india us trade deal: ନୂଆ ଟାରିଫ ଢାଞ୍ଚା ସ୍ପଷ୍ଟ ହେବା ପରେ ଆମେରିକା ସହ ଡିଲ୍ ହେବ ବୋଲି କହିଲା ଭାରତ

NEWS7
woman-suspected-of-gang-raping-in-salepur-police-question-two-people--

ନୂଆଦିଲ୍ଲୀଆମେରିକା ଓ ଭାରତ ମଧ୍ୟରେ ପ୍ରସ୍ତାବିତ ବାଣିଜ୍ୟ ଚୁକ୍ତି ନେଇ ସୋମବାର ଭାରତ ସରକାର ପକ୍ଷରୁ ପ୍ରତିକ୍ରିୟା ଆସିଛି। ୱାଶିଂଟନ ଦ୍ୱାରା ତିଆରି କରାଯାଉଥିବା ନୂଆ ଶୁଳ୍କ ଢାଞ୍ଚା ସ୍ପଷ୍ଟ ହେବା ପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହେବ ବୋଲି ସୋମବାର ଭାରତ ସରକାର କହିଛନ୍ତି। ଭାରତ ସରକାର ଓ ଆମେରିକା ମଧ୍ୟରେ ଚୁକ୍ତି ନେଇ ଏବେ ବି ଆଲୋଚନା ଜାରି ରହିଛି ବୋଲି ସଂକେତ ଦେଇଛନ୍ତି ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ। ଭାରତ ଏବଂ ଆମେରିକା ବର୍ତ୍ତମାନ ଚୁକ୍ତିର ସୂକ୍ଷ୍ମ ବିବରଣୀ ଉପରେ ଆଲୋଚନା କରୁଛନ୍ତି ବୋଲି ସେ କହିଛନ୍ତି।

ଶ୍ରୀ ଅଗରୱାଲ କହିଛନ୍ତି “ଆମେ ବର୍ତ୍ତମାନ ଆମେରିକା ସହିତ ସବିଶେଷ ଆଲୋଚନା କରୁଛୁ। ନୂଆ ଟାରିଫ ଢାଞ୍ଚା ସ୍ପଷ୍ଟ ହେବା ପରେ ଚୁକ୍ତି ସ୍ୱାକ୍ଷରିତ ହେବ।” ଫେବୃଆରୀ ମାସ ଆରମ୍ଭରେ ଆମେରିକା ଓ ଭାରତ ଦ୍ୱିପାକ୍ଷିକ ଚୁକ୍ତି ଘୋଷଣା କରିଥିଲେ। ଏହା ପ୍ରଥମେ ମାର୍ଚ୍ଚ ମାସରେ ଶେଷ ହେବାର ଆଶା କରାଯାଉଥିଲା। ତେବେ ଆମେରିକା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଟ୍ରମ୍ପ ଲଗାଇଥିବା ବେଆଇନ ଶୁଳ୍କ ହଟିବା ପରେ ସବୁ ବିଗିଡ଼ି ଯାଇଥିଲା। ତେଣୁ ଭାରତ ମଧ୍ୟ ଡିଲ୍ରୁ ପଛଘୁଞ୍ଚା ଦେଇଥିଲା।

ପଢ଼ନ୍ତୁ- Forbes india's Billionaires 2026: ବର୍ଷକରେ ଭାରତରେ ସୃଷ୍ଟି ହୋଇଛନ୍ତି ୨୪ ନୂଆ ଆରବପତି

ସୁପ୍ରିମକୋର୍ଟରୁ ଝଟ୍କା ମିଳିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଜିଦ୍ରେ ରହି ଆମେରିକା ସମ୍ବିଧାନର ଧାରା ୧୨୨ ଅନୁସାରେ, ପୁଣିଥରେ ସବୁ ଦେଶଗୁଡ଼ିକ ଉପରେ ୧୦ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ। ତେଣୁ ଏହାକୁ ନେଇ ପୁଣିଥରେ ଦ୍ୱଦ୍ୱ ସୃଷ୍ଟି ହୋଇଥିଲା।

