ରୁ ୧୦ ହଜାର ପ୍ୟାଡ୍‌ ବ୍ୟବହାର କରିଥାନ୍ତି । ଯାହା ୧୦୦ରୁ ୨୦୦ କେଜି ପ୍ଲାଷ୍ଟିକ ବର୍ଜ୍ୟ ପରିବେଶକୁ ଦେଇଥାଏ । 

ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଲା, ବିଶ୍ବର ସମୁଦାୟ ବାୟୋମେଡିକାଲ ଆବର୍ଜନାର ପ୍ରାୟ ୬୦ ପ୍ରତିଶତ ହେଉଛି କେବଳ ସାନିଟାରୀ ବର୍ଜ୍ୟ । ଏହା ପରିବେଶ ପ୍ରଦୂଷଣ ଦିଗରେ ଏକ ପ୍ରମୁଖ କାରଣ ହୋଇଥିବା ବେଳେ ପୁନଃବ୍ୟବହାର ଯୋଗ୍ୟ ଋତୁସ୍ରାବ ଉପକରଣ ଏହାର ଏକ ସମାଧାନ ବୋଲି କୁହାଯାଉଛି । ଏହା ବର୍ଜ୍ୟକୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିପାରେ । ଅପରପକ୍ଷେ ସାନିଟାରୀ ପ୍ୟାଡ୍‌ କେବଳ ପରିବେଶ ପାଇଁ ନୁହେଁ, ଜୀବଜନ୍ତୁ, ସଫେଇ କର୍ମଚାରୀ ଏବଂ ଆବର୍ଜନା ସଂଗ୍ରହକାରୀଙ୍କ ପାଇଁ ମଧ୍ୟ କ୍ଷତିକାରକ । ନିୟମାନୁସାରେ ସାନିଟାରୀ ପ୍ୟାଡ୍‌କୁ ବ୍ୟବହାର ପରେ କାଗଜରେ ଗୁଡ଼ାଇ ନାଲି ବିନ୍ଦୁ (ରେଡ୍‌ ଡଟ୍‌) ଚିହ୍ନ ସହ ଡଷ୍ଟବିନରେ ଫିଙ୍ଗିବା କଥା । କିନ୍ତୁ ସାଧାରଣତଃ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ସିଧା ସଳଖ ପ୍ୟାଡ୍‌ ଫିଙ୍ଗିବା ଦ୍ବାରା ଏଥିରୁ ସୃଷ୍ଟ ବ୍ୟାକ୍ଟେରିଆ ବାୟୁମଣ୍ଡଳ ସମେତ ପଶୁ ପକ୍ଷୀ, ଜୀବଜନ୍ତୁ ଏବଂ ଆବର୍ଜନା ପରିଚାଳନା ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ସଂକ୍ରମିତ କରିପାରେ । କିନ୍ତୁ ବଜାରରେ ମିଳୁଥିବା ପୁନଃବ୍ୟବହାର ଯୋଗ୍ୟ ପ୍ୟାଡ୍‌, ପିରିୟଡ୍‌ ପ୍ୟାଣ୍ଟି ତଥା ଟ୍ୟାମ୍ପନ ଏହାର ଏକ ବିକଳ୍ପ ସମାଧାନ । ପ୍ରାୟ ୧୫୦ ଟଙ୍କାରେ ପୁନଃବ୍ୟବହାର ଯୋଗ୍ୟ ସାନିଟାରୀ ପ୍ୟାଡ୍‌ ଏବଂ ୫୦୦ରୁ ୭୦୦ ଟଙ୍କାରେ ପିରିୟଡ୍‌ ପ୍ୟାଣ୍ଟି ବଜାରରେ ମିଳୁଛି । ଯାହା ପ୍ରାୟ ୧୨୦ ଥର ପର୍ଯ୍ୟନ୍ତ ବ୍ୟବହାର କରିହେବ । 

ସେହିପରି ମେନଷ୍ଟ୍ରୁଆଲ୍‌ କପ୍‌ ବି ଏକ ଦୀର୍ଘ ସ୍ଥାୟୀ ସମାଧାନ । ବିଭିନ୍ନ ବ୍ରାଣ୍ଡରେ ଏହା ୨୫୦ରୁ ୨୫୦୦ ଟଙ୍କା ପର୍ଯ୍ୟନ୍ତ ଉପଲବ୍ଧ । କ୍ୟାପିଟାଲ୍‌ ହସ୍ପିଟାଲର ଡାକ୍ତର ତଥା ପିଜିଆଇଏମଇଆର୍‌ ଆସିଷ୍ଟାଣ୍ଟ ପ୍ରଫେସର ସମ୍ବେଦନା ପାଣିଗ୍ରାହୀ କୁହନ୍ତି, ବ୍ୟବହୃତ ସାନିଟାରୀ ପ୍ୟାଡ୍‌କୁ ପରିବା ଚୋପା କିମ୍ବା ଅନ୍ୟ ସାଧାରଣ ଆବର୍ଜନା ସହ ମିଶାଇ ଫିଙ୍ଗିବା ଉଚିତ୍‌ ନୁହେଁ । ଏହା ପ୍ରଦୂଷଣ ତଥା ସଂକ୍ରମଣ ବଢାଇଥାଏ । ପିରିୟଡ୍‌ ପ୍ୟାଣ୍ଟି, ମେନଷ୍ଟ୍ରୁଆଲ୍‌ କପ୍‌ ଏ ଦିଗରେ ଏକ ଭଲ ବିକଳ୍ପ । କିନ୍ତୁ ଯାହା ବି ବ୍ୟବହାର କରନ୍ତୁ, ଏହାର ଡିସପୋଜାଲ୍‌ ପ୍ରକ୍ରିୟା ଉପରେ ଲୋକ ଅଧିକ ସଚେତନ ହେବା ଆବଶ୍ୟକ । ଅନ୍ୟ ମେଟ୍ରୋ ସିଟି ଭଳି ଆମ ରାଜ୍ୟର ସହରଗୁଡ଼ିକର ବିମାନ ବନ୍ଦର, ଷ୍ଟେସନ, ବସଷ୍ଟାଣ୍ଡ୍‌ ଆଦି ସର୍ବସାଧାରଣ ସ୍ଥାନରେ ସାନିଟାରୀ ଡିସପୋଜାଲ୍‌ ବ୍ୟବସ୍ଥା ରହିବା ଆବଶ୍ୟକ ।

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.