ପାକିସ୍ତାନରେ ଖେଳିବେ ମୁସ୍ତାଫିଜୁର : ଆଇପିଏଲରୁ ବିଦା ହେଲା ପରେ ପିସିବି ଦେଲା ଅଫର୍

NEWS7
who-is-roshni-nadar-who-became-asias-richest-businesswoman

ନୂଆଦିଲ୍ଲୀ, ୦୭/୦୧ : ଆଇପିଏଲରୁ ବିଦା ହୋଇଛନ୍ତି ମୁସ୍ତାଫିଜୁର ରେହମାନ । ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସା ଏବଂ ଅତ୍ୟାଚାର ବଢିବା ପରେ ଆଇପିଏଲ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଛନ୍ତି । ତାଙ୍କୁ ୯ କୋଟି ୨୦ ଲକ୍ଷ ଟଙ୍କାରେ କୋଲକାତା ନାଇଟ୍ ରାଇଡର୍ସ କ୍ରୟ କରିଥିଲା । ଚଳିତ ସିଜିନ ପାଇଁ ତାଙ୍କୁ କେକେଆର ଦଳରୁ ଆଉଟ୍ କରିଛନ୍ତି । ଏବେ ତାଙ୍କୁ ନେଇ ଏକ ବଡ ଅପଡେଟ୍ ଆସିଛି ।

ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁସ୍ତାଫିଜୁରଙ୍କ ଉପରେ ନଜର ରଖିଛି । ନିଜ ଏକ୍ସ ହ୍ୟାଣ୍ଡେଲରେ ପିସିବି କହିଛି ଯେ, ବାଂଲାଦେଶୀ ବୋଲର ମୁସ୍ତାଫିଜୁର ପାକ୍ ସୁପର ଲିଗରେ ଖେଳିବେ । ଲିଗର ଆଗାମୀ ସିଜିନରେ ସେ ଭାଗ ନେବେ । ଯାହାର ନିଲାମି ଏବେସୁଦ୍ଧା ହୋଇନାହିଁ । ଆଉ କିଛି ଦିନ ପରେ ପିଏସଏଲ ପାଇଁ ନିଲାମି ହେବ ।

ଅନ୍ୟ ଦିଗରେ ବାଂଲାଦେଶ କ୍ରିକେଟ୍ ବୋର୍ଡର ଜଣେ ଅଧିକାରୀ କହିଛନ୍ତି ଯେ, ଭାରତରେ ବାଂଲା ଖେଳାଳି ଖେଳିବା ସୁରକ୍ଷିତ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଏନେଇ ଆଇସିସିକୁ ଇମେଲ ଯୋଗେ ଜବାବ ମଗାଯାଇଛି । ଏହାସହ ଟି୨୦ ବିଶ୍ୱକପର ଆୟୋଜନସ୍ଥଳ ବଦଳାଇବାକୁ ମଧ୍ୟ ଆଇସିସିକୁ ଅନୁରୋଧ କରାଯାଇଛି ।

ଖେଳସୂଚୀ ଅନୁସାରେ, ବାଂଲାଦେଶ କୋଲକାତାରେ ଦୁଇଟି ମୁକାବିଲା ଖେଳିବ । ପ୍ରଥମେ ଦଳ ଓ୍ୱେଷ୍ଟ୍ ଇଣ୍ଡିଜ୍ ଏବଂ ପରେ ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍ ଖେଳିବ । ଏହାସହ ନେପାଳ ବିରୋଧରେ ଦଳ ମୁମ୍ବାଇରେ ଖେଳିବ । ଆଇସିସି ମଧ୍ୟ ଭେନ୍ୟୁରେ ପରିବର୍ତ୍ତନ ପାଇଁ ଚିନ୍ତା କରୁଛି । ଏହାସହ ଅନ୍ୟ ଦିଗକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି ।

ଯଦି ବାଂଲାଦେଶର ମୁକାବିଲା ଶ୍ରୀଲଙ୍କାକୁ ସ୍ଥାନାନ୍ତରିତ ହୁଏ ତାହା ଅନ୍ୟ ମ୍ୟାଚର ତାରିଖ ଏବଂ ସ୍ଥାନ ବଦଳିଯିବ । ବ୍ରଡକାଷ୍ଟିଂରେ ମଧ୍ୟ ପରିବର୍ତ୍ତନ ହୋଇପାରେ । ଟୁର୍ଣ୍ଣାମେଣ୍ଟକୁ ଆଉ ମାତ୍ର ମାସେ ବାକି ଥିବା ବେଳେ ବାଂଲାଦେଶର ଦାବିକୁ ଗ୍ରହଣ କରାଯିବାର ସମ୍ଭାବନା କମ୍ ରହିଛି ।