ଜନ ସମର୍ଥନ ପରେ ବଦଳିଗଲେ ସମିତି ସଭ୍ୟା, ଚୋରା ମଦ କାରବାରରେ ହେଲେ ଗିରଫ

Published By : Prameya-News7 Bureau | July 28, 2025 IST

ସୁନ୍ଦରଗଡ଼ ୨୮।୦୭ : ନିଶା ହଟାଇବାକୁ କଲେ ଆନ୍ଦୋଳନ । ସଫଳ ମଧ୍ୟ ହେଲେ । ପରେ ନିର୍ବାଚନରେ ଜିତି ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ପରବର୍ତ୍ତୀ ସମୟରେ ସେହି ସମିତି ସଭ୍ୟ ହିଁ ଚୋରା ମଦ କାରବାରରେ ସାମିଲ ଥିବାରୁ ଖବର ପାଇଲା ପୋଲିସ । ଆଉ ଏବେ ଗିରଫ ହୋଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ ମେଘଡେଗା ପଞ୍ଚାୟତର ସମିତି ସଭ୍ୟ ପ୍ରମୋଦିନୀ ମାଝୀ । 

ଖବର ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ  ମେଘଡେଗା ପଞ୍ଚାୟତର ପ୍ରମୋଦିନୀ ମାଝୀ ମଧ୍ୟ  ନିଶା ହଟାଇବାକୁ ଓହ୍ଲାଇଥିଲେ ଆନ୍ଦୋଳନକୁ। ଜନସମର୍ଥନ ପାଇବା ପରେ ସମିତିସଭ୍ୟ ଭାବେ ବିଜୟୀ ମଧ୍ୟ ହେଲେ । ଖୋଦ୍‌ ଚୋରା ମଦ ବ୍ୟବସାୟ କରି ଏବେ ଅବକାରୀ ବିଭାଗ ହାତରେ ବନ୍ଧା ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମେଘଡ଼େଗା ପଞ୍ଚାୟତରେ ଚୋରା ମଦ କାରବାର ବିରୋଧରେ ସ୍ୱର ଉତ୍ତୋଳନ କରି ଚର୍ଚ୍ଚାକୁ ଆସିଥିଲେ ପ୍ରମୋଦିନୀ। ତାଙ୍କର ଏଭଳି ଉଦ୍ୟମ ଲୋକଙ୍କ ଆସ୍ଥା ଜିତିଥିଲା। ପଞ୍ଚାୟତ ନିର୍ବାଚନରେ ଲୋକେ ତାଙ୍କୁ ସମିତିସଭ୍ୟ ଭାବେ ବିପୁଳ ଭୋଟ୍‌ରେ ଜିତାଇଥିଲେ। ହେଲେ ନିର୍ବାଚନ ପରେ ସେ ବଦଳିଗଲେ। ଅଞ୍ଚଳକୁ ମଦମୁକ୍ତ କରିବା ବଦଳରେ ମଦ ବ୍ୟବସାୟ ଆରମ୍ଭ କରିଦେଲେ। ଜଣେ ନିର୍ବାଚିତ ପ୍ରତିନିଧିଙ୍କ ଏଭଳି ବେଆଇନ ବ୍ୟବସାୟ ସମ୍ପର୍କରେ ବାରମ୍ବାର ଅଭିଯୋଗ ହୋଇଥିଲା। ଉଜ୍ଜଲପୁର ଅବକାରୀ ଇନ୍ସପେକ୍ଟର ଆରତୀ ମିଶ୍ର ଏ ସମ୍ପର୍କରେ ଜାଣିବା ପରେ ଏକ ଟିମ୍‌ ସହ ଚଢ଼ଉ କରିଥିଲେ। ଘର ଯାଞ୍ଚ କରିବା ସମୟରେ ବିପୁଳ ପରିମାଣର ଦେଶୀ ଓ ବିଦେଶୀ   ମଦ ମିଳିଥିଲା। ଜବତ ମଦ ଆନୁମାନିକ ୧ ଲକ୍ଷ   ଟଙ୍କାର ହେବ। ସମିତିସଭ୍ୟାଙ୍କୁ ଅବକାରୀ ବିଭାଗ ଗିରଫ କରିଛି । କୋର୍ଟରେ ଜାମିନ ନାମଞ୍ଜୁର ପରେ ଜେଲ ହାଜତକୁ ପଠାଇ ଦିଆଯାଇଛି ସୁନ୍ଦରଗଡ଼ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.