୫ ବର୍ଷର ଶିଶୁ ଉପରେ ଢାଳି ହୋଇଗଲା ଗରମ ପେଜ, ପୋଡ଼ିଗଲା ଶରୀରର ୪୦ ପ୍ରତିଶତ

NEWS7
woman-found-dead-in-khallikote-ganjam-odisha

ବାଲିପାଟଣା ୩୦।୧: ଖେଳୁଥିଲା ଶିଶୁ ପୁତ୍ର । ଭାତ ଗାଳି ପେଜ ଢାଳିବାକୁ ନେଉଥିଲା ମା’ । ଦୌଡି ଆସି ମା’କୁ କୁଣ୍ଢେଇ ପକାଇଲା ଶିଶୁ । ତଳେ ପଡ଼ିଗଲା ଶିଶୁ, ଉପରେ ଢାଳିହୋଇଗଲା କଡ଼େଇରେ ଥିବା ପେଜ । ତତଲା ପେଜ ଢାଳି ହୋଇଯିବାରୁ ଜଣେ ୫ ବର୍ଷର ଶିଶୁପୁତ୍ର ଗୁରୁତର ହୋଇଛନ୍ତି । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଆଇତଳଙ୍ଗ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ଗାଁର ମଣ୍ଟୁ ଭୋଇଙ୍କ ୫ ବର୍ଷର ଶିଶୁ ପୁତ୍ର ଶୁକ୍ରବାର ସକାଳୁ ଘରେ ଖେଳୁଥିଲେ । ମା’ ଭାତ ରାନ୍ଧି ପେଜ ଗାଳି ଢାଳିବାକୁ ନେଉଥିଲେ । ଅଜାଣତରେ ଶିଶୁଟି ଦୌଡ଼ି ଦୌଡ଼ି ଆସି ପେଜ କରେଇରେ ମାଡ଼ ହୋଇ ତଳେ ପଡ଼ି ଯାଇଥିଲେ । କଡ଼େଇରେ ଥିବା ଗରମ ପେଜ ଶିଶୁ ଉପରେ ଢାଳି ହୋଇ ଯାଇଥିଲା । ଫଳରେ ଶିଶୁଟି ବିକଳରେ ଚିତ୍କାର କରିଥିଲେ । ପରିବାର ଲୋକ ତୁରନ୍ତ ତାଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦିଆଯାଇଛି ।

ଶିଶୁଟିର ପିଠି, କାନ୍ଧ, ପେଟ, ହାତ ସହ ଶରୀରର ବିଭିନ୍ନ ସ୍ଥାନ ସିଝି ଯାଇଛି । ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରଙ୍କ ସୂଚନା ଅନୁସାରେ ପିଲାଟିର ଶରୀରର ୪୦ ପ୍ରତିଶତ ପୋଡିଯାଇଛି ।