ଦୁର୍ଘଟଣା ପାଇଁ ରୂପାଲି ଛକକୁ ବାଛିନେଇଛି ‘ଆମ ବସ୍’ : ସକାଳେ ଜଣଙ୍କ ଜୀବନ ନେଲା, ସନ୍ଧ୍ୟାରେ ଜଣଙ୍କୁ ଘାଇଲା କଲା

NEWS7
woman-hanging-mrutadeha-found-in-narayanpatna

ଭୁବନେଶ୍ବର ୩।୧: ରୁପାଲି ଛକରେ ଯେମିତି ଛକି ବସିଛି ଯମ । ଦୁର୍ଘଟଣା ପାଇଁ ରୁପାଲି ଛକକୁ ଯେମିତି ବାଛି ନେଇଛି ଆମ ବସ୍ । ସକାଳେ ଅଟୋକୁ ଧକ୍କା ଦେଲା ଆଉ ଏବେ ସ୍କୁଟରକୁ । ସକାଳେ ଯାଇଥିଲା ଜଣଙ୍କ ଜୀବନ । ଜଣେ ହୋଇଥିଲେ ଗୁରୁତର । ଏବେ ସ୍କୁଟର ଚାଳକ ଗୁରୁତର ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ରୂପାଲି ଛକରେ ୮୨ ନମ୍ବର ରୁଟ୍‌ର ‘ଆମ ବସ୍’ ଏକ ସ୍କୁଟରକୁ ଧକ୍କା ଦେଇଛି । ଦୁର୍ଘଟଣା ଫଳରେ ସ୍କୁଟର ଚାଳକ ଜଣଙ୍କ ଗୁରୁତର ହୋଇଛନ୍ତି । ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଟ୍ରାଫିକ୍ ଉପରେ ଲୋକେ ‘ଆମ ବସ୍’ ଚାଳକଙ୍କୁ ବସ୍ରୁ ଘୋଷାଡ଼ି ନେଇ ନିର୍ଧୁମ ଛେଚିଛନ୍ତି । ସହିଦନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ କବଳରୁ ‘ଆମ ବସ୍’ ଚାଳକଙ୍କୁ ଉଦ୍ଧାର କରିଛି ।

ପୂର୍ବରୁ ସକାଳେ ମଧ୍ୟ ସେହି ରୂପାଲି ଛକ ଟ୍ରାଫିକରେ ଛିଡ଼ା ହୋଇଥିବା ଏକ ଅଟୋକୁ ‘ଆମ ବସ୍’ ଧକ୍କା ଦେଇଥିଲା । ଫଳରେ ଅଟୋ ଚଳାଉଥିବା ଡ୍ରାଇଭର୍ ସେହି ଗାଡ଼ିରେ ହିଁ ଆଖି ବୁଜି ଦେଇଥିଲେ । ଅଟୋରେ ଥିବା ୨ ଜଣ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ଡିସିପି ପହଞ୍ଚିଥିଲେ ।