ରତ୍ନ ଅଳଙ୍କାର ଗଣତି ମଣତି ଏସଓପିକୁ ରାଜ୍ୟ ସରକାରଙ୍କ ଅନୁମୋଦନ, ୧୯୭୮ରେ ଗଣତି ରତ୍ନ ଅଳଙ୍କାରର ହେବ ମେଳକ

NEWS7
whoop-fitness-band-on-virat-kohli-wrist-during-ind-vs-nz-match

ପୁରୀ ୨୪।୨: ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି ପାଇଁ ଏସଓପି ପ୍ରସ୍ତୁତ ହୋଇସାରିଥିବା ବେଳେ ଏହାକୁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର। ଏହି ଏସଓପି ତଥା ମାର୍ଗଦର୍ଶିକା ଅନୁଯାୟୀ ମହାପ୍ରଭୁଙ୍କର ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ। ତେବେ ଏ ସମ୍ପର୍କିତ ଏକ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ରତ୍ନ ଅଳଙ୍କାରର ଗଣତି ମଣତି କେଉଁ ପ୍ରକ୍ରିୟାରେ ହେବ ତାହା ଆଲୋଚନା ହୋଇଛି।

ସେହିପରି ରତ୍ନ ଅଳଙ୍କାର ଗଣତି ମଣତିରେ କେଉଁ ଅଧିକାରୀଙ୍କ କ'ଣ ଦାୟିତ୍ବ ରହିବ ସେନେଇ ମଧ୍ୟ ଦାୟିତ୍ବ ବଣ୍ଟନ କରାଯାଇଛି। ଆଗାମୀ ଏକ ସପ୍ତାହ ମଧ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇ କେବେ ଏବଂ କେଉଁ ତିଥିରେ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ ସେନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ରତ୍ନଭଣ୍ଡାରକୁ ପ୍ରବେଶ ପାଇଁ ଶୁଭ ବେଳା ମଧ୍ୟ ନିର୍ଦ୍ଧାରଣ କରାଯିବ। ରତ୍ନ ଅଳଙ୍କାରର ଗଣତି ମଣତି ପାଇଁ ଦୁଇଟି ଟିମ୍ ଗଠନ ହେବ। ଗୋଟିଏ ତତ୍ତ୍ୱାବଧାରକ ବା ସୁପରଭାଇଜିଂ ଏବଂ ଅନ୍ୟଟି କାର୍ଯ୍ୟନିର୍ବାହୀ ଦଳ ବା ହ୍ୟାଣ୍ଡଲିଙ୍ଗ ଟିମ୍। ତତ୍ତ୍ୱାବଧାରକ ଟିମ୍ରେ ୩ ଜଣ ସଦସ୍ୟ ରହିବେ।

ଏ ଖବର ବି ପଢ଼ନ୍ତୁ:- ୨୦୨୭ ଫେବ୍ରୁଆରୀ ପୂର୍ବରୁ ପଞ୍ଚାୟତ ନିର୍ବାଚନ କରିବା ନେଇ କୌଣସି ନିଷ୍ପତି ହୋଇନାହିଁ

ସେହିପରି କାର୍ଯ୍ୟନିର୍ବାହୀ ଦଳରେ ୧୦ ଜଣ ସଦସ୍ୟ ରହିବେ। ସୁପରଭାଇଜିଙ୍ଗ ଟିମ୍ ରେ ଦୁଇଜଣ ରତ୍ନଭଣ୍ଡାର ହାଇଲେବଲ କମିଟିର ସଦସ୍ୟଙ୍କ ସହିତ ରତ୍ନଭଣ୍ଡାର ସବ କମିଟିର ଜଣେ ସେବକ ମେମ୍ବର ରହିବେ। କାର୍ଯ୍ୟନିର୍ବାହୀ ଦଳରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ରତ୍ନଭଣ୍ଡାର ହାଇଲେବଲ କମିଟିର ଅଧ୍ୟକ୍ଷ, ଶ୍ରୀମନ୍ଦିର ପରିଚାଳନା କମିଟିର ସେବାୟତ ସଦସ୍ୟ, ରାଷ୍ଟ୍ରାୟତ ବ୍ୟାଙ୍କର ଦୁଇ ଜଣ ବଣିଆ, ଜଣେ ବଣିଆ ସେବକ, ପାଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ଦେଉଳକରଣ, ତଢଉକରଣ ଏହି ଦଳରେ ରହିବେ। ଉଭୟ ଦଳ ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ସମ୍ପାଦନ କରିବେ।

ମହାପ୍ରଭୁଙ୍କର ଅନେକ ମୋତି ମାଣିକ୍ୟ ରହିଥିବାରୁ ତାହାର ଯାଞ୍ଚ ପାଇଁ ମଧ୍ୟ ଦୁଇଜଣ ଏକ୍ସପୋର୍ଟ ଙ୍କୁ ନିୟୋଜିତ କରାଯିବ। ଆରବିଆଇ ର ଜଣେ ଅଧିକାରୀ ମଧ୍ୟ ରହିବେ। ଦୁଇଜଣ ଏକ୍ସପୋର୍ଟ ଫଟୋଗ୍ରାଫର ଏବଂ ଭିଡିଓ ଗ୍ରାଫର ଉପସ୍ଥିତ ରହି ଗଣତି ମଣତି କାର୍ଯ୍ୟକୁ ଫଟୋଗ୍ରାଫି କରିବା ସହିତ ଭିଡିଓଗ୍ରାଫି କରିବେ। ସମସ୍ତ ରତ୍ନ ଅଳଙ୍କାରକୁ ନେଇ ଏକ ଡିଜିଟାଲ କ୍ୟାଟଲକ ତିଆରି କରାଯିବ। ଯାହାକି ଆଗାମୀ ଦିନରେ ରତ୍ନ ଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟରେ ବେଶ୍ ସହାୟକ ହେବ।

