LIVE TV

ଶରଧାବାଲି ଦଳାଚକଟା ଘଟଣାରେ ପୁଣି କାର୍ଯ୍ୟାନୁଷ୍ଠାନ, ଆଉ ଜଣେ ଅଧିକାରୀଙ୍କ ବିରୋଧରେ ଆକ୍ସନ

NEWS7
woman-strike-in-front-of-baranga-police-station

ଭୁବନେଶ୍ବର: ଚଳିତ ବର୍ଷ ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଘଟିଥିବା ଦଳଚକଟା ଘଟଣାରେ ପୁଣି ସରକାରଙ୍କ ଆକ୍ସନ। କାର୍ଯ୍ୟରେ ଅବହେଳା ପାଇଁ ଜଣେ ଅଧିକାରୀଙ୍କ ଉପରେ ହୋଇଛି କାର୍ଯ୍ୟାନୁଷ୍ଠାନ। ଅଧିକାରୀ ହେଉଛନ୍ତି ପୁରୀ ଏସିଏଫ ଅଶୋକ ବେହେରା । ତେବେ ତାଙ୍କୁ ନିଜ ପକ୍ଷ ରଖିବାକୁ ୩୦ ଦିନର ସମୟ ଦିଆଯାଇଛି।

ସୂଚନା ଅନୁସାରେ, ଘଟଣା ଦିନ ଏସିଏଫ ଅଶୋକ ବେହେରା କଣ୍ଟ୍ରୋଲ ରୁମ୍ ଦାୟିତ୍ବରେ ଥିଲେ। ହେଲେ ଦାୟିତ୍ବରେ ଅବହେଳା କରିଥିବା ଜଣାପଡ଼ିଛି। ତେଣୁ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ରିପୋର୍ଟ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହା ପୂର୍ବରୁ ମଧ୍ୟ ଘଟଣାରେ ୪ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି। ସେମାନେ ହେଲେ ସହକାରୀ ଜିଲ୍ଲାପାଳ, DSSO, ୨ ଅତିରିକ୍ତ ତହସିଲଦାର। ସେହିଭଳି ତଦନ୍ତ ରିପୋର୍ଟ ଆଧାରରେ ୭ ଜଣ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିସ୍ କରାଯାଇଛି।

ସୂଚନାଥାଉକି, ଜୁନ୍ ୨୯ ତାରିଖରେ ଶରଧାବାଲି ରଥ ସମ୍ମୁଖରେ ଦଳାଚକଟା ହୋଇଥିଲା। ଏଥିରେ  ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବାବେଳେ କିଛି ଭକ୍ତ ଆହତ ହୋଇଥିଲେ। ଘଟଣାର ତଦନ୍ତ ରିପୋର୍ଟକୁ ଗତ ଜୁଲାଇ ୩୧ ତାରିଖରେ ଉନ୍ନୟନ କମିସନର ଅନୁ ଗର୍ଗ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ କରିଥିଲେ। ଘଟଣାରେ କିଏ ଦାୟୀ ?  ବ୍ୟବସ୍ଥାଗତ ବିଫଳତା, ଏହାକୁ କିପରି ଏଡ଼ାଯାଇପାରିଥାନ୍ତା ? ଆଗାମୀ ଦିନରେ କିପରି ଏଭଳି ଅଘଟଣ ନ ଘଟିବ, ସେ ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ତଥ୍ୟ ସହ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ ଉନ୍ନୟନ କମିଶନ । ଯାହା ପରେ ସରକାର ଏହି ଆକ୍ସନ ନେଇଛନ୍ତି।