ଭାରତରେ କମ ହୋଇଛି ଦୁର୍ନୀତି, ଆମେରିକା ଓ ବ୍ରିଟେନରେ ବଢିଛି...୧୮୨ ଦେଶକୁ ନେଇ ଜାରି ହେଲା ରିପୋର୍ଟ

NEWS7
world-atheletes-championship-niraj-chopra

ନୂଆଦିଲ୍ଲୀ: ୟୁରୋପ ଓ ଆମେରିକାରେ ଦୁର୍ନୀତି ମାମଲା ବଢିଥିବା ବେଳେ, ଭାରତରେ ୨୦୨୪ ତୁଳନାରେ ୨୦୨୫ରେ ଦୁର୍ନୀତି ମାମଲା ହ୍ରାସ ପାଇଛି । ଗ୍ଲୋବାଲ୍ ଟ୍ରାନ୍ସପରେନ୍ସିର ଏକ ରିପୋର୍ଟରେ ଏହି ଦାବି କରାଯାଇଛି । ରିପୋର୍ଟ ଅନୁସାରେ, ୨୦୨୫ରେ ଭାରତର ସ୍କୋରରେ ସୁଧାର ଆସିଛି । ଏବେ ଭାରତ ଦୁନିଆରେ ଭ୍ରଷ୍ଟାଚାର ମାମଲାରେ ୯୧ତମ ସ୍ଥାନରେ ରହିଛି । ଗ୍ଲୋବାଲ୍ ଟ୍ରାନ୍ସପରେନ୍ସି ଅନୁସାରେ ଦୁନିଆରେ ଡେନମାର୍କ ଏକମାତ୍ର ଦେଶ, ଯେଉଥିରେ ଦୁର୍ନୀତିର ସବୁଠୁ କମ ମାମଲା ରହିଛି । ଦକ୍ଷିଣ ସୁଦାନ, ସୋମାଲିଆ ଦୁନିଆର ସବୁଠୁ ଦୁର୍ନୀତିଗ୍ରସ୍ତ ଦେଶ ଅଟେ । ଗ୍ଲୋବାଲ୍ ଟ୍ରାନ୍ସପରେନ୍ସି ଦୁନିଆର ୧୮୨ ଦେଶକୁ ନେଇ ଏହି ରିପୋର୍ଟ ଜାରି କରିଛି ।

ଦୁର୍ନୀତିକୁ ନେଇ ଜାରି ରିପୋର୍ଟରେ କେବଳ ୭ଟି ଦେଶ ଅଛନ୍ତି, ଯେଉଁମାନଙ୍କ ସ୍କୋର ୮୦ରୁ ଅଧିକ ରହିଛି । ୟୁରୋପୀୟ ଦେଶରେ ଦୁର୍ନୀତିର ଚେର ବ୍ୟାପିବାରେ ଲାଗିଛି । ବ୍ରିଟେନ, ଫ୍ରାନ୍ସ, ଇଟାଲୀ ପରି ଦେଶର ସ୍କୋରରେ ହ୍ରାସ ରେକର୍ଡ ହୋଇଛି । କେବଳ ଜର୍ମାନୀରେ ଦୁର୍ନୀତି ମାମଲା ହ୍ରାସ ପାଇଛି । ସେପଟେ ବ୍ରିଟେନ ଶୀର୍ଷ-୨୦ ଦେଶର ଲିଷ୍ଟରୁ ବାହର ହୋଇଛି ।

ଆମେରିକାର ସ୍କୋରରେ ବି ହ୍ରାସ ଘଟିଛି । ରାଷ୍ଟ୍ରପତି ଟ୍ରମ୍ପ ଦୁର୍ନୀତିକୁ ଶେଷ କରିବା କଥା କହୁଥିବା ବେଳେ ଏହି ତାଲିକାରେ ଆମେରିକା ଗୋଟିଏ ସ୍ଥାନ ତଳକୁ ଖସିଛି । ୨୦୨୪ରେ ଆମେରିକା ୨୮ତମ ସ୍ଥାନରେ ଥିଲା, ଏବେ ସେ ୨୯ତମ ସ୍ଥାନକୁ ଖସି ଆସିଛି । ସେପଟେ ସମସ୍ତ ପଦକ୍ଷେପ ସତ୍ତ୍ୱେ, ଚୀନରେ ଦୁର୍ନୀତି ମାମଲା ହ୍ରାସ ପାଇନାହିଁ । ଚୀନର ସ୍କୋର ୪୩ ସହ ସ୍ଥିର ରହିଛି । ଦୁର୍ନୀତି ଦୃଷ୍ଟିରୁ ଚୀନ୍ ୭୬ତମ ସ୍ଥାନରେ ଅଛି ।

୨୦୨୪ ମସିହାରେ ଭାରତ ଦୁର୍ନୀତି ଦୃଷ୍ଟିରୁ ୯୩ତମ ସ୍ଥାନରେ ଥିଲା । ୨୦୨୫ ମସିହାରେ ଏହା ଗୋଟିଏ ପଏଣ୍ଟ ହ୍ରାସ ପାଇ ୯୧ତମ ସ୍ଥାନରେ ପହଞ୍ଚିଛି । ଭାରତର ସ୍କୋର ହେଉଛି ୩୯ । ସାମଗ୍ରିକ ଭାବରେ, ଗତ ତିନି ବର୍ଷ ମଧ୍ୟରେ ଦୁର୍ନୀତି ଉପରେ ଭାରତର ରାଙ୍କିଂରେ ଉନ୍ନତି ହୋଇଛି । ତେବେ ଏହି ଉନ୍ନତି କିପରି ହେଲା ସେ ବିଷୟରେ ବିବରଣୀ ପ୍ରଦାନ କରାଯାଇ ନାହିଁ । ତଚାପି ଦୁର୍ନୀତି ଦୂର କରିବା କ୍ଷେତ୍ରରେ ଭାରତ ଏବେ ବି ବିଶ୍ୱର ଅନ୍ୟ ଦେଶଠାରୁ ବହୁତ ପଛରେ ଅଛି, କାରଣ ଦୁର୍ନୀତି ସୂଚକାଙ୍କରେ ୩୯ ସ୍କୋରକୁ ବହୁତ ବିପଦପୂର୍ଣ୍ଣ ବୋଲି ବିବେଚନା କରାଯାଏ ।