ନୂଆଦିଲ୍ଲୀ: ଭୟଙ୍କର ହେବାରେ ଲାଗିଛି ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ। କିନ୍ତୁ ଆମେରିକା ଯୁଦ୍ଧରେ ପ୍ରତ୍ୟକ୍ଷ ସାମିଲ ହେବକି ନାହିଁ ତାହା ଜଣାପଡିନାହିଁ। କିନ୍ତୁ ସାମରିକ ବିଶେଷଜ୍ଞମାନେ କହିଛନ୍ତି ଯେ ଇରାନର ଫୋର୍ଡୋ ପରମାଣୁ କେନ୍ଦ୍ରକୁ ନଷ୍ଟ କରିବା ପାଇଁ ଇସ୍ରାଏଲକୁ ଆମେରିକାର ସାହାଯ୍ୟ ଆବଶ୍ୟକ। ଆମେରିକା ପାଖରେ ଏପରି ବଙ୍କର ବଷ୍ଟର ବୋମା ଅଛି ଯାହା ପର୍ବତ ତଳେ ଥିବା ଇରାନର ପରମାଣୁ କେନ୍ଦ୍ରକୁ ନଷ୍ଟ କରିପାରିବ। କିନ୍ତୁ ଆମେରିକୀୟ ରାଷ୍ଟ୍ରପତି ନିଜେ ଏହାର ବ୍ୟବହାର ପାଇଁ ଦୃଢ ଭାବେ ବିଶ୍ୱାସ ଆସୁନି।
ଡୋନାଲ୍ଡ ଟ୍ରମ୍ପ ପ୍ରତିରକ୍ଷା ଅଧିକାରୀମାନଙ୍କୁ କହିଛନ୍ତି ଯେ ଯଦି ଫୋର୍ଡୋରେ ୟୁରାନିୟମ ସମୃଦ୍ଧ କେନ୍ଦ୍ରକୁ ବଙ୍କର ବଷ୍ଟର ବୋମା ସହିତ ନଷ୍ଟ କରିବାର ଗ୍ୟାରେଣ୍ଟି ଥାଏ ତେବେ ହିଁ ଆମେରିକା ଇରାନ ଉପରେ ଆକ୍ରମଣ କରିବା ଠିକ୍ ହେବ। ଟ୍ରମ୍ପଙ୍କୁ କୁହାଯାଇଥିଲା ଯେ 13.6 ଟନର ବୋମା GBU-57 ପକାଇବା ଦ୍ୱାରା ଫୋର୍ଡୋ ପରମାଣୁ କେନ୍ଦ୍ର ନଷ୍ଟ ହୋଇଯିବ। କିନ୍ତୁ ସେ ଏଥିରେ ସେ ସମ୍ପୂର୍ଣ୍ଣ ଭାବରେ ବିଶ୍ୱାସ କରିନାହାନ୍ତି। ଏହି କାରଣରୁ ସେ ଆକ୍ରମଣ ପାଇଁ ଚୂଡ଼ାନ୍ତ ନିର୍ଦ୍ଦେଶ ଦେଇନାହାନ୍ତି।
GBU-57 ଅର୍ଥାତ୍ ବଙ୍କର ବଷ୍ଟର ବୋମାର ପ୍ରଭାବଶାଳୀତା ସମ୍ପର୍କରେ ପେଣ୍ଟାଗନରେ ଗଭୀର ମତଭେଦ ରହିଛି। ଦୁଇ ଜଣ ପ୍ରତିରକ୍ଷା ଅଧିକାରୀଙ୍କ ଅନୁଯାୟୀ, ଫୋର୍ଡୋ ପରମାଣୁ କେନ୍ଦ୍ର ପର୍ବତ ତଳେ ବହୁତ ଗଭୀରରେ ଅବସ୍ଥିତ ଏବଂ କେବଳ ହାଇ ଟେକ୍ନୋଲୋଜି ପରମାଣୁ ଅସ୍ତ୍ର ଏହାକୁ ନଷ୍ଟ କରିପାରିବ। ଏହି ଅସ୍ତ୍ରର ବ୍ୟବହାର କରିବା ସପକ୍ଷରେ ନୁହନ୍ତି ଟ୍ରମ୍ପ।
ଫୋର୍ଡୋକୁ ଧ୍ୱଂସ କରିବା କାହିଁକି କଷ୍ଟକର?
ଫୋର୍ଡୋ କେନ୍ଦ୍ର କୋମ୍ ସହର ନିକଟରେ ପର୍ବତ ତଳେ ନିର୍ମିତ। ଏପରି ସ୍ଥାନରେ ବଙ୍କର ବଷ୍ଟର ବୋମା ପୂର୍ବରୁ କେବେ ବ୍ୟବହାର କରାଯାଇ ନାହିଁ। ଗାର୍ଡିଆନର ରିପୋର୍ଟ ଅନୁସାରେ ଇସ୍ରାଏଲୀ ଗୁଇନ୍ଦା ଆକଳନ କରୁଛି ଯେ ଫୋର୍ଡୋ ପରମାଣୁ କେନ୍ଦ୍ର ୯୦ ମିଟର ଗଭୀର ହୋଇପାରେ। ଏଠାରେ ପହଞ୍ଚିବା ପାଇଁ, ଆମେରିକାକୁ ପାରମ୍ପରିକ ବୋମା ସହିତ ଭୂମିକୁ ଦୁର୍ବଳ କରିବାକୁ ପଡିବ ଏବଂ ତା'ପରେ ସମ୍ପୂର୍ଣ୍ଣ ଫାସିଲିଟିକୁ ଧ୍ୱଂସ କରିବା ପାଇଁ B2 ବମ୍ବର ପକାଇବାକୁ ପଡିବ।