ଚେନ୍ନାଇ ୪।୮: ମକ୍କଲ ନିଧି ମୟମ ପାର୍ଟି ସଂସ୍ଥାପକ କମଲ ହାସନ ସୋମବାର ସନାତନ ଧର୍ମକୁ ନେଇ ବିବାଦୀୟ ଭାଷଣ ଦେଇଛନ୍ତି। ସେ କହିଛନ୍ତି ଶିକ୍ଷା ହିଁ ଏକମାତ୍ର ଅସ୍ତ୍ର ଯାହା ସନାତନ ରାଜ ଓ ସନାତନ ଧର୍ମର ଶୃଙ୍ଖଳକୁ ଛିଡାଇ ପାରିବ। ରାଜ୍ୟସଭା ସାଂସଦ ହସନ ଚେନ୍ନାଇରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ଏପରି ବୟାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମକୁ ତାମିଲ ଅଭିନେତା ସୂର୍ଯ୍ୟାଙ୍କ ଅଗାରମ ଫାଉଣ୍ଡେସନ ପକ୍ଷରୁ ଆୟୋଜନ କରାଯାଇଥିଲା।
ସେ କହିଛନ୍ତି ଯେ ରାଷ୍ଟ୍ରୀୟ ପାତ୍ରତା ସହ ପ୍ରବେଶ ପରୀକ୍ଷା (ନିଟ) ଯୋଗୁ ଅନେକ ଛାତ୍ରଛାତ୍ରୀଙ୍କୁ ମେଡିକାଲ ପାଠପଢାର ସୁଯୋଗ ମିଳିପାରୁ ନାହିଁ ଓ ଏହି ପରୀକ୍ଷା ନିୟମ ବଦଳାଇବାର ଶକ୍ତି କେବଳ ଶିକ୍ଷାରୁ ହିଁ ମିଳିପାରିବ। ହାସନ ମାତ୍ର କିଛି ଦିନ ହେଲା ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ କହିଛନ୍ତି ନିଟ୍ ବିରୋଧରେ ଏହି ଲଢେଇରେ କେବଳ ଅଗାରମ ଫାଉଣ୍ଡେସନ କିଛି କରିପାରିବ ନାହିଁ। ଶିକ୍ଷା ହିଁ ଏକମାତ୍ର ଏପରି ଅସ୍ତ୍ର ଯାହା ଦେଶକୁ ବିନା କୌଣସି ଅସ୍ତ୍ରରେ ବଦଳାଇ ଦେଇ ପାରିବ।
ସେ କହିଛନ୍ତି ଯେ ଏହା ଏକମାତ୍ର ଅସ୍ତ୍ର ଯାହା ଏକଛତ୍ରବାଦ ଓ ସନାତନ ଶୃଙ୍ଖଳକୁ ଭାଙ୍ଗି ପାରିବ। ସେ କହିଛନ୍ତି ଯେ ତୁମେ ଆଉ କୌଣସି ଜିନିଷକୁ ଧରନି, କାରଣ ତୁମେ ଜିତି ପାରିବ ନାହିଁ। ବହୁମତ ତୁମକୁ ହରାଇ ଦେବ, ବହୁମତରେ ଥିବା ମୁର୍ଖତା ତୁମକୁ ହରାଇ ଦେବ ଓ ବୁଦ୍ଧିମତା ହାରିଯିବ। ତେବେ ହିନ୍ଦୁ ଓ ସନାତନ ପାଇଁ କମଲ ହାସନଙ୍କ କଟୁକ୍ତି କିଛି ନୂଆ କଥା ନୁହେଁ ସେ ପୂର୍ବରୁ ମଧ୍ୟ ଏପରି ଅନେକ ବୟାନବାଜୀ କରିଛନ୍ତି।