ନୂଆଦିଲ୍ଲୀ ୧୨।୭: ନିଜ ସ୍ୱାମୀଙ୍କ ମୋବାଇଲ ଫୋନ୍ ଲୁଟ କରିବାକୁ ସ୍ତ୍ରୀ ଭଡାରେ ଲୁଟେରାଙ୍କୁ ଆଣିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ତାର କାରଣ ହେଉଛି ମହିଳା ଜଣକ ନିଜ ପ୍ରେମିକ ସହ ଉଠାଇଥିବା କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସ୍ୱାମୀଙ୍କ ଫୋନ୍ରେ ରହିଥିଲା । ତାକୁ ଡିଲିଟ କରିବା ଉଦ୍ଦେଶ୍ୟରେ ସେ ଏଭଳି କରିଥିଲେ । ଗତ ଜୁନ ୧୯ ତାରିଖରେ ରାଜଧାନୀ ଦିଲ୍ଲୀର ସୁଲତାନପୁର ଅଞ୍ଚଳରେ ଏଭଳି ଘଟଣା ଘଟିଥିଲା । ବର୍ତ୍ତମାନ ତାହା ସାମ୍ନାକୁ ଆସିଛି ।
ଡିସିପି (ଦକ୍ଷିଣ) ଅଙ୍କିତ ଚୌହାନଙ୍କ ସୂଚନା ଅନୁସାରେ ସୁଲତାନପୁରର ମେନ ମାର୍କେଟ ରୋଡ୍ରୁ ଜଣେ ବ୍ୟକ୍ତିଙ୍କର ମୋବାଇଲ ଫୋନ୍ ଲୁଟ ହୋଇଥିବା ନେଇ ପିସିଆରକୁ ସୂଚନା ମିଳିଥିଲା । ଅଭିଯୋଗକାରୀ ଦର୍ଶାଇଥିଲେ ଯେ ଦୁଇଜଣ ହେଲମେଟ ପିନ୍ଧା ଯୁବକ ଏକ ସ୍କୁଟିରେ ଆସି ତାଙ୍କ ନିକଟରୁ ମୋବାଇଲ ଫୋନ୍ ଛଡାଇ ନେଇ ଦ୍ରୁତଗତିରେ ପଳାଇଥିଲେ । ପଛରେ ବସିଥିବା ବ୍ୟକ୍ତି ଜଣକ ନୀଳରଙ୍ଗ ଟି-ସାର୍ଟ ପିନ୍ଧିଥିଲେ । ସୂଚନା ମିଳିବା ପରେ ପିସିଆର ବସନ୍ତକୁଞ୍ଜ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା । ପ୍ରଥମେ ଉକ୍ତ ସ୍କୁଟିର ନମ୍ବର ଆଧାରରେ ତାକୁ ଠାବ କରାଯାଇଥିଲା । ସେହି ନମ୍ବରକୁ ଯାଞ୍ଚ କରି ପୁଲିସ ଦରିୟାଗଞ୍ଜରେ ପହଞ୍ଚିଥିଲା । ସେଠାରୁ ଜଣାପଡିଥିଲା କି ଉକ୍ତ ସ୍କୁଟିକୁ ଅଙ୍କିତ ଗେହଲଟ ନାମକ ଜଣେ ଯୁବକ ଦିନକ ପାଇଁ ଭଡାରେ ନେଇଥିଲେ । ଅଙ୍କିତ ସେଠାରେ ଦାଖଲ କରିଥିବା ଆଧାରକାର୍ଡ ନମ୍ବର ଓ ଅନ୍ୟାନ୍ୟ ଦସ୍ତାବିଜ୍କୁ ଯାଞ୍ଚ କରିବା ପରେ ତାହା ରାଜସ୍ଥାନର ବାଡମେର ଜିଲ୍ଲା ବାଲୋତ୍ରା ଅଞ୍ଚଳର ବୋଲି ଜଣାପଡିଥିଲା । ଏକ ପୁଲିସ ଟିମ୍ ସେଠାକୁ ଯାଇ ଅଭିଯୁକ୍ତ ଅଙ୍କିତକୁ ଗିରଫ କରିବାରେ ସକ୍ଷମ ହୋଇଥିଲା ।
ଅଭିଯୁକ୍ତକୁ ଗିରଫ କରାଯିବା ପରେ ତା ନିକଟରୁ ମୋବାଇଲ ଫୋନ୍ ଜବତ କରାଯାଇଥିଲା । ଏଥିସହ ସେ ତାର ସହଯୋଗୀଙ୍କ ନାମ ମଧ୍ୟ କହିଥିଲା । ସେ ଏକଥା କହିଥିଲା ଯେ ଉକ୍ତ ମୋବାଇଲ ଫୋନ୍ ଚୋରି କରିବାକୁ ସମ୍ପୃକ୍ତ ବ୍ୟକ୍ତିଙ୍କ ପତ୍ନୀ ହିଁ ସେମାନଙ୍କୁ ସୁପାରି ଦେଇଥିଲେ । କାରଣ ପତ୍ନୀଙ୍କର ତାଙ୍କ ପ୍ରେମିକ ସହ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ତାଙ୍କ ସ୍ୱାମୀ ରଖିଥିଲେ । ତାକୁ ଡିଲିଟ କରିବାକୁ ମହିଳା ଜଣକ ଚାହୁଁଥିଲେ । ହେଲେ ନ ପାରିବାରୁ ଏଭଳି ପନ୍ଥା ଆପଣାଇଥିଲେ । ସ୍ୱାମୀ କେତେବେଳେ ଅଫିସକୁ ଯାହାନ୍ତି ଓ କେଉଁ ବାଟ ଦେଇ ଯାଇଥାନ୍ତି ଏସବୁ କଥା ମହିଳା ଜଣକ ସୂଚନା ଦେଇଥିଲେ । ଏକଥା ଶୁଣିବା ପରେ ପୁଲିସର ହୋସ୍ ଉଡିଯାଇଥିଲା । ପୁଲିସ ଶେଷରେ ମହିଳାଙ୍କୁ ଧରିବା ପରେ ସେ ସବୁକଥା ସାମ୍ନାକୁ ଆସିଥିଲା । ଇତିମଧ୍ୟରେ ପୁଲିସ ଅନ୍ୟତମ ଅଭିଯୁକ୍ତକୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।