ହାତରେ ମାତ୍ର ୮ ଦିନ, ପଶ୍ଚିମ ଓଡ଼ିଶାରେ ସରିଲାନି ଧାନ ସଂଗ୍ରହ, ବର୍ଷାରେ ଭିଜି ହେଲା ଗଜା

Published By : Prameya-News7 Bureau | June 22, 2025 IST

ଭୁବନେଶ୍ଵର: ରବି ଧାନ ସଂଗ୍ରହକୁ ନେଇ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅଚଳାବସ୍ଥା ଲାଗି ରହିଛି। ହାତରେ ଆଉ ମାତ୍ର ୮ ଦିନ। ଚାଷୀ ମାନଙ୍କୁ ଟୋକନ ଦିଆଯାଇଥିଲେ ମଧ୍ୟ ସେମାନଙ୍କ ଧାନ କିଣିବାକୁ ଜିଲ୍ଲା ପ୍ରଶାସନ ନାରାଜ। ଧାନ ବିକିବାକୁ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇ ନୟାନ୍ତ ହେଲେଣି ଚାଷୀ। ସରକାର ଧାନ କିଣିବାକୁ ଟାଳଟୁଳ ନୀତି ଅବଲମ୍ବନ କଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ଜୋରଦାର ହେବ ବୋଲି ଦେଲେଣି ଚେତାବନୀ। 

ରବି ଧାନକିଣା ପ୍ରକ୍ରିୟା ସରିବାକୁ ଆଉ ହାତରେ ମାତ୍ର ୮ ଦିନ। କିନ୍ତୁ ପଶ୍ଚିମ ଓଡ଼ିଶା ବିଭିନ୍ନ ଜିଲ୍ଲାରେ ଚାଷୀ ନିର୍ଦ୍ଧାରିତ ସମୟରେ ଧାନ ବିକ୍ରି କରିପାରିବେ କି ନାହିଁ ସେନେଇ ସନ୍ଦେହ ସୃଷ୍ଟି ହେଲାଣି। ସମ୍ବଲପୁର ଜିଲ୍ଲାରେ ଜୁନ ୨୦ ସୁଦ୍ଧା ୯୮.୭୨% ଧାନ କିଣା ସରିଥିବା ବେଳେ ବରଗଡ଼ ଜିଲ୍ଲାରେ ୮୨.୭%, ନୂଆପଡ଼ା ଜିଲ୍ଲାରେ ୮୨.୭%, କଳାହାଣ୍ଡି ଜିଲ୍ଲାରେ ୭୯.୬ %, ବଲାଙ୍ଗିର ଜିଲ୍ଲାରେ ୭୫.୧ %, ସୋନପୁର ଜିଲ୍ଲାରେ ୭୨.୭%, ବୌଦ୍ଧ ଜିଲ୍ଲାରେ ୬୯ %, ଝାରସୁଗୁଡ଼ା ଜିଲ୍ଲାରେ ୫୨%, ସୁନ୍ଦରଗଡ଼ ଜିଲ୍ଲାରେ ୪୩.୪ % ଧାନ ବିକ୍ରି ହୋଇଛି।

ଅଧିକ ପଢନ୍ତୁ- ଆର୍ଥିକ ମାନ୍ଦାବସ୍ଥା ଭିତରକୁ ଗତି କରୁଛି କଟକ: ସାଂସଦ ଭର୍ତ୍ତୃହରି ମହତାବ

ଏଭଳି ସ୍ଥିତିରେ ଚାଷୀ ନିଜର କଷ୍ଟ ଉପାର୍ଜିତ ଧାନ ବିକ୍ରି କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ଚାଷୀ। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ହୀରାକୁଦ ବୁଡ଼ି ଅଞ୍ଚଳ ଚାଷୀଙ୍କ ଧାନ ପ୍ରଶାସନ କିଣୁନଥିବା ଅଭିଯୋଗ କରି ଜିଲ୍ଲା ପ୍ରଶାସନ ବିରୋଧରେ ଗର୍ଜିଛନ୍ତି ଚାଷୀ ସଂଗଠନର ନେତା। ଚଳିତ ରବି ଋତୁରେ ଜିଲ୍ଲାର ୨୨୬୨ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ମାତ୍ର ୧୨୧୭ ଚାଷୀଙ୍କ ଧାନ କିଣିଛି ପ୍ରଶାସନ।

