କ’ଣ ପାକିସ୍ତାନ ଉପରେ ପୁଣି ହେବ ଏୟାର ଷ୍ଟ୍ରାଇକ ? ମସୁଦ ଅଜହର, ହାଫିଜ ସଇଦ ଓ ସଲାଉଦ୍ଦୀନର ନୂଆ ଠିକଣାର ସନ୍ଧାନ ଆରମ୍ଭ

Published By : Prameya-News7 Bureau | May 07, 2025 IST

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲାର ବଦଲା ନେଲା ଭାରତ। ସିନ୍ଦୂରର ପ୍ରତିଶୋଧ ‘ଅପରେସନ ସିନ୍ଦୂର’ ଜରିଆରେ ନିଆଯାଇଛି। ଗୋଟିଏ କି ନୁହେଁ କି ଦୁଇଟି ନୁହେଁ ଏକା ସଙ୍ଗେ ୯ଟି ସ୍ଥାନରେ ଏୟାର ଷ୍ଟ୍ରାଇକ କରିଛନ୍ତି ଭାରତୀୟ ବାୟୁସେନା। ପାକିସ୍ତାନ ଓ ପିଓକେ ସ୍ଥିତ ୯ ଆତଙ୍କୀ ଶିବିର ଉପରେ ବୋମା ବର୍ଷଣ କରି ମାଟିରେ ମିଶାଇଛନ୍ତି ଭାରତୀୟ ସେନା। ଜୈଶ ଏ ମହମ୍ମଦ, ଲସ୍କର ଏ ତୋଇବା ଓ ହିଜବୁଲ ମୁଜାହିଦ୍ଦୀନର ମୁଖ୍ୟାଳୟ ସମେତ ବଡ଼ ଆତଙ୍କୀ ଆଡ୍ଡାକୁ ଧ୍ଵସ୍ତ କରିବା ପରେ ସୁରକ୍ଷା ଏଜେନ୍ସି ଆତଙ୍କବାଦୀଙ୍କ ନୂଆ ଠିକଣା ସନ୍ଧାନରେ ଜୁଟି ଯାଇଛନ୍ତି। ଆବଶ୍ୟକ ପଡ଼ିଲେ ସମୟ, ଠିକଣା ଦେଖି ସେ ସବୁକୁ ଟାର୍ଗେଟ୍ କରାଯାଇପାରେ।

Also read: ଅପରେସନ ସିନ୍ଦୁର ;୧୪୦ କୋଟି ଭାରତୀୟ ହେବେ ଖୁସି, ପହଲଗାମ ପ୍ରତିଶୋଧର ପ୍ରଥମ ଚିତ୍ରଗୁଡ଼ିକ ଦେଖନ୍ତୁ

ଗୁଇନ୍ଦା ଏଜେନ୍ସି ଅନୁସାରେ ଭାରତର ସମ୍ଭାବିତ କାର୍ଯ୍ୟାନୁଷ୍ଠାନକୁ ଦୃଷ୍ଟିରେ ରଖି ପାକିସ୍ତାନ ପ୍ରଥମରୁ ହିଁ ମସୁଜ ଅଜହର, ହାଫିଜ ସଇଦ ଓ ସୈୟଦ ସଲାଉଦ୍ଦୀନ ସମେତ ବଡ଼ ଆତଙ୍କବାଦୀଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇ ଦେଇଥିଲା। ଏହା ବ୍ୟତୀତ ଗୁଲାମ କାଶ୍ମୀରର ଲଞ୍ଚ ପ୍ୟାଡ୍‌ରେ ଥିବା ଆତଙ୍କବାଦୀଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା।

ଏବେ ଆତଙ୍କୀଙ୍କ ମୁଖ୍ୟଙ୍କ ପାଳି

୧- ସୁରକ୍ଷା ଏଜେନ୍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆତଙ୍କୀଙ୍କ ପାଇଁ ସୁରକ୍ଷିତ ଏହି ଆଡ୍ଡା ସ୍ଥଳୀକୁ ଧ୍ଵସ୍ତ କରି ଭାରତ ବଡ଼ ସନ୍ଦେଶ ତ ଦେଇ ଦେଇଛି। ମାତ୍ର ଆତଙ୍କବାଦୀଙ୍କ ମୁଖ୍ୟଙ୍କୁ ନିପାତ କରିବା କାମ ବାକି ରହିଛି।

