LIVE TV
LIVE TV

ମାନବବିହୀନ ଯୁଦ୍ଧରେ ଆଉ ପାଦେ ଆଗେଇଲା ତୁର୍କି, ଅନମ୍ୟାନଡ୍ ଫାଇଟରଜେଟ୍ ‘କିଜିଲେଲ୍ମା’ର ପରୀକ୍ଷଣ ସଫଳ

NEWS7
with-the-permission-of-the-family-the-names-of-the-dead-cowboy-warriors-can-be-announced-the-high-court

ଅଙ୍କାରା ୧।୧୨: ଡ୍ରୋନ ସୁପରପାୱାର ପାଲଟିଥିବା ତୁର୍କି ବିଶ୍ୱରେ ଇତିହାସ ରଚିଛି। ତୁର୍କି ନିର୍ମିତ ମାନବ ରହିତ ଫାଇଟରଜେଟ୍ ‘କିଜିଲେଲ୍ମା’ ଆକାଶରେ ସଠିକ ଓ ସଫଳତା ପୂର୍ବକ ଏକ ବିମାନକୁ ମିଜାଇଲ ଯୋଗେ ଧ୍ୱଂସ କରିଛି। ଏହି ସମୟରେ କିଜିଲେଲ୍ମା ବିମାନକୁ ଖସାଇବା ପାଇଁ ରାଡାର ଗାଇଡାନ୍ସ ଉପଯୋଗ କରିଛି। ଏପରି ଯୁଦ୍ଧକୌଶଳ ହାସଲ କରିବାରେ ବିଶ୍ୱରେ ତୁର୍କି ପ୍ରଥମ ଦେଶ ପାଲଟିଛି। ତୁର୍କି ସିନୋପ ଉପକୂଳରେ ଏହି ପରୀକ୍ଷଣ କରିଛି।

କିଜିଲେଲ୍ମା ମୁରାଦ ଏଇଏସଏ ରାଡାର ଯୋଗେ ଲକ୍ଷ୍ୟ ଚିହ୍ନଟ କରିଥିଲା ଓ ବିୟଣ୍ଡ ଭିଜୁଆଲ ରେଞ୍ଜ ମିଜାଇଲ ଗୋକଦୋଗନ ଜରିଆରେ ଶତ୍ରୁ ବିମାନକୁ ଆକାଶରୁ ଖସାଇଛି । ଫଳରେ ମାନବବିହୀନ ଯୁଦ୍ଧ ଦୁନିଆରେ ଏହା ନୂଆ ଯୁଗ ଆରମ୍ଭ କରିଛି। ତୁର୍କିର ଏହି ବିମାନ ଭବିଷ୍ୟତରେ ପାକିସ୍ତାନ ହାତରେ ମଧ୍ୟ ପଡିପାରେ। ଏଣୁ ଭାରତ ନିମନ୍ତେ ବିପଦ ପାଲଟିପାରେ। କିଜିଲେଲ୍ମାକୁ ତୁର୍କିର ଦିଗ୍ଗଜ ଡ୍ରୋନ କମ୍ପାନୀ ବାୟକର ନିର୍ମାଣ କରିଛି। ଏହାର ସିଇଓ ତୁର୍କି ରାଷ୍ଟ୍ରପତି ରେସେପ ତ୍ୟପ ଏର୍ଦୋଗାନଙ୍କ ଜ୍ୱାଇଁ। ଏଣୁ ବିଶ୍ୱରେ ଏର୍ଦୋଗାନଙ୍କ ଦବଦବା ପୁଣି ବଢିଛି। ସିଏନଏନ ରିପୋର୍ଟ ଅନୁସାରେ ଏହି ପରୀକ୍ଷଣ କାଳରେ ମିଜାଇଲରେ ଟାର୍ଗେଟ୍ କରି ଡ୍ରୋନକୁ ସିଧା ହିଟ୍ କରିଛି।

ତୁର୍କି ଏହି ପରୀକ୍ଷଣର ଭିଡିଓ ମଧ୍ୟ ଜାରି କରିଛି। ବିଶ୍ଲେଷକଙ୍କ କହିବା କଥା ହେଉଛି ଫାଇଟର ଜେଟ୍ ତୁଳନାରେ କିଜିଲେଲ୍ମା ଡ୍ରୋନ ରାଡାରରେ ଖୁବ୍ କମ୍ ସଂକେତ ଦେଉଛି। ଏହାଛଡା ଏହି ମାନବରହିତ ଯୁଦ୍ଧବିମାନ ଦୀର୍ଘଦୂରତାରୁ ଶତ୍ରୁର ବିମାନକୁ ଚିହ୍ନି ଦେଉଛି। ଏଣୁ ତୁର୍କିଏର ଏହି ଡ୍ରୋନ ବିମାନକୁ ଶତ୍ରୁ ଆକାଶରେ ଚିହ୍ନିବା ପୂର୍ବରୁ ହିଁ ଏହା ବିନାଶ ରଚୁଛି। ଏଣୁ ଯୁଦ୍ଧରେ ଏହାର କ୍ଷତି ହେବାର ସମ୍ଭାବନା ଖୁବ୍ କ୍ୱଚିତ୍। କିଜିଲେଲ୍ମା ବିମାନ ଏବେ ଆକାଶରୁ ଆକାଶରେ ଓ ଆକାଶରୁ ଭୂମି ଉଭୟ ଆକ୍ରମଣ ପାଇଁ ସକ୍ଷମ।

