ତହବୁର ରାଣା ପରେ କିଏ ? କାହାକୁ ଖୋଜୁଛି ଭାରତ, ଦେଖନ୍ତୁ ଏହି ରିପୋର୍ଟ...

Published By : Prameya-News7 Bureau | April 11, 2025 IST

ନୂଆଦିଲ୍ଲୀ ୧୧।୦୪: ୨୬।୧୧ ଇତିହାସର କଳା ଦିନ । ଦୋହଲି ଯାଇଥିଲା ମୟାନଗରୀ । ଭୟଙ୍କର ଆତଙ୍କୀ ଆକ୍ରମଣରେ ଥରି ଉଠିଥିଲା ମୁମ୍ବାଇ ।  ଗଳିକନ୍ଦୀରେ ଶୁଭୁଥିଲା ବନ୍ଧୁକର ଗର୍ଜନ । ରକ୍ତ ଜୁଡୁବୁଡୁ ହୋଇଥିଲା ରାଜରାସ୍ତା । ଜୀବନ ହରାଇଥିଲେ ନୀରିହ ଲୋକ । ଟିଭି ସ୍କ୍ରିନ୍‌ ଉପରେ ଅଟକି ଯାଇଥିଲା ସମସ୍ତଙ୍କ ନଜର । ସେଦିନର ସେହି ଘଟଣା ମନେ ପଡିଗଲେ ଥରିଉଠେ ଛାତି  । ଦୀର୍ଘ ୧୬ ବର୍ଷ ପରେ ଖୋଲିପାରେ ଘଟଣାର ପେଡି । ତହବୁର ରାଣା ଓଗାଳିବ ସତ । ୨୬-୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ତହବୁର ।  ଏବେ ସେ ଭାରତ କବ୍ଜାରେ ।

ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ତହବୁର ପରେ କିଏ ? କାହା ସନ୍ଧାନରେ ଭାରତ ? ଲିଷ୍ଟର ପ୍ରଥମରେ ରହିଛି ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ହାଫିଜ୍ ସଇଦ । ମୁମ୍ବାଇ ଆକ୍ରମଣର ରଣନୈତିକ ମାଷ୍ଟରମାଇଣ୍ଡ । ତହବୁର ରାଣାର ନିକଟତମ ବନ୍ଧୁ ଡେଭିଡ୍ କୋଲମ୍ୟାନ୍ ହେଡଲି ସ୍ପଷ୍ଟ ଭାବରେ କହିଥିଲେ ଯେ ସଇଦର ଥିଲା ପୁରା ଆକ୍ରମଣର ପ୍ଲାନ । ରାଣା ଜରିଆରେ ହାଫିଜ୍ ସଇଦର ଭୂମିକା, କଥାବାର୍ତ୍ତା, ତାଲିମ ଏବଂ ବ୍ରେନ୍ଓ୍ବାସ୍ର ସବୁ ଭିତରି ତଥ୍ୟା ସାମ୍ନାକୁ ଆସିପାରେ ।  

ଜାକି-ଉର-ରେହମାନ ଲଖଭି । ସେ ଲସ୍କର-ଏ-ତୈବାର ସହ-ପ୍ରତିଷ୍ଠାତା ଏବଂ ଅପରେସନାଲ୍ କମାଣ୍ଡର । ଲଖଭି ଏହି ଷଡ଼ଯନ୍ତ୍ରର ଆଉ ଏକ ପ୍ରମୁଖ ଚରିତ୍ର । ମୁମ୍ବାଇ ଆକ୍ରମଣ ପାଇଁ କସାବ ଏବଂ ଅନ୍ୟ ଆତଙ୍କୀଙ୍କୁ ନିଯୁକ୍ତି, ପ୍ରଲୋଭନ, ତାଲିମ ଏବଂ ନିୟୋଜିତ କରିବା ପାଇଁ ଦାୟୀ ଥିଲା । ସେ ମୁମ୍ବାଇ ଆକ୍ରମଣ ପାଇଁ ଟାର୍ଗେଟ ସ୍ଥିର କରିଥିଲା ଏବଂ କରାଚି କଣ୍ଟ୍ରୋଲ ରୁମ୍‌ରୁ ଦେଇଥିଲା ନିର୍ଦ୍ଦେଶ । ତହବୁର ଠାରୁ ଜାଣିହେବ ଲଖଭି କେମିତି କରିଥିଲା ।