ଯାହାକୁ ନେଇ ଅଗ୍ରୱାଲ କହିଛନ୍ତି ଯେ ଭାରତ ଚୁକ୍ତି ସ୍ୱାକ୍ଷର କରିବା ପୂର୍ବରୁ ନୂଆ ଶୁଳ୍କ ବ୍ୟବସ୍ଥା ଉପରେ ସ୍ପଷ୍ଟତା ପାଇଁ ଅପେକ୍ଷା କରିବ। ତେବେ କିନ୍ତୁ ତା’ ବାଟରେ ଜାରି ରହିଛି ବୋଲି ଅଗରୱାଲ କହିଛନ୍ତି। ସେ କହିଛନ୍ତି "ଡିଲ୍ ପ୍ରସ୍ତୁତ। ଏହାକୁ ବାତିଲ କରାଯାଇ ନାହିଁ ଏବଂ ଦୁଇ ରାଷ୍ଟ୍ର ମଧ୍ୟରେ ଅଚଳାବସ୍ଥା ଭଳି କିଛି ନାହିଁ।"

କମୁଛି ରପ୍ତାନି ବଢ଼ୁଛି ଆମଦାନୀ

ଫେବୃଆରୀ ମାସରେ ଭାରତର ବାଣିଜ୍ୟ ସ୍ଥିତି ଉପସ୍ଥାପନ କରିବା ସମୟରେ ଶ୍ରୀ ଅଗ୍ରୱାଲ ଏହି ମନ୍ତବ୍ୟ ଦେଇଛନ୍ତି। ସରକାରୀ ତଥ୍ୟ ଦର୍ଶାଉଛି ଯେ ଫେବ୍ରୁଆରୀ ମାସ ମଧ୍ୟରେ ମାର୍ଚାଣ୍ଡାଇଜ୍ ରପ୍ତାନି ବାର୍ଷିକ ଆଧାରରେ ୦.୮୧ ପ୍ରତିଶତ ହ୍ରାସ ପାଇ ୩୬.୮୧ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି। ହେଲେ ଆମଦାନୀ କିନ୍ତୁ ଦ୍ରୁତ ଗତିରେ ବଢ଼ିଛି। ଆମଦାନୀ ୨୪.୧୧ ପ୍ରତିଶତ ବୃଦ୍ଧି ପାଇ ୬୩.୭୧ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି, ଯାହା ଗତ ବର୍ଷର ସମାନ ମାସରେ ୫୧.୩୩ ବିଲିୟନ ଆମେରିକୀୟ ଡଲାର ଥିଲା। ଆମଦାନୀ ବୃଦ୍ଧି ସତ୍ତ୍ୱେ, ଫେବୃଆରୀରେ ଭାରତର ବାଣିଜ୍ୟ ନିଅଣ୍ଟ ୨୭.୧ ବିଲିୟନ ଆମେରିକୀୟ ଡଲାର ରହିଛି।

ତେବେ ଆଶ୍ୱସ୍ତିକର କଥା ହେଲା ଏହି ବିତ୍ତୀୟ ନିଅଣ୍ଟ ବିଶ୍ଳେଷକମାନଙ୍କ ଆକଳନ ୨୮.୮ ବିଲିୟନ ଆମେରିକୀୟ ଡଲାର ତୁଳନାରେ କମ୍ ରହିଛି। ଏହାଛଡ଼ା ଜାନୁଆରୀ ମାସରେ ୩୪.୬୮ ବିଲିୟନ ଆମେରିକୀୟ ଡଲାର ବିତ୍ତୀୟ ନିୟଣ୍ଟ ହୋଇଥିଲା। ହେଲେ ଏହି ତୁଳନାରେ ଫେବ୍ରୁଆରୀ ମାସରେ ବିତ୍ତୀୟ ନିୟଣ୍ଟ ଯଥେଷ୍ଟ କମ୍ ରହିଛି।

