ବକ୍ସ ଅଫିସ୍‌ରେ ପଇସା ଛାଣୁଛି ‘ବୋଉ ବୁଟୁ ଭୂତ’, ସପ୍ତାହରେ ପାର କଲା ୭ କୋଟି

Published By : Prameya-News7 Bureau | June 22, 2025 IST

ଭୁବନେଶ୍ଵର ୨୨।୦୬; ଇତିହାସ ରଚିଲା ଓଡ଼ିଆ ସିନେମା । ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଲା ‘ବୋଉ ବୁଟୁ ଭୂତ’ । ସପ୍ତାହରେ ୭ କୋଟି କଲେକ୍ସନ ପାର୍ । ତୃପ୍ତୀ ଶତପଥୀଙ୍କ ପ୍ରଯୋଜିତ ବୋଉ ବୁଟୁ ଭୂତ ଫିଲ୍ମ ଓଡ଼ିଆ ସିନେମାକୁ ଶିଖରରେ ପହଞ୍ଚାଇଛି । ରଜରେ ରିଲିଜ୍ ହୋଇଥିବା ବାବୁଶାନ ମହାନ୍ତି ଏବଂ ଅପରାଜିତଙ୍କ ଅଭିନୀତ ଏହି ହରର୍ କମେଡି ଫିଲ୍ମରେ ଓଡ଼ିଆ ଦର୍ଶକକୁ ଏକ ଭିନ୍ନ ସ୍ବାଦ ଦେଇଛି । ଫଳରେ ପ୍ରଥମ ଥର ପାଇଁ କୌଣସି ଓଡ଼ିଆ ସିନେମା ବକ୍ସ ଅଫିସ୍‌ରେ ଝଡ଼ ସୃଷ୍ଟି କରିଛି ।

ପ୍ରଥମ ଦିନରେ ସିନେମା ୫୧.୨ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରି ମେଗାଷ୍ଟାର୍‌ ଅନୁଭବ ମହାନ୍ତିଙ୍କୁ ପଛରେ ପକାଇ ଦେଇଛନ୍ତି । ୨୦୨୪  ଦଶହରା ଅବସରରେ   ପ୍ରେକ୍ଷାଳୟକୁ ଆସିଥିଲା ଅନୁଭବଙ୍କ ସିନେମା ‘କର୍ମ’ । ଯେଉଁଥିରେ ସାରା ଓଡ଼ିଶା ‘ଚିରିଂ ଚିରିଂ’ ହୋଇ ନାଚିଥିଲା। ସେତେବେଳେ ଏହି ସିନେମା ପ୍ରଥମ ଦିନ ବକ୍ସ ଅଫିସ୍‌ କଲେକ୍ସନ୍‌ରେ ଇତିହାସ ରଚିଥିଲା । ‘କର୍ମ’ ୩୭.୨୦ ଲକ୍ଷ ରୋଜଗାର କରିଥିଲା । ହେଲେ ‘ବୋଉ ବୁଟୁ ଭୂତ’ ଦିନକରେ ୫୧.୨ ଲକ୍ଷ ରୋଜଗାର କରି ସବୁ ରେକର୍ଡ ଭାଙ୍ଗିଛି ।