ପ୍ରୋଜେକ୍ଟ ମ୍ୟାନେଜର ସଜ୍ଜାଦ ମୀର । ହେଡଲିର ବୟାନରେ ଅନେକ ଥର ସାମ୍ନାକୁ ଆସିଛି ସଜ୍ଜାଦ ମୀରର ନାଁ ।  ସେ ଆକ୍ରମଣକାରୀଙ୍କ ପ୍ରଶିକ୍ଷକ ଥିଲା । ରାଣାଙ୍କ ପାଖରେ ତାଙ୍କ ସହ ହୋଇଥିବା କଥାବାର୍ତ୍ତା ଏବଂ ଯୋଜନା ବିଷୟରେ ଥାଇପାରେ ସୂଚନା ।

ISI କନେକ୍ସନ୍ ମେଜର ଇକବାଲ । ରାଣାଙ୍କ ଜରିଆରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ISIର ଭୂମିକା ସମ୍ପର୍କରେ କରାଯାଇପାରେ ପର୍ଦ୍ଦାଫାସ । ମେଜର ଇକବାଲ ଆକ୍ରମଣ ପାଇଁ କେବଳ ଆବଶ୍ୟକ ଟଙ୍କା ଲଗାଇଥିଲେ ତା ନୁହେଁ,  ବରଂ ହେଡଲିକୁ ନିର୍ଦ୍ଦେଶ ଏବଂ ସମ୍ବଳ ମଧ୍ୟ ଦେଇଥିଲେ। ରାଣା ଏହି ପାକିସ୍ତାନ-ଆଇଏସଆଇ-ଲସ୍କର କନେକ୍ସନ୍କୁ ନିଶ୍ଚିତ କରିପାରେ । 

ହେଡଲିର ସାକ୍ଷ୍ୟ ଅନୁଯାୟୀ, ଇଲିଆସ୍  କାଶ୍ମୀରୀ ଏହି ପ୍ଲାନ୍ରେ ଥିଲା ସାମିଲ । ତହବୁର ରାଣାଠୁ ସ୍ପଷ୍ଟ ହେବ କି ଅଲ-କାଏଦା କିପରି ଭାରତରେ ଅସ୍ଥିରତା ବଢାଇବାକୁ ଚାହୁଁଥିଲା ।  

ଡେଭିଡ୍ କୋଲମ୍ୟାନ୍ ହେଡଲି । ଆମେରିକା ଯାହାଙ୍କୁ ସରକାରୀ ସାକ୍ଷୀ କରିଥିଲା, ସେ ରାଣାର ସବୁଠାରୁ ନିକଟତମ ବନ୍ଧୁ । ରାଣାଙ୍କ ପାଖରେ ହେଡଲିର ପ୍ରତ୍ୟେକ ଗତିବିଧି, ବିଷୟରେ ସୂଚନା ଥାଇପାରେ ଏବଂ ସେ ତାଙ୍କର ମିଛର ହୋଇପାରେ ପର୍ଦ୍ଦାଫାସ ।

ରାଣା ମୁମ୍ବାଇ ଆକ୍ରମଣର ପ୍ରତକ୍ଷ ସାକ୍ଷୀ । ଏହି ମାମଲାରେ ତାଙ୍କର ଭାରତକୁ ପ୍ରତ୍ୟର୍ପଣ ସବୁଠାରୁ ବଡ଼ ସଫଳତା । ତାଙ୍କର ବୟାନ କେବଳ ବାକି ଆତଙ୍କୀଙ୍କ ପରିଚୟ ଏବଂ ଭୂମିକା ସ୍ପଷ୍ଟ କରିପାରିବ ତାନୁହେଁ ବରଂ ପାକିସ୍ତାନର ମିଥ୍ୟା ଦାବିର କରିପାରେ ଖୁଲାସା । ବର୍ତ୍ତମାନ ତଦନ୍ତକାରୀ ଅଧିକାରୀମାନେ ରାଣାଙ୍କୁ ପଚରାଉଚରା କରିବାରେ ବ୍ୟସ୍ତ । ଖୁବଶୀଘ୍ର ହୋଇପାରେ ଅନେକ ବଡ଼ ଖୁଲାସା…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.