ଏ ଖବର ବି ପଢ଼ନ୍ତୁ:-ଭାଙ୍ଗିଲା ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସ୍ ପାଚେରୀ, ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି

ତେବେ ଏସଓପି ଅନୁଯାୟୀ ୧୯୭୮ ମସିହାରେ ହୋଇଥିବା ରତ୍ନ ଅଳଙ୍କାର ସହିତ ଚଳିତ ଥର ହେବାକୁ ଥିବା ରତ୍ନ ଅଳଙ୍କାରର ଗଣତି ମଣତିର କେବଳ ମେଳକ କରାଯିବ। ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଗଣତି ମଣତି ପରେ ବାହାର ରତ୍ନଭଣ୍ଡାର ଓ ଶେଷରେ ଭିତର ରତ୍ନଭଣ୍ଡାରରେ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ। ଉଭୟ ଭିତର ଓ ବାହାର ରତ୍ନଭଣ୍ଡାରର ଚାବି ପ୍ରତ୍ୟେକ ଦିନ ଗଣତି ମଣତି ପରେ ଜିଲ୍ଲା ଟ୍ରେଜେରୀରେ ରତ୍ନଭଣ୍ଡାର ଚାବିକୁ ରଖାଯିବ। ରତ୍ନଭଣ୍ଡାରରେ ରତ୍ନ ଅଳଙ୍କାରର କୌଣସି ତଥ୍ୟ ଯେଭଳି ବାହାରେ ପ୍ରକାଶ ନହୁଏ ସେଥିପାଇଁ ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ମଣତିରେ ସାମିଲ ଥିବା କ୍ୟାମେରା ମ୍ୟାନ୍ଙ୍କ ସହିତ ଏକ ଏଗ୍ରିମେଣ୍ଟ ହେବ। ରତ୍ନ ଅଳଙ୍କାରର ଗଣତି ମଣତି ପରେ ଏହାକୁ ଡିଜିଟାଇଜେସନ କରାଯିବ। ସୁନା, ରୁପା, ମୋତି, ମାଣିକ ରଖିବା ପାଇଁ ଅଲଗା ଅଲଗା ସିନ୍ଦୁକ ମଧ୍ୟ କରାଯାଇଛି । ପ୍ରତ୍ୟେକ ଦିନ ଗଣତି ମଣତି ପରେ ଉପସ୍ଥିତି ଥିବା ସଦସ୍ୟ ମାନେ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକ ଦସ୍ତାବିଜରେ ଦସ୍ତଖତ କରିବେ। ରତ୍ନ ଅଳଙ୍କାରର ଗଣତି ମଣତି ସମୟରେ ସିସିଟିଭି ଲଗାଯିବ।

ଏସଓପି ଅନୁଯାୟୀ ଯେଉଁ ଯେଉଁ ଦିନ ରତ୍ନ ଅଳଙ୍କାର ଗଣତି ମଣତି କରାଯିବ ସେହିଦିନ ଭକ୍ତମାନେ କେବଳ ବାହାର କାଠ ନିକଟରେ ମହାପ୍ରଭୁଙ୍କ ଦର୍ଶନ କରିବେ। ମହାପ୍ରଭୁଙ୍କ ନୀତି ଥିବା ସମ୍ପୃକ୍ତ ପାଳିଆ ସେବକ କେବଳ ମନ୍ଦିର ରେ ପ୍ରବେଶ କରିବେ। ଅନ୍ୟ କୌଣସି ସେବାୟତ ଏବଂ ବ୍ୟକ୍ତିଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ । ରତ୍ନ ଅଳଙ୍କାର ଗଣତି ମଣତି ବେଳେ ଉପସ୍ଥିତି ଥିବା ସମସ୍ତ ସଦସ୍ୟଙ୍କ ପାଇଁ ପୁରୀ ଏସ୍ପି ପରିଚୟ ପତ୍ର ପ୍ରଦାନ କରିବେ। ପ୍ରତ୍ୟେକ ସଦସ୍ୟ ମାନେ ପାରମ୍ପରିକ ପୋଷାକ ପରିଧାନ କରି ପ୍ରବେଶ କରିବା ସହ ସାଙ୍ଗରେ କୌଣସି ପ୍ରକାର ଜିନିଷ ନେଇପାରିବେ ନାହିଁ। ରତ୍ନଭଣ୍ଡାରରେ ରତ୍ନ ଅଳଙ୍କାରର ଗଣତି ମଣତି ସୂଚାରୁରୂପେ ସମ୍ପାଦନ ପାଇଁ ଆଲୋକୀକରଣ, ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ସହିତ ସିସିଟିଭି ବ୍ୟବସ୍ଥା ମଧ୍ୟ କରାଯିବ। ସେହିପରି ଠାକୁରଙ୍କ ବିଭିନ୍ନ ନୀତି ବହୁଳ ଦିନ, ବିଭିନ୍ନ ପର୍ବପର୍ବାଣି, ଏବଂ ଶନିବାର, ରବିବାର ଭକ୍ତଙ୍କ ଭିଡ଼ ପାଇଁ ରତ୍ନ ଅଳଙ୍କାରର ଗଣତି ମଣତି ବନ୍ଦ ରଖାଯିବ। ତେବେ ଆଗାମୀ ନିଳାଦ୍ରୀ ବିଜେ ପୂର୍ବରୁ ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଶେଷ ପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି।