ସାଂସଦଙ୍କ ଫାର୍ମ ହାଉସ୍‌ରେ ବିଜେଡି ନେତାଙ୍କ ମେଳି, ବନ୍ଧୁମିଳନ ଆଳରେ ଏକାଠି ହେଲେ ନେତା

NEWS7
womens-fast-track-court-to-start-soon-in-the-state-law-minister--says-in-

କଟକ ୨୯।୧୨ : ବିଜେଡି ନେତାଙ୍କ ପୁଣି ମେଳି । ପ୍ରଥମେ ଚନ୍ଦକାରେ ମେଳି, ଆଉ ଏବେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଫାର୍ମ ହାଉସରେ ମେଳି ।ଦେବାଶିଷ ସାମନ୍ତରାୟଙ୍କ ତେଲେଙ୍ଗାପେଣ୍ଠସ୍ଥିତ ଫାର୍ମ ହାଉସ୍ରେ କିଛି ବରିଷ୍ଠ ବିଜେଡି ନେତା ପୁଣି ଏକାଠି ହୋଇଛନ୍ତି । ୨୦୨୫ ବର୍ଷକୁ ବିଦାୟ ଦେଇ ନୂଆବର୍ଷ ପୂର୍ବରୁ ଏହା ଏକ ସାଧାରଣ ବନ୍ଧୁମିଳନ ବୋଲି ଆୟୋଜକଙ୍କ ପକ୍ଷରୁ ଯଦିଓ କୁହାଯାଉଛି ତେବେ ଅସ୍ଥିର ରାଜ୍ୟ ରାଜନୈତିକ ଦୃଶ୍ୟପଟରେ ଏହି ବନ୍ଧୁମିଳନକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।

ଦେବାଶିଷଙ୍କ ତରଫରୁ ଏହି ବନ୍ଧୁମିଳନ ଆୟୋଜନ କରାଯାଇଥିଲା । ଏଥିରେ ବରିଷ୍ଠ ବିଜେଡି ନେତା ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରାକ୍ତନ ବିଧାୟକ ସମ୍ବିତ୍ ରାଉତରାୟ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ପୂର୍ବତନ ବିଧାୟକ ଚନ୍ଦ୍ରସାରଥି ବେହେରା, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ବିଷ୍ଣୁବ୍ରତ ରାଉତରାୟ, ରୁଦ୍ର ମହାରଥୀଙ୍କ ଭଳି ନେତାଙ୍କୁ ଦେଖିବାକୁ ମିଳିଥିଲା । ବାରବାଟୀ-କଟକ ନିର୍ବାଚନମଣ୍ଡଳୀର କିଛି ନେତା ମଧ୍ୟ ଏଠାକୁ ଯାଇଥିଲେ। ପ୍ରାୟ ୬୦ ଜଣଙ୍କ ଲାଗି ଆୟୋଜନ କରାଯାଇଥିଲା । ଦିନ ତମାମ୍ ସମସ୍ତେ ଫାର୍ମହାଉସ୍ରେ ଏକାଠି ରହି ଖାନାପିନା କରିଥିଲେ । ରାଜନୈତିକ ଚର୍ଚ୍ଚା ବି ହୋଇଥିଲା ।

ଏ ବାବଦରେ ଦେବାଶିଷ କହିଛନ୍ତି, ବର୍ଷ ସରିଆସୁଛି, ଆଗକୁ ନୂଆବର୍ଷ । ସେଥିପାଇଁ ଏହା ଏକ ବନ୍ଧୁମିଳନ ଥିଲା । ମୋ ସହ ସମ୍ପର୍କରେ ରହିଥିବା କିଛି ନେତାଙ୍କୁ ଏକାଠି ଖାଇବାକୁ ନିମନ୍ତ୍ରଣ କରିଥିଲି । ଏହାକୁ ରାଜନୈତିକ ରୂପରେଖ ଦିଆନଗଲେ ଭଲ । ନୂଆବର୍ଷରେ କିଛି ନୂଆ ରାଜନୈତିକ ସମୀକରଣ ହେବାର ସମ୍ଭାବନା ରହିଛି କି ନାହିଁ ପ୍ରଶ୍ନରେ ଦେବାଶିଷ ନିରବ ରହିବା ରାଜନୈତିକ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ଅନ୍ୟପକ୍ଷରେ ଆଜି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଟିମ୍ ଘୋଷଣା କରାଯିବା ବେଳେ ଏଥିରେ କଟକର ଯୁବ ଓ ଛାତ୍ର ନେତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ଉଠିଛି। ଭଦ୍ରକର ଯୁବ ନେତା ଚିନ୍ମୟ ଦାସଙ୍କୁ କଟକର ପ୍ରତିନିଧିତ୍ୱରେ ରାଜ୍ୟ ଛାତ୍ର ଟିମ୍ର କାର୍ଯ୍ୟକାରୀ ସଭାପତି ଘୋଷଣା କରାଯାଇଛି । ଏହାକୁ ନେଇ ଖପା ହେଇ ଦେବାଶିଷ କହିଛନ୍ତି, କଟକରେ ଯେଉଁମାନେ ବିଜେଡିର ନାଁ ଟେକ ରଖିଥିଲେ ସେମାନଙ୍କୁ ସଂଗଠନ ଦାୟିତ୍ୱ ଦିଆଯାଇ ନାହିଁ । ମେୟର ନିର୍ବାଚନରେ ଏମାନଙ୍କର ପ୍ରମୁଖ ଭୂମିକା ରହିଥିଲା । କିନ୍ତୁ ଯଦି ଏଭଳି ସଂଗଠନ କର୍ମକର୍ତ୍ତା ବଛାଯିବ ତେବେ ସଂଗଠନ ଦୁର୍ବଳ ହେବ ବୋଲି ଦେବାଶିଷ ରୋକ୍ଠୋକ୍ କହିଛନ୍ତି ।

ସେହିପରି ଏ ବାବଦରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ କହିଛନ୍ତି, କଟକରେ ଯୁବନେତା ଦୀର୍ଘ ବର୍ଷ ଧରି ସଂଗଠନରେ ରହି ଝାଳବୁହା ପରିଶ୍ରମ କରୁଛନ୍ତି। କିନ୍ତୁ ତାଙ୍କୁ ସଂଗଠନରେ ପଦପଦବି ଦିଆନଯିବା ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି । ଏହା ଦ୍ୱାରା ସଂଗଠନ ଦିନକୁ ଦିନ ଦୁର୍ବଳ ହେବ । ଏ ବାବଦରେ ଆଗକୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଅବଗତ କରାଇବୁ ।