ନୂଆଦିଲ୍ଲୀ: ଭାରତ ଉପରେ ଟ୍ରମ୍ପ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ଦେଶର ପୂର୍ବତନ ଆର୍ବିଆଇ ଗଭର୍ଣ୍ଣର ରଘୁରାମ ରାଜନ। ଶ୍ରୀ ରାଜନ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତୀୟ ସାମଗ୍ରୀ ଉପରେ ୫୦% ଶୁଳ୍କ ସମେତ ଅଧିକ ଶୁଳ୍କ ଲାଗୁ କରିବାର ନିଷ୍ପତ୍ତି ଏକ ବ୍ୟାପକ ରଣନୀତିର ଅଂଶ, ଯାହା ବାଣିଜ୍ୟ ଅର୍ଥନୀତିଠାରୁ ବାହାରେ।
ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେକୁ ପ୍ରତିକ୍ରିୟା ଦେଇ ଶ୍ରୀ ରାଜନ କହିଛନ୍ତି ଯେ ଶୁଳ୍କକୁ କେବଳ ଏକ ବାଣିଜ୍ୟିକ ଉପକରଣ ଭାବରେ ନୁହେଁ ବରଂ ରାଜନୈତିକ ଏବଂ ଆର୍ଥିକ ଶକ୍ତି ପ୍ରୟୋଗର ଏକ ମାଧ୍ୟମ ଭାବରେ ମଧ୍ୟ ବ୍ୟବହାର କରାଯାଉଛି। ଆମେରିକାର କରେଣ୍ଟ ଆକାଉଣ୍ଟ ଡେଫିସିଟ ଓ ଟ୍ରେଡ୍ ଡେଫିସିଟ୍କୁ ଦେଖି ଟ୍ରମ୍ପ ଭାବୁଛନ୍ତି ଯେ ଅନ୍ୟ ଦେଶମାନେ ଆମେରିକାକୁ ଶସ୍ତା ସାମଗ୍ରୀ ପଠାଇବା ପରିବର୍ତ୍ତେ ସେମାନେ ଆମେରିକାର ଫାଇଦା ଉଠାଉଛନ୍ତି। ତା' ଛଡ଼ା ୧୯୮୦ରୁ ଟ୍ରମ୍ପଙ୍କର ଏହି ଭାବନା ରହି ଆସିଛି। ସେତେବେଳେ ସେ ଜାପାନକୁ ସମାଲୋଚନା କରିଥିଲେ। ତେଣୁ ଟାରିଫ ଲାଗୁ କରିବାର ଏହା ଗୋଟିଏ କାରଣ ହୋଇପାରେ।
ସେହିପରି ଅନ୍ୟ ଏକ କାରଣ ହେଲା ଟ୍ରମ୍ପଙ୍କ ବିଶ୍ୱାସ ଯେ ଶୁଳ୍କ ଆମେରିକୀୟ ଗ୍ରାହକଙ୍କ ଉପରେ ନୁହେଁ ବରଂ ବାହାର ଲୋକଙ୍କ ଉପରେ ଟିକସ ଭାବରେ କାର୍ଯ୍ୟ କରେ। ତେଣୁ ଏହା ରାଜସ୍ୱ ପାଇବାର ଏକ ଶସ୍ତା ଉପାୟ ବୋଲି ଭାବନ୍ତି। ଯେତେବେଳେ ଆମେରିକା ତାର ସାମରିକ ଶକ୍ତି ବ୍ୟବହାର କରିବାକୁ ଚାହେଁ ନାହିଁ, ସେତେବେଳେ ସେ ଟାରିଫକୁ ଏହାର ଅସ୍ତ୍ର ଭାବରେ କରେ। ଏଥିରେ ଅନ୍ୟ ଦେଶଗୁଡ଼ିକ ପ୍ରଭାବିତ ହୁଅନ୍ତି ବୋଲି ରାଜନ କହିଛନ୍ତି।
ଅନ୍ୟ ଦେଶ ଅପେକ୍ଷା ଭାରତକୁ ଅଧିକ ଟାର୍ଗେଟ୍ କରାଯାଉଛି ବୋଲି କଥାରେ ରାଜନ ସହମତି ପ୍ରକାଶ କରିଛନ୍ତି। ତେବେ ମୋଦୀ- ଟ୍ରମ୍ପ ସମ୍ପର୍କ ଯୋଗୁ ଭାରତ ଉପରେ ଆମେରିକାର ଆଭିମୁଖ୍ୟ କିଛି ଅଲଗା ହେବ ବୋଲି ସମସ୍ତେ ଆଶା କରୁଥିଲେ। ହେଲେ ଏହାର ଓଲଟା ହେଲା। ଅନ୍ୟ ଏସିଆ ଓ ୟୁରୋପ ଦେଶ ତୁଳନାରେ ଭାରତ ଉପରେ ସର୍ବାଧିକ ଶୁଳ୍କ ଲଗାଯାଇଛି। ତେଣୁ ଏଥିରୁ ଏହା ସ୍ପଷ୍ଟ ଯେ ଭାରତ ଆମେରିକା ସମ୍ପର୍କ ଭାଙ୍ଗିଯାଇଛି।
