India Chip factory: ସେମିକଣ୍ଡକ୍ଟର ଫ୍ୟାକ୍ଟ୍ରି ନିର୍ମାଣ ଆରମ୍ଭ କଲା ଇଣ୍ଡିଆ ଚିପ୍: ଦେଶରେ ୨୫% ଚାହିଦା ପୂରା କରିବ

NEWS7
world-champion-lionel-messi-reached-argentina

ନୂଆଦିଲ୍ଲୀଉତ୍ତର ପ୍ରଦେଶ ନୋଏଡ଼ାରେ ଚିପ୍ ତିଆରି କାରଖାନା ନିର୍ମାଣ ଆରମ୍ଭ କଲା ଇଣ୍ଡିଆ ଚିପ୍ କମ୍ପାନୀ। ଏଚ୍‌ସିଏଲ୍ ଗ୍ରୁପ ଓ ଫକ୍ସକନର ମିଳିତ ଉଦ୍ୟମରେ ଇଣ୍ଡିଆ ଚିପ୍ ନାମକ ଜଏଣ୍ଟ ଭେଞ୍ଚର କମ୍ପାନୀ ସ୍ଥାପନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କମ୍ପାନୀର ଭିତ୍ତି ପ୍ରସ୍ତର ସ୍ଥାପନ କରିବାର କିଛି ଦିନ ପରେ କମ୍ପାନୀ ପ୍ଲାଣ୍ଟ ନିର୍ମାଣ ଆରମ୍ଭ କରିଛି।

ଇଣ୍ଡିଆ ଚିପ୍‌ରେ ଏହି ପ୍ଲାଣ୍ଟରେ ସ୍ମାର୍ଟଫୋନ୍, ଟିଭି, ଲାପଟପ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଡିଭାଇସଗୁଡ଼ିକରେ ସ୍କ୍ରିନକୁ ଶକ୍ତି ପ୍ରଦାନ କରୁଥିବା ଡିସପ୍ଲେ ଡ୍ରାଇଭର୍ ଚିପ୍ସକୁ ଆସେମ୍ବଲ(ଯୋଡ଼ିବା), ପ୍ୟାକେଜ୍ ଏବଂ ପରୀକ୍ଷା କରାଯିବ। ଯମୁନା ଏକ୍ସପ୍ରେସୱେର ଜେୱାର ନିକଟରେ ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ଲାଣ୍ଟଟି ଏକ ଉନ୍ନତ ଆଉଟସୋର୍ସଡ୍ ସେମିକଣ୍ଡକ୍ଟର ଆସେମ୍ବଲି ଏବଂ ପରୀକ୍ଷଣ (OSAT) ୟୁନିଟ୍ ହେବ। ବର୍ତ୍ତମାନ ଏହାର ନିର୍ମାଣ କାମ ଆରମ୍ଭ ହୋଇଥିବା ବେଳେ ୨୦୨୮ରେ କମ୍ପାନୀ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତି ମାସରେ ଏଠାରେ ୨୦,୦୦୦ ଚିପ୍ ପ୍ରୋସେସ୍ କରିବାକୁ ଡିଜାଇନ୍ କରାଯାଇଛି।

HCL ଏବଂ Foxconnର ମିଳିତ ଉଦ୍ୟମର ନିର୍ମିତ ହେଉଥିବା ଏହି ଫ୍ୟାକ୍ଟ୍ରିରେ ୩,୭୦୦ କୋଟି ଟଙ୍କା ନିବେଶ କରାଯାଇଛି। ୬୦-୪୦ ଅନୁପାତରେ କମ୍ପାନୀର ଶେୟାର ରହିବ। ଚିପ୍ ପ୍ରୋସେସିଂ ବ୍ୟତୀତ, OSAT ପ୍ଲାଣ୍ଟ ସେମିକଣ୍ଡକ୍ଟରଗୁଡ଼ିକୁ ଆସେମ୍ବଲ ଏବଂ ଟେଷ୍ଟିଂ କରିବ। ଚିପ୍ ଟେଷ୍ଟିଂ କରିବା ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। କାରଣ ଚିପ୍ସ ଗ୍ରାହକ ଇଲେକ୍ଟ୍ରୋନିକ୍ସରେ ସମନ୍ୱିତ ହେବା ପୂର୍ବରୁ ଏହାର କାର୍ଯ୍ୟଦକ୍ଷତା ଏବଂ ନିର୍ଭରଯୋଗ୍ୟତା ମାନଦଣ୍ଡ ପୂରଣ କରୁଛି କି ନାହିଁ ତା ଯାଞ୍ଚ କରାଯିବ।