୨-  ଅଧିକାରୀଙ୍କ ଅନୁସାରେ ଅପରେସନ ସିନ୍ଦୂରରେ ମୃତ ଆତଙ୍କବାଦୀଙ୍କ ସଠିକ ସଂଖ୍ୟା ବିଷୟରେ ସୂଚନା ସଂଗ୍ରହ କରାଯାଉଛି। ପ୍ରାରମ୍ଭିକ ପୂର୍ବାନୁମାନ ଅନୁଯାୟୀ, ଏହି ସଂଖ୍ୟା ୩୦୦ରୁ ଅଧିକ ହୋଇଥିବା କୁହାଯାଉଛି।

୩ – ବହାବଲପୁରରେ ହୋଇଥିବା ହମଲାରେ ମସୁଦ ଅଜହର ପରିବାରର ୧୦ରୁ ୧୩ ସଦସ୍ୟ ପ୍ରାଣହାନୀ ଘଟିଥିବାର ସୂଚନା ମିଳିଛି। ପରିବାର ସଦସ୍ୟଙ୍କ ମୃତ୍ୟୁରେ ମର୍ମାହତ ମସୁଦ ଅଜହର ନିଜର କାହିଁକି ମୃତ୍ୟୁ ହେଲାନି ବୋଲି କହିଛି।

ଆତଙ୍କବାଦୀଙ୍କ ଛୋଟ ଛୋଟ କ୍ୟାମ୍ପ

ବରିଷ୍ଠ ଅଧିକାରୀଙ୍କ ଅନୁସାରେ, ପାକିସ୍ତାନୀ ସେନା ଓ ଆଇଏସଆଇ ପାଇଁ ଆତଙ୍କୀଙ୍କ ପାଇଁ ନୂତନ ଭିତ୍ତିଭୂମି ତିଆରି କରିବା ସହଜ ହେବନି। ପାକିସ୍ତାନର ପଞ୍ଜାବ ପ୍ରଦେଶରେ ସ୍ଥିତ ଆତଙ୍କୀ ଠିକଣାକୁ ସବୁଠୁ ସୁରକ୍ଷିତ ସ୍ଥାନ ବୋଲି କୁହାଯାଏ। ଏହା ସହିତ ଆଫଗାନିସ୍ତାନ ସଂଲଗ୍ନ ଖୈବର ପଖତୁନଖଓ୍ଵା ମଧ୍ୟରେ ଆତଙ୍କବାଦୀଙ୍କ ଛୋଟ ଛୋଟ କ୍ୟାମ୍ପ ଥିଲା। ମାତ୍ର ତାଲିବାନ ସହ ତିକ୍ତତା ଓ ତେହରିକ ତାଲିବାନ ପାକିସ୍ତାନ(ଟିଟିପି)  ମଜବୁତ ହେବା କାରଣରୁ ସେହି କ୍ୟାମ୍ପ ଗୁଡ଼ିକୁ ବନ୍ଦ କରାଯାଇ ପଞ୍ଜାବ ଓ କାଶ୍ମୀରର କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଥିଲା। ଆଉ ମଙ୍ଗଳବାର ମଧ୍ୟରାତ୍ରରେ ୯ କ୍ୟାମ୍ପକୁ ମାଟିରେ ମିଶାଇଛି ଭାରତ।

ପ୍ରତିଟି ଗତିବିଧି ଉପରେ ନଜର

ବଲୁଚିସ୍ତାନରେ ବଲୁଚ ଲିବେରେସନ ଆର୍ମି(ବିଏଲଏ) ବହୁତ ମଜବୁତ ହେବା ପରେ ସେଠାରେ ଆତଙ୍କବାଦୀଙ୍କ ପାଇଁ ସୁରକ୍ଷିତ ସ୍ଥାନ ହୋଇ ରହିନାହିଁ। ଭାରତୀୟ ଏଜେନ୍ସିର ଆଶଙ୍କା ଯେ, ପାକିସ୍ତାନ ସରକାର ଓ ସେନା ପଞ୍ଜାବରେ ହିଁ ଛୋଟ ଛୋଟ ଆତଙ୍କୀ କ୍ୟାମ୍ପ କରି ଆତଙ୍କବାଦୀଙ୍କୁ ଆଶ୍ରୟ ଦେବାକୁ ଉଦ୍ୟମ କରିପାରେ। ତଥାପି ଆତଙ୍କବାଦୀଙ୍କ ପ୍ରତିଟି ଗତିବିଧି ଉପରେ ନଜର ରଖାଯାଉଥିବା ଅଧିକାରୀ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.