ବୌଦ୍ଧ ଜିଲ୍ଲାରେ ମଣ୍ଡିରେ ଚାଷୀଙ୍କ ଧାନ ଗଜା ହେଲାଣି। ଧାନକୁ ବର୍ଷାରୁ ସୁରକ୍ଷିତ ରଖିବା ପାଇଁ ଦିନରାତି ଏକ କରି ନିଜ ଧାନକୁ ମଣ୍ଡିରେ ଜଗି ବସିଛନ୍ତି ଚାଷୀ। ଓଦା ଧାନର ମାନ କିପରି ରହିବ ତାହା ଚିନ୍ତାର ବିଷୟ। ବର୍ଷାରେ ଧାନ ଢାଙ୍କିବାକୁ ପ୍ରଶାସନ ପକ୍ଷରୁ ଜରିପାଲଟିଏ ମଧ୍ୟ ମିଳିନାହିଁ। ଖୋଲା ଆକାଶ ତଳେ ବର୍ଷାରେ ପଡ଼ିରହିଛି କୁଇଣ୍ଟାଲ୍ କୁଇଣ୍ଟାଲ ଧାନ। ସେହିପରି ସୋନପୁର ଜିଲ୍ଲାରେ ମଣ୍ଡିକୁ ଚାଷୀ ଧାନ ଆଣିଥିଲେ ମଧ୍ୟ ମିଲର୍ସ ପାଖରେ ଟାର୍ଗେଟ ନଥିବାରୁ ଚାଷୀ ଧାନ ବିକ୍ରି କରିପାରୁନାହାନ୍ତି। ଜିଲ୍ଲାରେ ଚାଷୀ ଧାନ ବିକ୍ରୀ କରିନପାରି ଏ ଅଫିସ୍‌ରୁ ସେ ଅଫିସ୍‌କୁ ଦୌଡ଼ିବାରେ ଲାଗିଛି।      

                            

ରବି ଧାନକିଣା ପ୍ରକ୍ରିୟାକୁ ନେଇ ତେଜିଛି ରାଜନୀତି। ସରକାର ସବୁ ଚାଷୀଙ୍କ ଧାନ କିଣନ୍ତୁ ବୋଲି ଦାବି କରିଛି ବିଜେଡି। ଜୁଲାଇ ୧୫ ଯାଏ ଧାନ କିଣା ଅବଧି ବଢ଼ାଇବାକୁ ଦାବି କରିଛି ଦଳ। ଚାଷୀଙ୍କର ଧାନ ନ ଉଠିଲେ ମନ୍ତ୍ରୀଙ୍କୁ ଗାଁରେ ପୁରାଇଦେବୁ ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରଦୀପ ଦିଶାରୀ। ସେପଟେ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଯେ ସରକାର ଧାନ ଉଠାନ୍ତୁ ନହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ। 

ଏହାର ଜବାବ ଦେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ସବୁ ଚାଷୀଙ୍କ ଧାନ ଉଠାଯିବ। ବର୍ଷା ହେଲେ ଆମେ କଣ କରିପାରିବୁ। ଜୁନ ୩୦ ସୁଦ୍ଧା ସବୁ ଧାନ ଉଠାଇଦେବୁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ। ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଚାଷୀଙ୍କ ଧାନ ଠିକ୍ ସମୟରେ ମଣ୍ଡିରୁ ଉଠୁନଥିବା ବେଳେ ଏହାକୁ ନେଇ ଆଗକୁ ଚାଷୀଙ୍କ ଭିତରେ ବଢୁଛି ଅସନ୍ତୋଷ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.