ଫିଲ୍ମର ଲିଡ୍‌ରେ ବାବୁଶାନଙ୍କ ବ୍ୟତୀତ ଭର୍ସାଟାଇଲ୍ ଆକ୍ଟର ଅପରାଜିତା ମହାନ୍ତି ଏବଂ ଚୁଲବୁଲି ନାୟିକା ଅର୍ଚ୍ଚିତା ସାହୁଙ୍କ ଦମଦାର ଅଭିୟନ ଦେଖିବାକୁ ମିଳିଛି । ସେହିପରି ଅନ୍ୟାନ୍ୟ ଚରିତ୍ରରେ ଅଛନ୍ତି ଜଗନ୍ନାଥ ସେଠ୍, ଚୌଧୁରୀ ଜୟପ୍ରକାଶ ଦାସ, କେକେ, ରବି ମିଶ୍ର, ଅନୁଗୁଳିଆ ବଣ୍ଟି, ଉଦିତ୍ ଗୁରୁ ରହିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଜଗଦୀଶ୍ ମିଶ୍ର ଦେଇଥିବା ବେଳେ ସମ୍ପାଦକ ରଶ୍ମି ରଞ୍ଜନ ଅଛନ୍ତି। ସଙ୍ଗୀତ ଦେଇଛନ୍ତି ବାବୁସାନ୍‌ଙ୍କ ପୁରୁଣା ଯୋଡ଼ିଦାର ଗୌରବ ଆନନ୍ଦ । ସିନେମାର  କାହାଣୀ ଓ ଚିତ୍ରନାଟ୍ୟ ଲେଖିଛନ୍ତି ମହମ୍ମଦ ଇମ୍ରାନ୍‌ ଓ ଡାଏଲଗ୍ ଲେଖିଛନ୍ତି ପ୍ରଣବ ପ୍ରସନ୍ନ ରଥ।

ଫିଲ୍ମର ଥିମ୍ ବିଜିଏମ୍ ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିବା ବେଳେ ସାଉଣ୍ଡ ଡିଜାଇନର ରହିଛନ୍ତି ତୁଷାର ଜେନା ଓ ବିଜିଏମରେ ଅଭିଷେକ୍ ପାଣିଗ୍ରାହୀ। ପ୍ରଥମ ଥର ପାଇଁ ଅପରାଜିତା ମହାନ୍ତି ତାଙ୍କ ପ୍ରଥମ ଗୀତ ‘ଲାଲ ଟୁକ ଟୁକ’ ଗାଇଛନ୍ତି ଏବଂ ‘ଓଦା ଲାଗେ’ରେ କଣ୍ଠଦାନ କରିଛନ୍ତି ବାବୁସାନ ଓ ଶୁଭଶ୍ରୀ ଜେନା । ସୁନ୍ଦରୀ କୁକିଜ୍‌ 'ଡୁଙ୍ଗୁଥିଲି’ ଗୀତରେ ଠୁମକା ଲଗାଇ ଦର୍ଶକଙ୍କୁ ମନୋରଞ୍ଜନର ତଡକା ଦେଇଛନ୍ତି । ସିନେମାର ‘ଓଦା ଲାଗେ’ ଆଉ ଗୀତ ଟ୍ରେଣ୍ଡିଂରେ ରହିଛି । ଫିଲ୍ମର ଅଧିକାଂଶ ସୁଟିଂ କେନ୍ଦୁଝର, ଆଠଗଡ ଓ କୋଣାର୍କରେ ହୋଇଛି।

ବୋଉ-ବୁଟୁ-ଭୂତ ରିଲିଜର ପ୍ରଥମ ସପ୍ତାହରେ ୭କୋଟିରୁ ଅଧିକ ଆୟ କରିଛି । ନିର୍ମାତା ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ସପ୍ତାହକର କଲେକ୍ସନର ଡାଟା ସେୟାର କରିଛନ୍ତି । ପ୍ରଥମ ସପ୍ତାହରେ ୭.୧୫ କୋଟି ଆୟ । ପୂର୍ବରୁ ଫିଲ୍ମର ଟ୍ରେଲରକୁ ଲୋକେ ବେଶ ପସନ୍ଦ କରିଥିବା ବେଳେ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଥିଲେ । ସାରା ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟରେ ୨୩୦ଟି ଶୋ’ ଲାଗିଛି । ଆଗକୁ ରଥଯାତ୍ରା ରହିଥିବାରୁ ଏହି ଫିଲ୍ମ ୧୦ କୋଟିରୁ ଅଧିକ କଲେକ୍ସନ କରିବ ବୋଲି ନିର୍ମାତାଙ୍କ ଆଶା ରହିଛି...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.