ମାମଲା ନୁହେଁ , ପ୍ରେମରେ ଜିତିବା ପିଲାର ହୃଦୟ ; ଜଣେ ବାପାଙ୍କ ଆବେଦନ ଉପରେ ବିଚାରପତିଙ୍କ ପରାମର୍ଶ

Published By : Prameya-News7 Bureau | August 04, 2025 IST

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଏକ କୋର୍ଟ ନିକଟରେ ଏକ ରାୟ ଶୁଣାଇଛନ୍ତି, ଯାହାକି ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଛି। ଜଣେ ବାପା ନିଜର ୧୦ ବର୍ଷ ବୟସର ପୁଅର ହେପାଜତ ଓ ସ୍କୁଲ ବଦଳାଇବା ପାଇଁ କୋର୍ଟରେ ଆବେଦନ କରିଥିଲେ, କିନ୍ତୁ ପିଲାଟି କହି ଥିଲା ଯେ, ସେ ନିଜ ବାପାଙ୍କୁ ଭେଟିବାକୁ ଚାହୁଁ ନାହିଁ। କୋର୍ଟ ମଧ୍ୟ ପିତାଙ୍କ ଆବେଦନକୁ ଖାରଜ କରି ଦେଇ ଥିଲେ ଏବଂ ଟିପ୍ପଣୀ ଦେଇ କହିଥିଲେ ଯେ, “ ପୁଅର ହୃଦୟ ପ୍ରେମରେ ଜିତ , ମାମଲାରେ ନୁହେଁ । "

ବାର ଆଣ୍ଡ ବେଞ୍ଚରେ ପ୍ରକାଶିତ ଖବର ଅନୁସାରେ, କୋର୍ଟ ପିଲାଟି ସହ ଏକୁଟିଆ ଓ ଖୋଲା କୋର୍ଟ ଗୃହରେ କଥାବାର୍ତ୍ତା ହୋଇଥିଲେ। ପିଲାଟି ତୃତୀୟ ଶ୍ରେଣୀର ଛାତ୍ର। ସେ ତାର ବୟାନରେ କହିଥିଲା – ମୁଁ ମୋର ବାପାଙ୍କୁ ଭେଟିବାକୁ ଚାହୁଁ ନାହିଁ। କୋର୍ଟ ଏହା ଉପରେ କହିଛନ୍ତି ଯେ, ପିଲାଟିକୁ ବଳପୂର୍ବକ ବାପାଙ୍କ ପାଖକୁ ପଠାଇବା ତା ସହ ମାନସିକ ନିର୍ଯାତନା ଭଳି ହେବ। କୋର୍ଟ ଏହି ନିଷ୍ପତ୍ତି ୩୧ ଜୁଲାଇରେ ଶୁଣାଇ ଥିଲେ ଏବଂ ବାପାର ହେପାଜତ ଓ ସାକ୍ଷାତ୍‌ ଅଧିକାର ଜନିତ ଆବେଦନକୁ ଖାରଜ କରି ଦେଇ ଥିଲେ।

ମୁଖ୍ୟ ଜିଲ୍ଲା ବିଚାରପତି ତାହିର ଖୁର୍ଶିଦ ରୈନା କହିଛନ୍ତି, ପିଲାଟି କୌଣସି ଜିନିଷ ନୁହେଁ ଯେ, ମାତା-ପିତା ନିଜ ଇଚ୍ଛାରେ ଏପଟ ସେପଟ କରିବେ। ଏହି କୋର୍ଟର କାମ ହେଉଛି ପିଲାର ଭଲ ଚିନ୍ତା କରିବା ,କୌଣସି ପକ୍ଷର ଜିଦି ପୂରଣ କରିବା ନୁହେଁ। ପୁଅ ଆପଣଙ୍କୁ ମୋକଦମାରେ ନୁହେଁ , ବରଂ ଆପଣଙ୍କ ସ୍ନେହ ପ୍ରେମରେ ମିଳିବ। ପ୍ରେମକୁ ଗୋଟିଏ ସୁଯୋଗ ଦିଅନ୍ତୁ , ମାମଲାକୁ ନୁହେଁ। 

କୋର୍ଟ ଏହି କଥାର ମଧ୍ୟ ପ୍ରଶଂସା କରିଥିଲେ ଯେ, ମାଆ ଏବେ ବି ନିଜ ପୁଅକୁ ତାର ବାପାଙ୍କ ସହ ସାକ୍ଷାତ କରିବାକୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି , ହେଲେ ପିଲାଟି ନିଜର ବାପାଙ୍କୁ ଚିହ୍ନିବାକୁ ବି ପ୍ରସ୍ତୁତ ନୁହେଁ। କୋର୍ଟ ବାପାଙ୍କୁ ପରାମର୍ଶ ଦେଇଥିଲେ ଯେ, ସେ ନିଜ ପୁଅକୁ ବିନା କୌଣସି ଚାପ ଓ କ୍ରୋଧରେ ନିଃସର୍ତ୍ତ ଭଲ ପାଇବା ଦିଅନ୍ତୁ। କୋର୍ଟ କହିଥିଲେ, ବାପା ହେବା କେବଳ ଏକ ସଂପର୍କ ନୁହେଁ , ଏହା ତ୍ୟାଗ , ବୁଝାମଣା ଓ ପିଲା ପାଇଁ ସର୍ବଦା ଉପସ୍ଥିତି ରହିବାର ଏକ ଭାବନା ହୋଇଥାଏ।

କୋର୍ଟ ଶେଷରେ ଏହି ଇଚ୍ଛା ପ୍ରକାଶ କରିଛନ୍ତି ଯେ, ଏହି ଭଙ୍ଗା ପରିବାର ଦିନେ ପୁଣି ଥରେ ଯୋଡ଼ି ହୋଇଯିବ। କୋର୍ଟ କହିଛନ୍ତି , ଆମେ ଆଶା କରୁଛୁ ଯେ, ପିଲାଟି ନିଜର ମାତା-ପିତାଙ୍କ ମଧ୍ୟରେ ପ୍ରେମର ସେତୁ ହେବ , ଘୃଣାର କାନ୍ଥ ନୁହେଁ। ଏବଂ ସେହି ପିଲା ବଡ଼ ହୋଇ ନିଜ ସ୍ୱପ୍ନକୁ ସାକାର କରିବ ଏବଂ  ହୁଏତ ଦିନେ ଜଣେ ବିଚାରପତି ମଧ୍ୟ ହେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.