କମ୍ପାନୀ କହିଛି ଯେ ଏହି ପ୍ଲାଣ୍ଟ ଭାରତର ଡିସପ୍ଲେ ଡ୍ରାଇଭର ଚିପ୍ସର ଘରୋଇ ଚାହିଦାର ପ୍ରାୟ ୨୫ ପ୍ରତିଶତ ପୂରଣ କରିପାରିବ। ବର୍ତ୍ତମାନ ଏହି ଡିସ୍ପ୍ଲେ ଡ୍ରାଇଭ ଚିପ୍‌କୁ ଭାରତ ସମ୍ପୂର୍ଣ୍ଣ ଆମଦାନୀ କରୁଛି। ଏହାର କୌଣସି ପ୍ରଡକ୍ସନ ଦେଶରେ ହେଉ ନାହିଁ। ତେବେ ନୋଏଡ଼ାର ଏହି ପ୍ଲାଣ୍ଟ କେବଳ ଦେଶରେ ଚାହିଦା ପୂରଣ କରିବ ନାହିଁ ବରଂ ଏବଂ ବିଶ୍ୱ ବଜାରକୁ ୨୦-୩୦ ପ୍ରତିଶତ ଉତ୍ପାଦନ ମଧ୍ୟ ରପ୍ତାନି କରିପାରିବ।

କିଛିଦିନ ତଳେ ଭାର୍ଚ୍ଚୁଆଲୀ ଭାବେ ଏହି କମ୍ପାନୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ସହିତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଭର୍ଚୁଆଲ୍ ଭାବରେ ଉତ୍ସବରେ ଯୋଗ ଦେଇଥିଲେ।

ଡିସ୍‌ପେ ଚିପ୍‌କୁ ଗୁରୁତ୍ୱ

ଭାରତର ଇଲେକ୍ଟ୍ରୋନିକ୍ସ -ବିଶେଷକରି ମୋବାଇଲ୍ ଫୋନ୍,ଲ୍ୟାପଟପ, ଟିଭି, ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଉତ୍ପାଦନ ବୃଦ୍ଧି ପାଇବା ସହିତ ଏହାର ଚାହିଦା ବି ହୁ ହୁ ହୋଇ ବଢି ଚାଲିଛି। ତେଣୁ ଡିସ୍ପ୍ଲେ ସମ୍ପର୍କିତ ସାମଗ୍ରୀଗୁଡ଼ିକର ଡିମାଣ୍ଡ ବଢ଼ି ଚାଲିଛି। ଆଉ ବର୍ତ୍ତମାନ ନିର୍ମାତାମାନେ ଡିସପ୍ଲେ ଡ୍ରାଇଭର ଇଣ୍ଟିଗ୍ରେଟେଡ୍ ସର୍କିଟ୍ ପାଇଁ ସମ୍ପୂର୍ଣ୍ଣ ଆମଦାନୀ ଉପରେ ନିର୍ଭର କରୁଛନ୍ତି। ତେଣୁ ଏହି ସେଗମେଣ୍ଟକୁ ଭାରତରେ ଉତ୍ପାଦନ କରି ଇଣ୍ଡିଆ ଚିପ୍ ଭାଲ୍ୟୁ ଚେନ୍ରେ ଏକ ପ୍ରମୁଖ ବ୍ୟବଧାନ ପୂରଣ କରିବା ଏବଂ ବାହ୍ୟ ନିର୍ଭରଶୀଳତା ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି।

ଏହି କମ୍ପାନୀ ପ୍ରତିଷ୍ଠା ହେବା ପରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ୩,୫୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିସହିତ ସପ୍ଲାଏ, ଲଜିଷ୍ଟିକ୍ସ ପାର୍ଟନର ଏବଂ ଆନୁଷଙ୍ଗିକ ୟୁନିଟ୍ ସମେତ ଏକ ସ୍ଥାନୀୟ ସେମିକଣ୍ଡକ୍ଟର ଇକୋସିଷ୍ଟମର ବିକାଶରେ ମଧ୍ୟ ସହାୟକ ହେବ।