କେମିତି ଆରମ୍ଭ ହୋଇଥିଲା ଓଡ଼ିଶାରେ ସାମ୍ବାଦିକତାର ଯାତ୍ରା

Published By : Prameya-News7 Bureau | August 04, 2025 IST

ଭୁବନେଶ୍ୱର : ୧୮୬୬ ମସିହା...ନଅଙ୍କ ଦୁର୍ଭିକ୍ଷର ପ୍ରଭାବରେ ଅଭାବନୀୟ ଜରାଜିର୍ଣ୍ଣ ପରିସ୍ଥିତିକୁ ସାମ୍ନା କରୁଥାଏ ତତ୍କାଳୀନ ଓଡ଼ିଶା। ସତେଯେମିତି ଏହି ଦୂର୍ଭିକ୍ଷ ରାଜ୍ୟସାରା ବୁଣିଦେଇଥିଲା ମରଣର ମାୟାଜାଲ। ମରିଥିଲେ ଓଡ଼ିଶାର ଏକ ତୃତୀୟାଂଶ ଲୋକ। ସମସ୍ୟାର ସମାଧାନ ପାଇଁ ସେତେବେଳେ ନାଁ କୌଣସି ମାଧ୍ୟମ , ନା ଥିଲା ଯୋଗାଯୋଗ ନା ଗମନାଗମନର ବ୍ୟବସ୍ଥା । ଏହା ପରେ ସ୍ଥାନୀୟ ସମସ୍ୟାର ଆଲୋଚନା ଓ ଲୋକଙ୍କ ଦୃଷ୍ଟିଆକର୍ଷଣ କରିବା ପାଇଁ ଗୌରୀଶଙ୍କର ରାୟ ଏବଂ ବିଚିତ୍ରାନନ୍ଦ ଦାସଙ୍କ ଦୂଆତର କାଳି ପ୍ରଥମେ ଲେଖିଥିଲା ନଅଙ୍କ ଦୂର୍ଭିକ୍ଷର କଳାକହାଣୀ ଉତ୍କଳ ଦୀପିକାର ପ୍ରତି ପୃଷ୍ଠାରେ....ସମ୍ବେନଶୀଳ ପ୍ରସଙ୍ଗକୁ ପାଥେୟ କରି, ଲୋକଙ୍କ ଆଗରେ ପାରିପାର୍ଶ୍ବିକ ସମସ୍ୟାକୁ ବୁଝାଇବାକୁ ଆରମ୍ଭ ହୋଇଥିଲା ଓଡ଼ିଶାର ପ୍ରଥମ ଖବରକାଗଜ...ନାଁ ଥିଲା...ଉତ୍କଳ ଦୀପିକା। 

ସମୟ ବଦଳିଛି, ଆଧୁନିକତାରେ ବଦଳିଛି ଖବରର ଧାରା, ଲୋକଙ୍କ ପସନ୍ଦ...ତଥାପି ଆମେ ବଞ୍ଚାଇରଖିଛେ ଆମ ଗଣମାଧ୍ୟମର ସଂସ୍କୃତିକୁ...ସେଥିପାଇଁ ତ ପ୍ରତିବର୍ଷ ଅଗଷ୍ଟ ୪ ରେ ଆମେ ପାଳୁଛେ ଓଡ଼ିଶା ସାମ୍ବାଦିକତା ଦିବସ....କାରଣ ଆଜିର ଦିନରେ ହିଁ ପଡ଼ିଥିଲା ଓଡ଼ିଶାରେ ସାମ୍ବାଦିକତାର ମୂଳଦୁଆ.... 

 ପରାଧୀନ ସମାଜରେ ଯେତେବେଳେ କଥା କରିବାର ସ୍ବାଧିନତା ସାତ ସପନଥିଲା ସେତେବଳେ ଲୋକସମସ୍ୟାର ଦୃଷ୍ଟି ଆକର୍ଷଣ କରିବା ପାଇଁ ଆଗେଇ ଆସନ୍ତି ଗୌରୀଶଙ୍କର ରାୟ ଏବଂ ବିଚିତ୍ରାନନ୍ଦ ଦାସଙ୍କ ଭଳି ଦୁଇଜଣ ଯୁଗଜନ୍ମା। ଲୋକଙ୍କ ସ୍ବାର୍ଥ, ଲୋକଙ୍କ ସମସ୍ୟା ଆଉ ସମାଜର ହୀତକୁ ଉର୍ଦ୍ଧ୍ବରେ ରଖି ସେମାନେ ନୀରପେକ୍ଷ ନିଚ୍ଛକ ଖବରକୁ ଉତ୍କଳ ଦୀପିକାର ପୃଷ୍ଠା ଉପରେ ପରଷି ଦେଉଥିଲେ। ୧୮୬୫ରେ ଗୌରୀଶଙ୍କର ରାୟଙ୍କ ନେତୃତ୍ୱରେ କଟକ ପ୍ରିଣ୍ଟିଂ କମ୍ପାନୀ ସ୍ଥାପନା କରାଯାଇଥିଲା ଏହା ଥିଲା ଓଡ଼ିଆମାନଙ୍କ ଦ୍ୱାରା ସ୍ଥାପିତ ଓ ପରିଚାଳିତ ପ୍ରଥମ ଛାପାକଳ ଥିଲା।

