ଚୀନ୍ ଗୋଇନ୍ଦା ଗିରଫ: ଦଲାଇଲାମା ରହୁଥିବା ସହରରେ ବେଆଇନ ଭାବେ ରହୁଥିଲା, କ’ଣ କରୁଥିଲା ସେ..?

NEWS7
will-team-india-visit-pakistan-or-not-bcci-took-a-big-decision-regarding-champions-trophy--

କାଙ୍ଗଡା ୪।୨: ହିମାଚଳ ପ୍ରଦେଶରେ ଅବୈଧ ଭାବେ ରହୁଥିବା ଜଣେ ୬୦ ବର୍ଷ ବୟଷ୍କ ଚୀନ୍ ନାଗରିକକୁ ଗିରଫ କରାଯାଇଛି। ଲୁ ଭେନିୟନ ଭାବେ ପରିଚୟ ଦେଉଥିବା ଏହି ବ୍ୟକ୍ତି ଚୀନ୍ ସିଚୁଆନ ପ୍ରାନ୍ତର ବାସିନ୍ଦା। ତେବେ ୨୦୨୫ ସେପ୍ଟେମ୍ବର ମାସ ଶେଷ ସପ୍ତାହରୁ ସେ ଆବଶ୍ୟକ କାଗଜପତ୍ର ବିନା ୧୩୦ ଦିନ ହେଲା କାଙ୍ଗଡା ଜିଲ୍ଲାରେ ରହି ଆସୁଥିଲା। ସେ ନେପାଳ ରାସ୍ତାରେ ଭାରତକୁ ଅନୁପ୍ରବେଶ କରିଥାଇ ପାରେ ବୋଲି ତାଠାରୁ ଜବତ କାଗଜପତ୍ରରୁ ଆକଳନ କରାଯାଉଛି।

ଅତିରିକ୍ତ ଏସପି ବୀର ବାହାଦୂରଙ୍କ ଅନୁସାରେ ଫେବୃଆରୀ ୨ ତାରିଖ ଦିନ ମ୍ୟକଲୋଡଗଞ୍ଜ ପୋଲିସ ଷ୍ଟେସନରେ ଏ ନେଇ ଫେବୃଆରୀ ୨ ତାରିଖ ଦିନ ଏକ ଏତଲା ରୁଜୁ ହୋଇଥିଲା। ତଦନ୍ତ ବେଳେ ଜଣାପଡିଲା ଯେ ଚୀନ୍ ନାଗରିକ ଲୁ ଭେନିୟନ ୨୬ ସେପ୍ଟେମ୍ବର ୨୦୨୫ରୁ ୨ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ପାଖାପାଖି ୧୩୦ ଦିନ ହେଲା ବିନା ଭାରତୀୟ ଭିସାରେ ହିମାଚଳ ପ୍ରଦେଶ, କାଙ୍ଗଡା ଜିଲ୍ଲା ମ୍ୟାକଲୋଡଗଞ୍ଜରେ ରହି ଆସୁଥିଲା। ଏଣୁ ତାଙ୍କ ବିରୋଧରେ ବିଦେଶୀ ଅଧିନିୟମ ୧୯୪୬ର ଧାରା ୧୪ରେ ଉଲ୍ଲେଖିତ ପ୍ରାବଧାନ ଲାଗୁ ହେଉଛି। ବିଦେଶୀ ନାଗରିକଙ୍କ ସମ୍ପର୍କରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀଙ୍କୁ ମଧ୍ୟ ସୂଚୀତ କରାଯାଇଛି।

