ବେଙ୍ଗାଲୁରୁ ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ? ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା

Published By : Prameya-News7 Bureau | June 05, 2025 IST

ନୂଆଦିଲ୍ଲୀ ୦୫।୦୬; ବେଙ୍ଗାଳୁରୁରେ ଦଳାଚକଟାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ। ରୟାଲ ଚାଲେଞ୍ଜର୍ସ ବେଙ୍ଗାଳୁରୁର ବିଜୟ ଉତ୍ସବ ବେଳେ ଦଳାଚକଟା ଘଟଣା ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା। ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୩ ଜଣ ଆହତ ହୋଇଛନ୍ତି।

ଆହତ ମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ଏହାସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ୧୦ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ଦଳାଚକଟା ଘଟିଥିଲା। ୨୦୨୫ ଆଇପିଏଲ୍ ଚାମ୍ପିଅନସିପରେ ଆରସିବିର ବିଜୟ ଉତ୍ସବ ପାଳନ କରିବା ପାଇଁ ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ପ୍ରଶଂସକମାନେ ଏକତ୍ରିତ ହୋଇଥିବା ବେଳେ ଘଟିଥିଲା ଅଘଟଣ। ଏହି ଉତ୍ସବ କର୍ଣ୍ଣାଟକ ରାଜ୍ୟ କ୍ରିକେଟ ଆସୋସିଏନ ପକ୍ଷରୁ ଆୟୋଜିତ ହେଉଥିଲା। 

ଗତକାଲି ଅପରାହ୍ନରେ ହଜାର ହଜାର ପ୍ରଶଂସକ ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏକାଠି ହୋଇଥିଲେ। ଆରସିବି ଦଳ ସହିତ ଖୁସି ମନାଇବେ ବୋଲି ଆଶା କରାଯାଉଥିଲା। ଷ୍ଟାଡିୟମର ଭିତର ଏବଂ ଆଖପାଖ ରାସ୍ତାଗୁଡ଼ିକ ଜାମ ହୋଇଯାଇଥିଲା ଏବଂ ପ୍ରଶଂସକମାନେ ରାସ୍ତା, ମେଟ୍ରୋ ଏବଂ ଚାଲିଚାଲି ଆସି ଗୋଟିଏ ସ୍ଥାନରେ ଏକାଠି ହୋଇଥିବାରୁ ଯାନବାହାନ ଚଳାଚଳ ଠପ୍ ହୋଇଯାଇଥିଲା। ଏହାକୁ ନେଇ ସେଠାରେ ଦଳାଚକଟା ଘଟିଥିଲା। ଏନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଯେତେବେଳେ କର୍ଣ୍ଣାଟକ ସରକାର ଦଳାଚକଟାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ସେହି ସମୟରେ, କର୍ଣ୍ଣାଟକ ସରକାର କ୍ରିକେଟ ଆସୋସିଏସନକୁ ଦାୟୀ କରିଛନ୍ତି। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବିଜେପି ପ୍ରଶ୍ନର ଜବାବ ଦେଇ କହିଛନ୍ତି ଯେ ମହାକୁମ୍ଭ ସମୟରେ ମଧ୍ୟ ଦଳାଚକଟା ହୋଇଥିଲା। ଏପରି ଘଟଣା ଉପରେ ରାଜନୀତି କରାଯିବା ଉଚିତ୍ ନୁହେଁ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.