 ନ’ଅଙ୍କ ଦୁର୍ଭିକ୍ଷ ହେଉ କି ଓଡ଼ିଆ ଭାଷା ଆନ୍ଦୋଳନ, ପ୍ରତିଟି ଖବରକୁ ନିରପେକ୍ଷ, ନିର୍ଭିକ ଭାବେ ପ୍ରଚାର ପ୍ରସାର କରିବାରେ ମୂଖ୍ୟ ଭୂମିକା ନିଭାଇଥିଲା ଉତ୍କଳ ଦୀପିକା। ସମ୍ବାଦପତ୍ର ଜଗତରେ ଏକ ନୂଆ ବିପ୍ଳବର ବହ୍ନି ଜାଳିଥଲା ଉତ୍କଳ ଦୀପିକା। ସମାଜରେ ଅସାମାଜିକ ଆଚରଣର ଅର୍ଥକୁ କାଗଜର ଫର୍ଦ୍ଦ ଉତାରିଦେଇ ଏକ କୁଳୁଷିତ କୁସଂସ୍କାର, ଅବ୍ୟବସ୍ଥିତ ଅସାମାଜିକ କର୍ତ୍ତବ୍ୟବୋଧକୁ କିପରି ବିଲୋପ କରାଯାଏ, ତାହା ହିଁ ଶିଖାଇଥିଲା ଉତ୍କଳ ଦୀପିକା। 

ପ୍ରକାଶନ ଆରମ୍ଭ ଦିନ ଠାରୁ ୧୯୧୭ ମସିହା ଯାଏଁ ଏହାର ସମ୍ପାଦକ ଦାୟିତ୍ୱରେ ଥିଲେ ଗୌରୀଶଙ୍କର ରାୟ। ତାଙ୍କ ଅନ୍ତେ ନୀଳମଣି ବିଦ୍ୟାରତ୍ନ ଏହି ଦାୟିତ୍ୱକୁ ଅତି ନିଷ୍ଠାର ସହ ତୁଲାଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ନାନା ସମସ୍ୟା ଯୋଗୁ ୧୯୩୬ ମସିହାରେ ଏହାର ପ୍ରକାଶନ ବନ୍ଦ ହୋଇଥିଲା। ଏଥିସହ ନିରବ ହୋଇଯାଇଥିଲା ଓଡ଼ିଶାର ପ୍ରଥମ ସମ୍ବାଦପତ୍ରର ସ୍ୱର। କିନ୍ତୁ ଅଟକି ନଥିଲେ ଓଡ଼ିଶାରେ ଗଣମାଧ୍ୟମର ଗସ୍ତ..ନୂଆ ନୂଆ ଧାରା ଆସିଛି....ସମୟ ବଦଳିବା ସାଙ୍ଗକୁ ଲୋକଙ୍କ ପସନ୍ଦ ଏବଂ ସମସ୍ୟାକୁ ପାଥେୟ କରି ଆମେ ଆଜି ଏକବିଂଶ ଶତାବ୍ଦୀର ରୌପ୍ୟଜୟନ୍ତିରେ ଉପନୀତ...ବଦଳିଛି ଖବରର ସଂଜ୍ଞା...ଏଠି ଗୋଟିଏ ଖବରରେ ବଦଳିଯାଉଛି ଅବ୍ୟବସ୍ଥିତ ପ୍ରଶାସନର ଢ଼ାଞ୍ଚା...ଗୋଟିଏ ଖବରରେ ସୁଧୁରିଯାଉଛି ସମାଜ...ନୀରପେକ୍ଷତାକୁ ନେଇ ସାମ୍ବାଦିକତା ଉପରେ ଉଠିଛି ଅନେକ ପ୍ରଶ୍ନ...ତଥାପି ଗୋଟିଏ ହାତରେ କଲମ ଆଉ ଗୋଟିଏ ହାତରେ ବୁମ୍‌ ଧରି କ୍ୟାମେରାକୁ ସାଥୀ କରି ଆମେ ପହଞ୍ଚିଛୁ ଆପଣଙ୍କ ପାଖରେ, ଉପାନ୍ତରୁ ଆଧୁନିକ ଇଲାକାରେ....ଆମେ ଥିଲୁ, ଅଛୁ ଏବଂ ସବୁବେଳେ ରହିିଥିବୁ....ଆପଣଙ୍କ ସାଙ୍ଗରେ...ଆମ କଲମ, ଆମ ବୁମ୍‌ ଏବଂ ଆମ କ୍ୟାମେରାର ଲେନ୍ସରେ ଆପଣଙ୍କ ସମସ୍ୟାକୁ ଟାଣି ଆଣି ସୁବିଧା ଆଉ ସହଜ ବ୍ୟବସ୍ଥା ପ୍ରଦାନ କରିବୁ...ଏହା ଆମର ପ୍ରତିଜ୍ଞା...ଓଡ଼ିଶାର ଅଗଣିତ ଜନସାଧାରଣଙ୍କୁ, ସାମ୍ବାଦିକ ତଥା ବୁଦ୍ଧିଜୀବୀ ମାନଙ୍କୁ ଓଡ଼ିଶା ସାମ୍ବାଦିକତା ଦିବସର ଶୁଭେଚ୍ଛା ଏବଂ ଶୁଭକାମନା.... 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.