କିଲର ଡ୍ରୋନ ନିର୍ମାତା ବାୟକର ତୁର୍କିର ଗୌରବ ଓ ୨୦୨୩-୨୪ରେ ଏହି କମ୍ପାନୀ କେବଳ ଡ୍ରୋନ ବିକ୍ରିରୁ ୨ ବିଲିୟନ ଡଲାରରୁ ଅଧିକ ଆୟ କରିଛି। ଏହାର ୯୦% ଆୟ ବିଦେଶ ରପ୍ତାନୀରୁ ହେଉଛି। ଏହା ଗତ ୪ ବର୍ଷ ହେଲା ତୁର୍କିର ଶୀର୍ଷ ଡିଫେନ୍ସ ଓ ଏରୋସ୍ପେସ୍ କମ୍ପାନୀ ହୋଇ ରହିଛି। ତୁର୍କିର ଏହି ସଫଳତା ଏବେ ଭାରତ ଲାଗି ଚିନ୍ତାର କାରଣ ହୋଇପାରେ। ପାକିସ୍ତାନକୁ ତୁର୍କି ବହୁ ସଂଖ୍ୟାରେ ଡ୍ରୋନ ଯୋଗାଇ ଦେଉଛି। ଏଥିରେ ଟି-୨ ଓ ଆଙ୍କିଶ ଡ୍ରୋନ ପାକିସ୍ତାନକୁ ଦିଆଯାଉଛି। ଏହି ଉଭୟ ଡ୍ରୋନ ଜୋରଦାର ଆକ୍ରମଣ ଲାଗି ବେଶ୍ ଜଣାଶୁଣା। ଟିବି-୨ ଆର୍ମେନିଆରୁ ଆରମ୍ଭ କରି ୟୁକ୍ରେନ ପର୍ଯ୍ୟନ୍ତ ତାଣ୍ଡବ ରଚିଛି। ଏଥିରେ ତୁର୍କି ଖୋଲାଖୋଲି ପାକିସ୍ତାନକୁ ସମର୍ଥନ କରୁଥିବାରୁ ଏହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।

କାରଣ ତୁର୍କି କେବଳ ପାକିସ୍ତାନ ନୁହେଁ ଭାରତର ପଡୋଶୀ ମାଲଦ୍ୱୀପ ଓ ବାଂଲାଦେଶକୁ ମଧ୍ୟ ଡ୍ରୋନ ଯୋଗାଣ କରୁଛି। ମାନବ ରହିତ ଯୁଦ୍ଧବିମାନ କିଜିଲିଲ୍ମା ପରୀକ୍ଷଣ କାଳରେ ୫ଟି ଏଫ-୧୬ ଫାଇଟର ଜେଟ୍ ମର୍ଜିଫୋନ ବାୟୁସେନା ଘାଟିରୁ ଉଡାଣ କରିଥିଲେ। ମାନବରହିତ ଫାଇଟର ଜେଟ୍ ରେ ତୋୟଗୁନ ଟାର୍ଗେଟିଂ ସିଷ୍ଟମ ଲାଗିଛି। ଏଣୁ ଏହା ଅନେକ ପ୍ରକାରର ମିଜାଇଲରେ ଆକ୍ରମଣ କରିବାକୁ ସକ୍ଷମ। ଏହି ବିମାନରେ ଏକ ସିଙ୍ଗଲ ଟର୍ବୋଫ୍ୟାନ ଇଞ୍ଜିନ ଲାଗିଛି। ଉଡାଣ ସମୟରେ ଏହାର ସର୍ବାଧିକ ଓଜନ ୬୦୦୦ କେଜି ହୋଇପାରେ। ଏହା ନିଜ ସାଙ୍ଗରେ ୧,୫୦୦ କେଜି ଓଜନର ଅସ୍ତ୍ରଶସ୍ତ୍ର ବହନ କରିପାରୁଛି। ଏଥିରେ ତୁର୍କିର ସ୍ୱଦେଶୀ ରାଡାର ଏଇଏସଏ ଲାଗିଛି। ଏହାକୁ ତୁର୍କି ଯୁଦ୍ଧପୋତ ଟିସିଜି ଆନାଦୋଲୁରେ ବାୟକର ଟିବି-୩ କିଲର ଡ୍ରୋନ ସହ ମୁତୟନ କରାଯିବ।