ନୂଆଦିଲ୍ଲୀ ୧୫।୮: ଦେଶ ଶୁକ୍ରବାର ୭୯ତମ ସ୍ୱାଧୀନତା ଦିବସ ପାଳନ କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ କାର୍ଯ୍ୟକ୍ରମରେ ସମସ୍ତଙ୍କ ନଜର ବିରୋଧୀ ଦଳ ନେତାଙ୍କୁ ଖୋଜୁଥିଲା, ହେଲେ ନା ତ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଦେଖା ଯାଇଥିଲେ ନା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ସ୍ୱାଧୀନତା ଦିବସ ସମାରୋହ ଇତିହାସରେ ଏଭଳି ଘଟଣା ପ୍ରଥମ ଥର ଘଟିଛି।
ତେବେ ଏକ ଗଣମାଧ୍ୟମ ସୋ ରେ କଂଗ୍ରେସ ମୁଖପାତ୍ର ଡ.ଅଜୟ ଉପାଧ୍ୟାୟ ଏ ନେଇ ସଫେଇ ଦେଇଛନ୍ତି। ଡ.ଉପାଧ୍ୟାୟ କହିଛନ୍ତି ଯେ ରାଜ୍ୟସଭା ଓ ଲୋକସଭାରେ ବିରୋଧୀ ଦଳ ନେତାଙ୍କ ଯେଉଁ ପଦ ରହିଛି ତାହା ସେମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ସହିତ ପ୍ରଥମ ଧାଡିରେ ବସାଇଥାଏ। ଜବାହାରଲାଲ ନେହେରୁଙ୍କ ଠାରୁ ମନମୋହନ ସିଂହଙ୍କ ପର୍ଯ୍ୟନ୍ତ ସରକାର ଯାହାର ବି ଥାଉ ଏହି ପରମ୍ପରା ଚାଳି ଆସୁଥିଲା। ବିରୋଧୀ ଦଳ ନେତା ଯେଉଁ ଦଳର ହୋଇଥାନ୍ତୁ ନା କାହିଁକି ତାଙ୍କୁ ପ୍ରଥମ ପଙକ୍ତିରେ ବସାଯାଇଥାଏ। ହେଲେ ରାହୁଲ ଗାନ୍ଧି ବିରୋଧୀ ଦଳ ନେତା ହେବା ପରେ ଗତବର୍ଷ ସ୍ୱାଧୀନତା ଦିବସ ଉତ୍ସବରେ ନିମନ୍ତ୍ରିତ ଅତିଥିଙ୍କ ଧାଡିର ଶେଷରେ ତାଙ୍କୁ ବସା ଯାଇଥିଲା।
ଅଜୟ ଉପାଧ୍ୟାୟ କହିଛନ୍ତିଯେ ରାହୁଲ ଗାନ୍ଧି ଓ ମଲ୍ଲିକାର୍ଜୁନ ଖଡଗେ ଏହି ଦୁଇ ନେତା ସମ୍ବିଧାନିକ ପଦବୀରେ ଅଛନ୍ତି। ଏଣୁ ଏହା ସେମାନଙ୍କ ସାମ୍ବିଧାନିକ ପଦର ଗାରିମାର କଥା କୌଣସି ବ୍ୟକ୍ତି ବିଶେଷଙ୍କ ମାମଲା ନୁହେଁ। ସମ୍ବିଧାନିକ ପଦରେ ଥିବା କୌଣସି ବ୍ୟକ୍ତିଙ୍କ ସହ ଯଦି ଏପରି ଆଚରଣ କରାଯାଏ ତେବେଏହା ସମ୍ବିଧାନ ମର୍ଯ୍ୟଦାର ହନନ ହୋଇଥାଏ। ଏଣୁ ଏହି ମର୍ଯ୍ୟଦାର ହନନ ନ ହେଉ ଦୁଇ ନେତା ଜାତୀୟ ପର୍ବ ପାଳନ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିଥିଲେ ମଧ୍ୟ ଜାତୀୟ କାର୍ଯ୍ୟକ୍ରମରେ ସାମିଲ ହୋଇ ନାହାନ୍ତି। ଏ କଥାର ଯଦି ପ୍ରଧାନମନ୍ତ୍ରୀ ରାଜନୀତିକରଣ କରିବାକୁ ତାହୁଁଥାନ୍ତି ତାହା ନ ହେଉ ବୋଲି ସେମାନେ ଚାହୁଁଥିବା ଉପାଧ୍ୟାୟ କହିଛନ୍ତି ।
ତେବେ ଡ. ଉପାଧ୍ୟାୟଙ୍କ ବୟାନରେ ବିଜେପି ମୁଖପାତ୍ର ଆର.ପି. ସିଂହ ପାଲଟା ଆକ୍ରମଣ କରିଛନ୍ତି। କହିଛନ୍ତି ଯେ ଆଜି ସେମାନଙ୍କ ପାଇଁ ସିଟ୍ କେଉଁଠି ଥିଲା ଦେଖିଛନ୍ତି? ଏହା ପୂର୍ବରୁ ବିଜେପି ମୁଖପାତ୍ର ଶହଜାଦା ପୁନାୱାଲା ଲାଲ କିଲ୍ଲାରେ ଆୟୋଜିତ ସ୍ୱାଧୀନତା ଦିବସରେ ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତିକୁ ଉଲ୍ଲେଖ କରିଥିଲେ। ସେ କହିଥିଲେ ବିରୋଧୀ ଦଳ ନେତା ପଦ ସାମ୍ବିଧାନିକ ହୋଇଥାଏ ଏହି ଆୟୋଜନରେ ସାମିଲ ହେବା ତାଙ୍କର ସାମ୍ବିଧାନିକ କର୍ତ୍ତବ୍ୟ।