ଏଥିରେ ନ୍ୟାୟ, ସାର୍ବଭୌମତ୍ୱ ଇତ୍ୟାଦି ପ୍ରସଙ୍ଗଠାରୁ ସ୍ଥିତି ଉର୍ଦ୍ଧ୍ୱରେ ରହିଛି। ଏହା କେବଳ ଏକ ଶକ୍ତିର ଖେଳ ବୋଲି ରାଜନ କହିଛନ୍ତି। ଯେହେତୁ ଟ୍ରମ୍ପଙ୍କ କଥାରେ ଭାରତ ଚାଲୁ ନାହିଁ, ତେଣୁ ତାକୁ ଅଲଗା ଭାବରେ ଟାର୍ଗେଟ୍ କରାଯାଉଛି। ଏଥିରେ ସେ ଆମେରିକୀୟ ପରାମର୍ଶଦାତା ପିଟର ନାଭାରୋଙ୍କର ଫାଇନାନ୍ସିଆଲ୍ ଟାଇମ୍ସରେ ଭାରତ ସମାଲୋଚନାକାରୀ ଲେଖାର ଉଦାହରଣ ଦେଇଛନ୍ତି। ରାଜନ କହିଛନ୍ତି ଯେ ନାଭାରୋ ବିନା ଅନୁମତିରେ ଫାଇନାନ୍ସିଆଲ୍ ଟାଇମ୍ସରେ ଭାରତ ବିରୋଧରେ ଏଭଳି ଲେଖିବେ ନାହିଁ। ତେଣୁ ତାଙ୍କୁ ଲେଖିବାକୁ ଅନୁମତି ଦିଆଯାଇଥିବା ସ୍ପଷ୍ଟ ଜଣାପଡ଼ୁଛି। ଭାରତକୁ ଚିହ୍ନିତ କରିବାକୁ ଟ୍ରମ୍ପଙ୍କ ଏହା ପ୍ଲାନ୍ ବୋଲି ରାଜନ ଦର୍ଶାଇଛନ୍ତି। ତେବେ ଟ୍ରମ୍ପଙ୍କ ନିଷ୍ପତ୍ତି ଭାରତ ପାଇଁ ଜାଗ୍ରତ ହେବାର ଏକ ଡାକରା ବୋଲି ସେ କହିଛନ୍ତି।
ସବୁଠାରୁ ବଡ଼ କଥା ହେଲା ରାଜନ ଋଷରୁ ଆସୁଥିବା ଶସ୍ତା ତେଲରେ କାହାକୁ ଲାଭ ମିଳୁଛି ବୋଲି ପ୍ରଶ୍ନ କରିଛନ୍ତି। ଏସବୁ ପରେ କିଛି ରିଫାଇନର୍ସ ଅଛନ୍ତି ଯେଉଁମାନେ ଅଧିକ ଲାଭ କରୁଛନ୍ତି। ସେମାନେ କ'ଣ ଏବେ ବି ସେହି ଅଧିକ ଲାଭ କରୁଛନ୍ତି? ଆମେ କ'ଣ ସେହି ଲାଭରୁ କିଛି ନେଇ କିଛି ରପ୍ତାନିକାରୀଙ୍କୁ ଲାଭ ଦେବା ଉଚିତ ଯେଉଁମାନେ ରୁଷରୁ ତେଲ କିଣୁଥିବା ଯୋଗୁଁ କ୍ଷତିଗ୍ରସ୍ତ ହେଉଛନ୍ତି?
ମିଡିଆ ରିପୋର୍ଟ ଅନୁସାରେ, ଗତ ୩ ବର୍ଷ ଧରି, ଭାରତ ପ୍ରତି ବ୍ୟାରେଲ ୫ ରୁ ୩୦ ଡଲାର ରିହାତିରେ ରୁଷରୁ ଅଶୋଧିତ ତେଲ ପାଉଛି। ମନି ଲାଇଫ୍ ର ଏକ ରିପୋର୍ଟ ଅନୁଯାୟୀ, ଏହି ରିହାତିର ୬୫% ରିଲାଏନ୍ସ ଏବଂ ନାୟାରା ଭଳି ଘରୋଇ କମ୍ପାନୀ ସହିତ ଇଣ୍ଡିଆନ୍ ଅଏଲ୍ ଏବଂ ଭାରତ ପେଟ୍ରୋଲିୟମ୍ ଭଳି ସରକାରୀ କମ୍ପାନୀଗୁଡ଼ିକୁ ଯାଇଛି। ସରକାରଙ୍କୁ ୩୫% ଲାଭ ମିଳିଛି। ହେଲେ ସାଧାରଣ ଲୋକଙ୍କୁ ଏହାର କୌଣସି ଫାଇଦା ମିଳି ନାହିଁ।