ଭାରତ ପାଇଁ ଆମେରିକା ହେଉଛି ବଡ଼ ରପ୍ତାନୀ ମାର୍କେଟ୍

ଅନିଶ୍ଚିତତା ସତ୍ତ୍ୱେ, ଆମେରିକା ଭାରତର ସର୍ବବୃହତ ରପ୍ତାନି ଗନ୍ତବ୍ୟସ୍ଥଳ ହୋଇ ରହିଛି। ବାଣିଜ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୫-୨୬ର ଏପ୍ରିଲ-ଫେବୃଆରୀ ଅବଧି ମଧ୍ୟରେ ଭାରତର ମୋଟାମୋଟି ରପ୍ତାନି ୧.୮୪ ପ୍ରତିଶତ ବୃଦ୍ଧି ପାଇ ୪୦୨.୯୩ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି। ସମାନ ଅବଧୀ ମଧ୍ୟରେ ଆମଦାନୀ ୮.୫୩ ପ୍ରତିଶତ ବୃଦ୍ଧି ପାଇ ୭୧୩.୫୩ ବିଲିୟନ ଡଲାର ହୋଇଛି। ଆମେରିକାକୁ ରପ୍ତାନି ଆର୍ଥିକ ବର୍ଷ ୨୫ ଏପ୍ରିଲ-ଫେବୃଆରୀରେ ୭୬.୩୬ ବିଲିୟନ ଡଲାରରୁ ବୃଦ୍ଧି ପାଇ ୨୬ ଆର୍ଥିକ ବର୍ଷରେ ୭୯.୨୯ ବିଲିୟନ ଡଲାର ହୋଇଛି। ଭାରତୀୟ ରପ୍ତାନି ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ ଦ୍ୱିତୀୟ ସର୍ବବୃହତ ଗନ୍ତବ୍ୟସ୍ଥଳ ଭାବରେ ଉଭା ହୋଇଥିବା ବେଳେ ଚୀନ୍ ତୃତୀୟ ସ୍ଥାନରେ ରହିଛି। ଏହି ୩ ମାର୍କେଟ୍‌କୁ ଭାରତ ସର୍ବାଧିକ ସାମଗ୍ରୀ ରପ୍ତାନୀ କରୁଛି।

ପଢନ୍ତୁ- February wholesale price index : ଯୁଦ୍ଧ ଯୋଗୁ ସବୁ ମହଙ୍ଗା: ୧୧ ମାସରେ ରେକର୍ଡ ଭାଙ୍ଗିଲା ପାଇକାରୀ ମୁଦ୍ରାସ୍ଫୀତି

ପଡ଼ୋଶୀଙ୍କ ଠାରୁ ଭାରତ ଉପରେ ଶୁଳ୍କ କମ ରହିବ

ଏହି ବାଣିଜ୍ୟ ଚୁକ୍ତିନାମାରେ ପରସ୍ପରର ବଜାରରେ ତୁଳନାତ୍ମକ ଏବଂ ଅଗ୍ରାଧିକାର ପ୍ରବେଶ ସୁରକ୍ଷିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ପୂର୍ବରୁ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଥିଲେ। ସେଥିରେ ୨୫% ଦଣ୍ଡାତ୍ମକ ଟାରିଫ ଥିଲା, ଯାହା ଋଷ ଠାରୁ ତେଲ କିଣାଯାଉଥିବାରୁ ଲଗାଇଥିଲା ଆମେରିକା। ହେଲେ ଯେତେବେଳେ ଚୁକ୍ତିନାମାର ପ୍ରଥମ ପର୍ଯ୍ୟାୟ ପାଇଁ ଢାଞ୍ଚା ଘୋଷଣା କରାଯାଇଥିଲା, ସେତେବେଳେ ଆମେରିକା ବଜାରରେ ପ୍ରବେଶ କରୁଥିବା ଭାରତୀୟ ସାମଗ୍ରୀ ପାଇଁ ପ୍ରସ୍ତାବିତ ଶୁଳ୍କ ସ୍ତର ପ୍ରାୟ ୧୮ ପ୍ରତିଶତ ଥିଲା। ଯାହା ପଡ଼ୋଶୀ ଚୀନ, ଭିଏତନାମ ଓ ଥାଇଲାଣ୍ଡ ଠାରୁ ତୁଳନାତ୍ମକ ଭାବେ କମ୍ ଥିଲା। ନୂଆ ଚୁକ୍ତିରେ ବି ପଡ଼ୋଶୀଙ୍କ ଠାରୁ ଭାରତ ତୁଳନାତ୍ମକ ଭାବେ ଲାଭ ପାଇବ ବୋଲି ଅଧିକାରୀମାନେ କହିଛନ୍ତି।

ଏନେଇ ଜଣେ ଅଧିକାରୀ କହିଛନ୍ତି “ଯଦି ଅନ୍ୟ ଦେଶଗୁଡ଼ିକ ଉପରେ ଆମେରିକା ୧୯, ୨୦ କିମ୍ବା ୨୧ ପ୍ରତିଶତ ଶୁଳ୍କ ଲଗାଏ, ତେବେ ଭାରତ ୧୮ ପ୍ରତିଶତରେ ରହିପାରେ। କିନ୍ତୁ ଯଦି ଅନ୍ୟମାନଙ୍କ ପାଇଁ ଶୁଳ୍କ ହ୍ରାସ କରାଯାଏ, ତେବେ ଭାରତର ହାର ମଧ୍ୟ ପରିବର୍ତ୍ତନ ହୋଇପାରେ।”