ଅତିରିକ୍ତ ଏସପି କହିଛନ୍ତି ଯେ ପାସପୋର୍ଟ ବିବରଣୀ ଅନୁସାରେ ଗିରଫ ବିଦେଶୀଙ୍କ ନାମ ଲୁ ଭେନିୟନ, ଜନ୍ମ ତାରିଖ ୧୦ ମେ ୧୯୬୫, ଜନ୍ମସ୍ଥାନ ସିଚୁଆନ ଓ ପାସପୋର୍ଟ ଜାରିକର୍ତ୍ତା ୟୁନ୍ନାନ, ଚୀନ୍ ଗଣରାଜ୍ୟ। ପାସପୋର୍ଟରେ ନେପାଳ ସରକାରଙ୍କ ପର୍ଯ୍ୟଟକ ଭିସା ଅଙ୍କିତ ଥିବା ଦେଖାଯାଇଛି। ଏହି ଭିସା ୨୯ ଜୁନ ୨୦୨୫ରୁ ୨୬ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଅର୍ଥାତ ୯୦ ଦିନ ବୈଧ ଥିଲା। ଏଣୁ ଭାରତୀୟ ବୈଧ ଭିସା ନଥିବାରୁ ସେ ନେପାଳ ରାସ୍ତା ଦେଇ ଭାରତକୁ ପ୍ରବେଶ କରିଥିବା ପୋଲିସ ଅନୁମାନ କରୁଛି। ସେ ପାଖାପାଖି ୫ ମାସ ପୂର୍ବେ ଭାରତ ଆସିଥିଲା ଓ ଗତ ୩ ମାସ ହେଲା ମ୍ୟାକଲୋଡଗଞ୍ଜରେ ରହୁଥିଲା।

ତା ପାସପୋର୍ଟ ସୂଚନା ଅନୁସାରେ ସେ ୯ରୁ ୧୦ଟି ଦେଶ ବୁଲିଛି ଓ ନେପାଳ ରାସ୍ତାରେ ଭାରତକୁ ପ୍ରବେଶ କରିଥିଲା। ପ୍ରାରମ୍ଭିକ ଯାଞ୍ଚରୁ ତା ବ୍ୟାଙ୍କ ଆକାଉଣ୍ଟରେ ୪,୦୦,୦୦୦ ଚୀନ୍ ୟୁଆନ ଅଛି। ତାଠାରୁ ଜବତ ହୋଇଥିବା ଇଲେକ୍ଟ୍ରୋନିକ୍ ଉପକରଣ ଫରେନସିକ୍ ଯାଞ୍ଚ ପାଇଁ ପଠା ଯାଇଛି। ଗିରଫ ବିଦେଶୀ କେବଳ ଚୀନ୍ ଭାଷା କହି ପାରୁଛି। ଏଣୁ ସେ ଚୀନ୍ ପୋଲିସରେ କାର୍ଯ୍ୟରତ ଥାଇପାରେ ବୋଲି ଅନୁମାନ କରାଯାଉଛି।

ଦଲାଇଲାମାଙ୍କ ନିବାସ ସହର ଓ ତୀବତ ନିର୍ବାସୀତ ସରକାରଙ୍କ ମୁଖ୍ୟାଳୟ ମ୍ୟାକଲୋଡ ଗଞ୍ଜକୁ ପ୍ରତିବର୍ଷ ଭାରତ ଓ ବିଦେଶରୁ ଶହଶହ ପର୍ଯ୍ୟଟକ ଆସିଥାନ୍ତି। ଏହି କ୍ଷେତ୍ରର ରଣନୈତିକ ଓ ସୁରକ୍ଷା ଗୁରୁତ୍ୱକୁ ନଜରରେ ରଖି ସରକାର ଏଠାରେ କେତେକ କେନ୍ଦ୍ରୀୟ ଏଜେନ୍ସୀ କାର୍ଯ୍ୟାଳୟ ସ୍ଥାପନା କରିଛନ୍ତି। ତେବେ ସମ୍ଭାବିତ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗତବର୍ଷ ଦଲାଇଲାମାଙ୍କୁ ଜେଡ୍ ଶ୍ରେଣୀୟ ସୁରକ୍ଷା ପ୍ରଦାନ କରିଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ :-ସାବାସ୍ ଅଷ୍ଟିନ୍ ! ସମୁଦ୍ରରେ ୪ ଘଣ୍ଟା ପହଁରିଲା ୧୩ ବର୍ଷର ବାଳକ, ବୁଡ଼ି ଯାଉଥିବା ମାଆ ଓ ଭାଇ ଭଉଣୀକୁ ବଞ୍ଚାଇଦେଲା